ETV Bharat / state

ଦୁନିଆ ଦେଖି ନାହାନ୍ତି ପରିବାରର ୩ ପିଲା, ସହାୟତା ଲୋଡୁଛନ୍ତି ମାଆ

author img

By ETV Bharat Odisha Team

Published : Oct 5, 2023, 9:31 AM IST

Updated : Oct 5, 2023, 9:49 AM IST

helpless family seeking government assistance
helpless family seeking government assistance

ରାୟଗଡା ଜିଲ୍ଲା କାଶିପୁର ବ୍ଲକ କୁମ୍ଭାରସିଲା ଗ୍ରାମରେ ୩ ଦିବ୍ୟାଙ୍ଗ ପିଲାଙ୍କୁ ଚଳାଇବା ପାଇଁ ସଂଘର୍ଷ କରୁଛନ୍ତି ମାଆ । ପିଲାଙ୍କ ଚିକିତ୍ସା ପାଇଁ ସହାୟତା ଲୋଡୁଥିବା ପରିବାରକୁ ପ୍ରତିଶୃତି ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

ଦୁନିଆ ଦେଖି ନାହାନ୍ତି ପରିବାରର ୩ ପିଲା

ରାୟଗଡା: ଦଇବ ଦେଇଛି ଦୁଃଖ । ଜଣେ କି ଦୁଇ ଜଣ ନୁହେଁ ଗୋଟିଏ ପରିବାରର ୩ ଜଣଙ୍କ ପାଇଁ ଦୁନିଆଟା ଅନ୍ଧାର । ୩ ଦିବ୍ୟାଙ୍ଗ ପିଲାଙ୍କୁ ଚଳାଇବା ପାଇଁ ସଂଘର୍ଷ କରୁଛନ୍ତି ମାଆ । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶିପୁର ବ୍ଲକ କୁମ୍ଭାରସିଲା ଗ୍ରାମରେ । ୩ ପିଲାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ସହାୟତା ଲୋଡୁଥିବା ପରିବାରକୁ ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ ।

କୁମ୍ଭାରସିଲା ଗ୍ରାମର ୬୧ ବର୍ଷୀୟ ବୃଦ୍ଧା ପଦ୍ମିନୀ କୁମ୍ଭାର । ଦୁଇଟି ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ପରିବାର । ହେଲେ ଜନ୍ମରୁ ତିନି ପିଲା ଦୃଷ୍ଟିହୀନ ହୋଇଥିବାରୁ ସେମାନଙ୍କୁ ଚଳାଇବା ପାଇଁ ସଂଘର୍ଷ କରୁଛନ୍ତି ପଦ୍ମିନୀ । କୁଲି ମଜୁରୀ କରି ପେଟ ପୋଷୁଛନ୍ତି ୬୧ ବର୍ଷୀୟ ବୃଦ୍ଧା ମା। ପିଲାଙ୍କ ଚିକିତ୍ସା ପାଇଁ ବାରମ୍ବାର ବିଭିନ୍ନ ସ୍ତରରେ ନିବେଦନ କଲେ ମଧ୍ୟ ଗୁହାରି ଶୁଣିବାକୁ କେହି ନାହାନ୍ତି । ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ ଓ ସାଂସଦ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ସମସ୍ୟା ଅବଗତ କରାଇଛନ୍ତି ପଦ୍ମିନୀ। ହେଲେ ଏନେଇ କେହି କର୍ଣ୍ଣପାତ କରି ନଥିବାରୁ ଶେଷରେ ଜିଲ୍ଲାପାଳଙ୍କ ନିକଟରେ ସହାୟତା ପାଇଁ ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ରୋଗଶଯ୍ୟାରେ ଘରର ଏକମାତ୍ର ରୋଜଗାରିଆ ମଣିଷ; ଚିକିତ୍ସା ପାଇଁ ସହାୟତା ଲୋଡୁଛନ୍ତି ପରିବାର

ତେବେ ତିନି ପିଲାଙ୍କ ସକାଳୁ ରାତି ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ବୃଦ୍ଧା ପଦ୍ମିନୀଙ୍କ କାନ୍ଧରେ ରହିଛି । ତେଣୁ ପିଲାଙ୍କ ଚକ୍ଷୁ ପରୀକ୍ଷା କରି ଅସ୍ତ୍ରୋପଚାର କରିବା ପାଇଁ ସେ ଗତ କିଛି ବର୍ଷ ହେବ ସରକାରଙ୍କୁ ନିବେଦନ କରି ଚାଲିଛନ୍ତି । ହେଲେ ସରକାରଙ୍କ ବିଭିନ୍ନ ଯୋଜନ ଥିବା ସତ୍ତ୍ବେ କୌଣସି ସୁଫଳ ମିଳିନ ଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ କ୍ଷୋଭ ପ୍ରକାଶ କରିଛନ୍ତି । ବହୁବାର ଆବେଦନ ପରେ ଗତ କିଛି ମାସ ହେବ ତିନି ପିଲାଙ୍କୁ ଭିନ୍ନକ୍ଷମ ଭତ୍ତା ମାସିକ ୫୦୦ ଟଙ୍କା ଲେଖାଏଁ ପଞ୍ଚାୟତରୁ ମିଳୁଛି। ହେଲେ ତିନି ପିଲାଙ୍କ ଆଖିର ଅସ୍ତ୍ରୋପଚାର କରିବା ପାଇଁ ଚାହୁଁଥିବାରୁ ଗତକାଲି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ନିଜର ଲିଖିତ ଅଭିଯୋଗ ଦାଖଲ କରିଥିଲେ । ଏଥିସହ ଜିଲ୍ଲାପାଳ ସ୍ଵଧା ଦେବ ସିଂ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଲାଲମୋହନ ରାଉତରାୟଙ୍କୁ ସମସ୍ୟା ଜଣାଇ ନିବେଦନ କରିଥିଲେ । ଅଭିଯୋଗ ମିଳିବା ପରେ ଜିଲ୍ଲାପାଳ ତାଙ୍କ ଘରକୁ ମେଡ଼ିକାଲ ଟିମ୍‌ ପଠାଇ ଅନୁଧ୍ୟାନ ସହ କିଭଳି ଭାବରେ ଚିକିତ୍ସା ସୁବିଧା ଉପଲବ୍ଧ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପଦ୍ମିନୀଙ୍କ ୩ ପିଲାଙ୍କ କେବେ ଚିକିତ୍ସା ହେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ରାୟଗଡା

Last Updated :Oct 5, 2023, 9:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.