ETV Bharat / state

ମାଡି ଆସୁଥିଲା ଦନ୍ତା, ଏକାକୀ ଅଟକାଇଲେ ଫରେଷ୍ଟ ଗାର୍ଡ

author img

By

Published : Feb 17, 2022, 7:48 AM IST

ମାଡି ଆସୁଥିଲା ଦନ୍ତା, ଏକାକୀ ଅଟକାଇଲେ ଫରେଷ୍ଟ ଗାର୍ଡ
ମାଡି ଆସୁଥିଲା ଦନ୍ତା, ଏକାକୀ ଅଟକାଇଲେ ଫରେଷ୍ଟ ଗାର୍ଡ

ମାଡି ଆସୁଥିଲା ଦନ୍ତା । ଏକାକୀ ଦନ୍ତାହାତୀର ସାମ୍ନା କଲେ ଫରେଷ୍ଟ ଗାର୍ଡ । ଭିଡିଓ ଭାଇରାଲ । ଅଧିକ ପଢନ୍ତୁ

ସମ୍ବଲପୁର: ହାତୀ-ମଣିଷର ଲଢେଇରେ ବନ କର୍ମଚାରୀମାନେ ସବୁବେଳେ ନିନ୍ଦିତ ହୋଇଥାନ୍ତି । ହେଲେ ଏପରି ବି କିଛି ବନ କର୍ମଚରୀ ଅଛନ୍ତି, ଯିଏକି ନିଜ ଜୀବନକୁ ବାଜି ଲଗାଇ ଗାଁ ଗହଳିରେ ହାତୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ନିରନ୍ତର କାର୍ଯ୍ଯ କରୁଛନ୍ତି । ରେଢାଖୋଲ ବନଖଣ୍ଡରୁ ଏଭଳି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଦେଖାଯାଇଛି ଜଣେ ଫରେଷ୍ଟ ଗାର୍ଡ ଅତ୍ୟନ୍ତ ବାହାଦୂରୀ ଦେଖାଇ ଫସଲ ନଷ୍ଟ କରୁଥିବା ହାତୀକୁ ଏକାକୀ ସାମ୍ନା କରୁଛନ୍ତି ।

ମାଡି ଆସୁଥିଲା ଦନ୍ତା, ଏକାକୀ ଅଟକାଇଲେ ଫରେଷ୍ଟ ଗାର୍ଡ

ଫରେଷ୍ଟ ଗାର୍ଡ ଜଣକ ହାତରେ ମଶାଲ ଧରି ଦନ୍ତାକୁ ଜଙ୍ଗଲକୁ ଘଉଡାଇଛନ୍ତି । ଏହି ସାହାସୀ ବନ କର୍ମଚାରୀ ହେଉଛନ୍ତି ଚିତ୍ତ ରଞ୍ଜନ ମିରି । ଯାହା ସୂଚନା ମିଳିଛି, ଚଡଚଡି ଓ ଅଙ୍ଗାବିରା ଗାଁ ମଝିରେ ଏକ ଦନ୍ତା ହାତୀ ଆସି ଫସଲ ନଷ୍ଟ କରୁଥିଲା । ଖବର ପାଇ ଚିତ୍ତ ରଞ୍ଜନ ତାଙ୍କ ହାତୀ ସ୍କ୍ବାର୍ଡ ସହ କିଛି ୱାଚରଙ୍କ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରଥମେ ଗାଁ ଲୋକଙ୍କୁ ସେଠାରୁ ପଠାଇବା ପରେ ନିଜେ ହାତୀ ଘଉଡାଇବା କାର୍ଯ୍ୟରେ ଲାଗି ପଡିଥିଲେ ଚିତ୍ତ ରଞ୍ଜନ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ହାତୀ ଘଉଡାଇବା ପାଇଁ ହାବେଳି ଓ ରକେଟ ବାଣ ବ୍ୟବହାର ବାରଣ ଥିବାରୁ ଚିତ୍ତ ରଞ୍ଜନ ୫ ଜଣଙ୍କୁ ନେଇ ଅପରେସନ ଆରମ୍ଭ କରିଥିଲେ । ସେ ହାତରେ ଗୋଟିଏ 10/12 ଫୁଟ ଲମ୍ବର ମଶାଲ ଧରିଲେ ଏବଂ ସାଙ୍ଗରେ ଆଉ ଜଣେ ଲୋକ ମଧ୍ୟ ଅନ୍ୟ ଏକ ମଶାଲ ଧରିଥିଲେ । ହାତୀଟିକୁ ଫସଲ ଖାଇବାରୁ ଘଉଡାଇବା ସମୟରେ ସେ ଲୋକଙ୍କ ଆଡକୁ ମାଡି ଆସିଥିଲା ।

ଚିତ୍ତ ରଞ୍ଜନଙ୍କ ସହିତ ଅନ୍ୟ 4 ଜଣ ଜୀବନ ବଞ୍ଚେଇବା ପାଇଁ ପଛକୁ ଧାଇଁ ଆସିଥିଲେ ମଧ୍ୟ ସେ କିନ୍ତୁ ଗୋଟିଏ ଇଞ୍ଚ ପଛକୁ ଘୁଞ୍ଚି ନଥିଲେ । ହାତୀଟି ଭୟଙ୍କର ରୂପ ଧରି ମାଡି ଆସିଥିଲେ ବି ଚିତ୍ତ ରଞ୍ଜନ ଅବିଚଳିତ ଭାବରେ ନିଜ ସ୍ଥାନରେ ଛିଡା ହୋଇ ସାହସର ସହିତ ହାତୀକୁ ଜଳନ୍ତା ମଶାଲ ଦେଖାଇଥିଲେ । ହାତୀ ମାତ୍ର 15 ଫୁଟ ଦୂରରେ ରହିଯାଇଥିଲା ଏବଂ ପରେ ସେ ତାକୁ ଜଙ୍ଗଲ ଭିତରକୁ ତଡିବାରେ ସକ୍ଷମ ହୋଇଥିଲେ । ଏହି ସମୟର ଭିଡିଓ ଏବେ ଖୁବ୍ ଭାଇରାଲ ହୋଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.