ETV Bharat / state

ଦେବୀ ପୂଜା ସହ ପାରମ୍ପରିକ ଦୁଲଦୁଲି ବାଜାର ସମ୍ପର୍କ କଣ ?

author img

By ETV Bharat Odisha Team

Published : Oct 26, 2023, 7:01 AM IST

ଦେବୀ ପୂଜା ସହ ପାରମ୍ପରିକ ଦୁଲଦୁଲି ବାଜାର ସମ୍ପର୍କ  କଣ?
ଦେବୀ ପୂଜା ସହ ପାରମ୍ପରିକ ଦୁଲଦୁଲି ବାଜାର ସମ୍ପର୍କ କଣ?

ଦୁର୍ଗା ପୂଜା ସମୟରେ ପ୍ରତ୍ୟେକ ଦେବୀ ପୀଠ ହେଉ ବା ମଣ୍ଡପ ସମ୍ମୁଖରେ ବାଜିଥାଏ ପଶ୍ଚିମ ଓଡ଼ିଶାରର ପାରମ୍ପରିକ ଲୋକବାଦ୍ୟ ଦୁଲଦୁଲି ଯାହାକୁ ପଞ୍ଚବାଦ୍ୟ ମଧ୍ୟ କୁହାଯାଏ । ଗଣ୍ଡା ସମ୍ପ୍ରଦାୟର ଲୋକେ ମୁଖ୍ୟତଃ ଏହି ବାଦ୍ୟ ବଜାଉ ଥିବାରୁ ପୂର୍ବରୁ ଏହାକୁ ଗଣ୍ଡା ବାଜା ବୋଲି ମଧ୍ୟ କୁହାଯାଉଥିଲା ।

ଦେବୀ ପୂଜା ସହ ପାରମ୍ପରିକ ଦୁଲଦୁଲି ବାଜାର ସମ୍ପର୍କ କଣ?

ସମ୍ବଲପୁର: ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ସହ ସରିଛି ଦୁର୍ଗାପୂଜା । ଦୁର୍ଗା ପୂଜାରେ ଲୋକେ ପୂଜାର ମଜା ନେବା ସହ ଅନେକ ଛୋଟ ବଡ଼ ବ୍ୟବସାୟୀ ଦୁର୍ଗା ପୂଜାରେ ଭଲ ବ୍ୟବସାୟ କରନ୍ତି । ଏହି ଦୁର୍ଗା ପୂଜା ସମୟରେ ସମ୍ବଲପୁର ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ଦୁଲଦୁଲି ବାଜା କଳାକାର ମାନେ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରନ୍ତି l କାରଣ ଦୁର୍ଗା ପୂଜା ସମୟରେ ପୀଠ ହେଉ କି ମଣ୍ଡପ ପାରମ୍ପରିକ ଲୋକବାଦ୍ୟର ଆବଶ୍ୟକତା ନିହାତି ଭାବେ ପଡିଥାଏ l ଆସନ୍ତୁ ଜାଣିବା ଦୁର୍ଗା ପୂଜା ସହିତ ଏହି ପାରମ୍ପରିକ ଲୋକବାଦ୍ୟର କଣ ରହିଛି ସମ୍ପର୍କ l

