ETV Bharat / state

ଶ୍ରୀମନ୍ଦିରରେ ଦେବୀଙ୍କ ପୀଠରେ ଆରମ୍ଭ ହେଲା ଷୋଡ଼ଶ ଦିନାତ୍ମକ ପୂଜା

author img

By ETV Bharat Odisha Team

Published : Oct 6, 2023, 2:27 PM IST

ଶ୍ରୀମନ୍ଦିରରେ ଦେବୀଙ୍କ ପୀଠରେ ଆରମ୍ଭ ହେଲା ଷୋଡ଼ଶ ଦିନାତ୍ମକ ପୂଜା
ଶ୍ରୀମନ୍ଦିରରେ ଦେବୀଙ୍କ ପୀଠରେ ଆରମ୍ଭ ହେଲା ଷୋଡ଼ଶ ଦିନାତ୍ମକ ପୂଜା

ଶ୍ରୀକ୍ଷେତ୍ରରେ ଆଜି(ଶୁକ୍ରବାର)ଠାରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣର ଷୋଡ଼ଶ ଦିନାତ୍ମକ ପୂଜା । ଶ୍ରୀମନ୍ଦିରରେ ଦେଵୀ ବିମଳାଙ୍କ ପୀଠ ସମେତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ଦେଵୀମାନଙ୍କ ପୀଠରେ ଆରମ୍ଭ ହୋଇଛି ଏହି ପୂଜା । ଆଗକୁ ପଢନ୍ତୁ

ଶ୍ରୀମନ୍ଦିରରେ ଦେବୀଙ୍କ ପୀଠରେ ଆରମ୍ଭ ହେଲା ଷୋଡ଼ଶ ଦିନାତ୍ମକ ପୂଜା

ପୁରୀ: ଶ୍ରୀକ୍ଷେତ୍ରରେ ଆଜି(ଶୁକ୍ରବାର)ଠାରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣର ଷୋଡ଼ଶ ଦିନାତ୍ମକ ପୂଜା । ଶ୍ରୀମନ୍ଦିରରେ ଦେଵୀ ବିମଳାଙ୍କ ପୀଠ ସମେତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ଦେବୀମାନଙ୍କ ପୀଠରେ ଆରମ୍ଭ ହୋଇଛି ଏହି ପୂଜା । ଗଜପତିଙ୍କ ଶ୍ରୀନହରରେ ଗଜପତିଙ୍କ ରାଜଗୁରୁ ବ୍ରାହ୍ମଣମାନଙ୍କୁ ବରଣ କରି ଶାରଦୀୟ ଦୁର୍ଗାପୂଜାର ଷୋଡ଼ଶ ଦିନାତ୍ମକ ପୂଜା ଶୁଭାରମ୍ଭ କରିଛନ୍ତି । ୧୬ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡ଼ିଆ ପ୍ରଦାନ କରି ବ୍ରାହ୍ମଣ ବରଣ କରିଛନ୍ତି ।

ଶାରଦୀୟ ଦୁର୍ଗାପୂଜା ପାଇଁ ଆଜି(ଶୁକ୍ରବାର)ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପାରମ୍ପରିକ ଷୋଡ଼ଶ ଦିନାତ୍ମକ ପୂଜା । ପରମ୍ପରା ଅନୁଯାୟୀ ମୂଳାଷ୍ଟମୀ ଅବସରରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଥାଏ । ଗଜପତିଙ୍କ ଶ୍ରୀନହରରୁ ଆରମ୍ଭ ହୋଇଥାଏ ଏହି ବିଧି । ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି ପୀଠ ଗୁଡ଼ିକରେ ଏହି ଷୋଡ଼ଶ ଦିନାତ୍ମକ ପୂଜା ପାଇଁ ଆଚାର୍ଯ୍ୟ ବରଣ କାର୍ଯ୍ୟ କରାଯାଇଛି । ତେବେ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇ ଆଶ୍ୱୀନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଅର୍ଥାତ ଷୋହଳ ଦିନ ଧରି ଏହି ପୂଜା କରାଯାଏ ।

ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ରାଜଗୁରୁ ଆଜି ୨୧ ଜଣ ବ୍ରାହ୍ମଣଙ୍କୁ ଡ଼ାକି ସେମାନଙ୍କୁ ବରଣ କରିବା ସହ ବସ୍ତ୍ର ଦାନ କରିଛନ୍ତି । ଏହି ଆଚାର୍ଯ୍ୟ ମାନେ ଆଜିଠାରୁ ଷୋଡ଼ଶ ଦିନାତ୍ମକ ପୂଜା ବିଧି ଅନୁଯାୟୀ ପୁରୀରେ ଥିବା ଶକ୍ତିପୀଠ ଗୁଡ଼ିକରେ ଚଣ୍ତିପାଠ, ଦୁର୍ଗା ଆରାଧନା ପ୍ରଭୃତି କରିବେ ।

ଏହାମଧ୍ୟ ପଢନ୍ତୁ.. Srimandir Rituals: ଆଜି ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ ନୀତି


ଏହି ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ଶ୍ରୀକ୍ଷେତ୍ରର କ୍ଷେତ୍ରାଶ୍ୱରୀ ଭାବେ ମାଆ ବିମଳାଙ୍କ ପୀଠରେ ଷୋଡ଼ଶ ପୂଜାବିଧି ଆରମ୍ଭ ହୋଇଛି । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ଭୁବନେଶ୍ୱରୀ, ବାଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ ଦକ୍ଷିଣ କାଳୀ, ଅଲାମଚଣ୍ତୀ ଓ ପଞ୍ଚମୁଖୀ ପୀଠରେ ମଧ୍ୟ ପାରମ୍ପରିକ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ କରାଯାଇଛି। ଗଜପତି ମହାରାଜଙ୍କ ରାଜଗୁରୁଙ୍କ କହିବାନୁଯାୟୀ, ମାଆଙ୍କର ଏହି ପାର୍ବଣ ପୂଜା ଜଗତର ମଙ୍ଗଳ ପାଇଁ କରାଯାଇଥାଏ ।

ଶାରଦୀୟ ପୂଜାପାଇଁ ଶ୍ରୀକ୍ଷେତ୍ରରେ ପୂଜାବିଧି ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିରରେ ବିଶେଷ କରି ଏହି ସମୟରେ ଦୁର୍ଗାମାଧବ ଉପାସନା ସହ ଗୁପ୍ତ ଗୁଣ୍ତିଚାର ବିଧି ମଧ୍ୟ ଅନୁଷ୍ଠିତ ହୋଇଥାଏ । ଅନ୍ୟପଟେ ଷୋଡଶ ଦିନାତ୍ମକ ଅବସରରେ ମା ବିମଳାଙ୍କ ଦର୍ଶନ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।


ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.