ETV Bharat / state

ଜୁନ ୪ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା; ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଏସପି

author img

By

Published : May 26, 2023, 5:20 PM IST

Updated : May 26, 2023, 5:49 PM IST

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ପୁରୀ ଏସପି । ଅଧିକ ପଢ଼ନ୍ତୁ

ଦେବସ୍ନାନ ପୂର୍ଣ୍ଣିମା ଲାଗି ସ୍ଥିତି ଅନୁଧ୍ୟାନ
sp reviews security system for debasnana purnima

ଦେବସ୍ନାନ ପୂର୍ଣ୍ଣିମା ଲାଗି ସ୍ଥିତି ଅନୁଧ୍ୟାନ

ପୁରୀ: ଜୁନ ୪ ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୁରୀ ଏସପି ବରିଷ୍ଠ ଅଭିଜ୍ଞ ଅଧିକାରୀଙ୍କ ସହ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ସହ ଜନଗହଳି ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ୫ଟି ଜୋନରେ ବିଭକ୍ତ କରାଯାଇଛି ।

ପୁରୀ ଏସପି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଏକ ବୈଠକ କରିବା ସହ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସ୍ନାନଯାତ୍ରା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ, ୨୦ ଜଣ ଅତିରିକ୍ତ ଏସପି, ୯୦ ଜଣ ବରିଷ୍ଠ ଦକ୍ଷ ଅଧିକାରୀ ଦାୟିତ୍ବରେ ରହିବେ । ଶ୍ରୀମନ୍ଦିର ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ମର୍ଚ୍ଚିକୋଟ ଛକ ଠାରୁ ଭକ୍ତଙ୍କ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯିବ । ସେହିପରି ମହାପ୍ରଭୁଙ୍କ ସ୍ନାନ ଯାତ୍ରା ନୀତିକାନ୍ତି କିଭଳି ଶୃଙ୍ଖଳିତ ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।



ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, "ସ୍ନାନ ଯାତ୍ରା ପାଇଁ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ ସବୁ କିଛି ହେବ । ଭକ୍ତଙ୍କ ଦର୍ଶନ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଆସନ୍ତା ଜୁନ 2ରେ ଶ୍ରୀମନ୍ଦିରରେ ଦଇତା ପ୍ରବେଶ ବିଧି ରହିଛି। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ସ୍ନାନ ଯାତ୍ରାର ନିତିକାନ୍ତି ଚୂଡାନ୍ତ ହୋଇଥିବା ବେଳେ ଆସନ୍ତା 29ରେ ହେବାକୁ ଥିବା ପରିଚାଳନା କମିଟି ବୈଠକ ଏହା ଅନୁମୋଦନ ହେବ । ଚୁଡାନ୍ତ ନୀତି ଅନୁଯାୟୀ ରାତ୍ର 3 ଟା 30ରେ ମଙ୍ଗଳାର୍ପଣ, 4ଟା ରୁ 6 ଟା ମଧ୍ଯରେ ପହଣ୍ଡି ଦିନ 12 ଟା 15 ରୁ 12ଟା 45 ମଧ୍ଯରେ ଛେରା ପହଁରା , 12ଟା 45 ରୁ 2ଟା 30 ଯାଏ ହାତୀ ବେଶ, ସାହାଣ ମେଳା ଦର୍ଶନ ସନ୍ଧ୍ୟା 6ଟା ରୁ ରାତି 9ଟା 30 ମଧ୍ୟରେ ହେବ। ରାତି 10ଟା ରୁ 1ଟା ଭିତରେ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ । ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ଵାର ବାରିକେଡ ଦେଇ ପ୍ରବେଶ ସହ ଆନନ୍ଦ ବଜାର ଦେଇ ସ୍ନାନ ମଣ୍ଡପ ନିକଟକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ।"


ତେବେ ସ୍ନାନବେଦୀ ସମ୍ମୁଖ ବଡ଼ଦାଣ୍ଡରେ ଏବେ ବି ନିର୍ମାଣ କାର୍ଯ୍ୟ ଜାରି ରହିଛି । ସ୍ନାନ ପୂର୍ଣ୍ଣିମା ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ତୁରନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ସାରିବାର ଆବଶ୍ୟକତା ରହିଥିବା ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି । ଜୁନ 30 ତାରିଖ ସୁଦ୍ଧା ସ୍ନାନ ବେଦୀ ସମ୍ମୁଖ ବଡ଼ ଦାଣ୍ଡ, ଶ୍ରୀମନ୍ଦିର ପରିକ୍ରମା ମାର୍ଗର ବାହ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ସରିଯିବ । ଫଳରେ ପର୍ଯ୍ୟାପ୍ତ ସ୍ଥାନ ମିଳିବ ଏବଂ ଭକ୍ତମାନେ ଭଲରେ ଯାତାୟତ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ପୁରୀ ଏସପି କେ ବିଶାଲ ସିଂହ କହିଛନ୍ତି, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ସୁପରିଚାଳନା ଏବଂ ସୁରକ୍ଷା ପୁରୀ ପୋଲିସର ମୁଖ୍ୟ ଦାୟିତ୍ଵ ରହିବ । ସ୍ଥାନୀୟ ଲୋକେ ଯେଭଳି ଯିବା ଆସିବାରେ ଅସୁବିଧା ନ ଭୋଗନ୍ତି ସେନେଇ ସ୍ଵତନ୍ତ୍ର ବ୍ୟବସ୍ଥା ହେବ ।



ଇଟିଭି ଭାରତ, ପୁରୀ

Last Updated :May 26, 2023, 5:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.