ଦୁର୍ଗା ପୂଜା ସମୟରେ ପ୍ରତ୍ୟେକ ଦେବୀ ପୀଠ ହେଉ ବା ମଣ୍ଡପ ସମ୍ମୁଖରେ ବାଜିଥାଏ ପଶ୍ଚିମ ଓଡ଼ିଶାରର ପାରମ୍ପରିକ ଲୋକବାଦ୍ୟ ଦୁଲଦୁଲି ଯାହାକୁ ପଞ୍ଚବାଦ୍ୟ ମଧ୍ୟ କୁହାଯାଏ l ଗଣ୍ଡା ସମ୍ପ୍ରଦାୟର ଲୋକେ ମୁଖ୍ୟତଃ ଏହି ବାଦ୍ୟ ବଜାଉ ଥିବାରୁ ପୂର୍ବରୁ ଏହାକୁ ଗଣ୍ଡା ବାଜା ବୋଲି ମଧ୍ୟ କୁହା ଯାଉଥିଲା l ଏଥିରେ ଢୋଲ, ନିଶାନ, ତାସା, ଝଞ୍ଜ ଓ ମହୁରୀ ବାଦ୍ୟ ବାଜିଥାଏ l ଏହି ବାଦ୍ୟ ବଜେଇବା ସମୟରେ ଏକ ସ୍ବତନ୍ତ୍ର ପୋଷାକ ପିନ୍ଧୁଥିଲେ କଳାକାର ମାନେ l ବର୍ତ୍ତମାନ ଏହି ବାଦ୍ୟରେ ମହୁରୀ ବହୁତ କମ ଦେଖିବାକୁ ମିଳୁଛି l ସେ ଯାହା ହେଉନା କାହିଁକି ନବରାତ୍ର ଆରମ୍ଭ ଠାରୁ ଭସାଣି ପର୍ଯ୍ୟନ୍ତ ଏହି ବାଦ୍ୟ ଦେଖୁବାକୁ ମିଳିଥାଏ l ଆସନ୍ତୁ ଜାଣିବା ଦେବୀ ପୂଜା ସହ ଏହାର କି ସମ୍ପର୍କ ରହିଛି l ସ୍ଥାନୀୟ ଲୋକଙ୍କ ମତରେ ଏହି ବାଦ୍ୟ ହେଉଛି ଆବାହନୀ l ମା’ ସମଲେଶ୍ବରୀଙ୍କୁ ଆବାହନ କରିବାକୁ ଏହି ବାଦ୍ୟ ବଜାଯାଏ । ଆବାହନ କରିବାକୁ ଭିନ୍ନ ଭିନ୍ନ ତାଳ ରହିଛି l ଦେବୀ ଙ୍କୁ ଆବାହନ କରିବାକୁ "ଷୋହଳ ଭରନି" ତାଳ (ସୁଲହ ଭର୍ଣ୍ଣି ପାର ) ରହିଛି । ଏହି କଳାକାର ମାନେ ଏହାକୁ ନିଜ ନିଜ ପୂର୍ବ ପୁରୁଷଙ୍କ ଠାରୁ ଶିଖି ବଞ୍ଚାଇ ରଖିଛନ୍ତି l ମା’ ସମଲେଶ୍ବରୀଙ୍କ ମନ୍ଦିରରେ ମା’ଙ୍କ ଆବାହନ ପାଇଁ ଚୌହାନ ବଂଶୀୟ ରାଜା ମାନେ ଏହି କଳାକାର ମାନଙ୍କୁ ଆଣି ସମଲେଶ୍ବରୀ ମନ୍ଦିର ଆଖ ପାଖ ଅଞ୍ଚଳରେ ରଖିଥିଲେ । ସେହିଦିନ ଠାରୁ ଦେବୀ ପୂଜା ହେଲେ ଏହି ବାଦ୍ୟର ଆବଶ୍ୟକତା ପଡିଥାଏ l ଗାଁରୁ ସହର ଯେଉଁଠି ବି ଦୁର୍ଗା ପୂଜା ହେଉକି ବଏଲ ଯାତ୍ରା ହେଲେ ଏହି ଦୁଲଦୁଲି ବାଜା ବାଜିଥାଏ l

ଅଧିକ ପଢନ୍ତୁ- VijayaDashami: ସମ୍ବଲପୁରରେ ବଙ୍ଗୀୟ ମହିଳାଙ୍କ ସିନ୍ଦୁର ଖେଳ

ଏହା ସହ ପରମ୍ପରା ମୁତାବକ ପଶ୍ଚିମ ଓଡିଶାର ବିବାହ, ବ୍ରତ କି କୌଣସି ଶୁଭକାର୍ଯ୍ୟ ହେଲେ ଏହି ବାଜା ବାଜିଥାଏ l ଦଶହରା ସମୟରେ ଏହାର ନିତାନ୍ତ ଆବଶ୍ୟକ ପଡିଥାଏ l ଆଉ ଏହି ସମୟରେ ଏହି ଦୁଲଦୁଲି କଳାକାର ମାନେ ଭଲ ଦୁଇ ପଇସା ରୋଜଗାର କରନ୍ତି l ସେମାନଙ୍କ ଅନୁସାରେ ମା’ ଦୁର୍ଗାଙ୍କ ପୂଜା ସେମାନଙ୍କ ପାଇଁ ରୋଜଗାରର ଏକ ବଡ଼ ଅବସର ମିଳିଥାଏ l ସେଥିପାଇଁ ପିଢୀ ପରେ ପିଢୀ ଏହି ଲୋକ କଳାକାର ମାନେ ଏହି କଳାକୁ ବଞ୍ଚାଇ ରଖିଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.