ETV Bharat / state

ସ୍ୱର୍ଗଦ୍ୱାରର ହରିଶ୍ଚନ୍ଦ୍ର ସହାୟତା ରାଶି ୪୦୦୦ ଟଙ୍କାକୁ ବୃଦ୍ଧି

author img

By

Published : Aug 2, 2023, 8:43 AM IST

ବଢିଲା ହରିଶ୍ଚନ୍ଦ୍ର ସହାୟତା ରାଶି
ବଢିଲା ହରିଶ୍ଚନ୍ଦ୍ର ସହାୟତା ରାଶି

ପୁରୀ ସ୍ୱର୍ଗଦ୍ୱାରର ହରିଶ୍ଚନ୍ଦ୍ର ସହାୟତା ରାଶି ୪୦୦୦ ଟଙ୍କାକୁ ବୃଦ୍ଧି । ପୂର୍ବରୁ ୩ ହଜାର ଟଙ୍କା ସହାୟତା ମିଳୁଥିଲା । ଅଧିକ ପଢନ୍ତୁ


ପୁରୀ: ବଢିଲା ହରିଶ୍ଚନ୍ଦ୍ର ସହାୟତା ରାଶି । ପୁରୀ ସ୍ବର୍ଗଦ୍ବାରରେ ମୃତଦେହ ଦାହ ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ମିଳୁଥିବା ସହାୟତା ରାଶି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ହରିଶ୍ଚନ୍ଦ୍ର ସହାୟତା ୩ ହଜାର ଟଙ୍କାରୁ ୪ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଏହା ସୋମବାର ମଧ୍ୟରାତ୍ରରୁ ଲାଗୁ ହୋଇଛି । ଏହାସହିତ ସ୍ଵର୍ଗଦ୍ଵାର ସେବା କେନ୍ଦ୍ରରୁ ସେବା ନେଇଥିବା ବ୍ୟକ୍ତିମାନଙ୍କ ରେଜିଷ୍ଟ୍ରେଡ ମୋବାଇଲ ନମ୍ବରକୁ ଏସଏମଏସ ମାଧ୍ୟମରେ ବାର୍ତ୍ତା ପଠାଇବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଯାହାଫଳରେ ଯଦି କେହି ତାଙ୍କ ରସିଦ ହଜାଇ ଦେଇଥାନ୍ତି ତେବେ ରେଜିଷ୍ଟ୍ରେସନ ନମ୍ବର ଦେଖାଇ ପୁଣି ସହଜରେ ଡୁପ୍ଲିକେଟ ରସିଦ ପାଇପାରିବେ ।

ହରିଶ୍ଚନ୍ଦ୍ର ସହାୟତାରେ ଜଣେ ବ୍ୟକ୍ତିବିଶେଷ ଦାହ କାର୍ଯ୍ୟ ପାଇଁ ପୂର୍ବରୁ ଦେଢ଼ କ୍ବିଣ୍ଟାଲ କାଠ ପାଉଥିବା ବେଳେ ଏବେ ଏହାକୁ ବୃଦ୍ଧି କରି ୧ କ୍ବିଣ୍ଟାଲ ୮୦ କେଜି କରାଯାଇଛି । ସେହିପରି ପଥ ଶ୍ରାଦ୍ଧ ସାମଗ୍ରୀ ମଧ୍ୟ ହରିଶ୍ଚନ୍ଦ୍ର ସହାୟତା ରାଶିରେ ଅନ୍ତର୍ଭୁକ୍ତ କରାଯାଇଛି । ସଂସ୍କାର ସାମଗ୍ରୀରେ ଘିଅ ପରିମାଣ ବୃଦ୍ଧି କରି ୨୦୦ ଗ୍ରାମରୁ ୩୦୦ ଗ୍ରାମ କରାଯାଇଛି । ମୃତଦେହ ସଂସ୍କାର ପାଇଁ ଆସୁଥିବା ବ୍ୟକ୍ତି କାଠ ବୋହିକି ନେବା ପାଇଁ ପୂର୍ବରୁ କେବଳ ଟ୍ରଲି ବ୍ୟବସ୍ଥା ଥିଲା । ଏହି ବ୍ୟବସ୍ଥାରେ ସୁଧାର ଆଣି କାଠ ବୋହିବା ପାଇଁ ୭ ଜଣ ପରିବହନ ସେବକ ମୁତୟନ କରାଯାଇଛି । ଏମାନେ ଦାହ ସଂସ୍କାର ସ୍ଥାନକୁ ଟ୍ରଲି ସାହାଯ୍ୟରେ କାଠ ବୋହି ନେବେ ।

ଏହାମଧ୍ୟ ପଢନ୍ତୁ: Banakalagi Ritual: ଆସନ୍ତା 9 ତାରିଖ ବୁଧବାର ହୋଇପାରେ ବନକଲାଗି ନୀତି

ଦାହ ସଂସ୍କାର କରୁଥିବା ସେବକମାନଙ୍କୁ ବୀମା ଅନ୍ତର୍ଭୁକ୍ତ କରିବା ସହିତ ସେମାନଙ୍କୁ ବିବାହ ଓ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି ବୋଲି ସ୍ଵର୍ଗଦ୍ଵାର ସେବା ସମିତି ଆବାହକ ସମ୍ପାଦକ ତଥା ଉପଜିଲ୍ଲାପାଳ ଭବତାରଣ ସାହୁ ଜଣାଇଛନ୍ତି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସ୍ଵର୍ଗଦ୍ଵାର ସଂସ୍କାର କାର୍ଯ୍ୟ ଜାରି ରହିଥିବା ବେଳେ ଏହାର ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସ୍ଵର୍ଗଦ୍ଵାର ସେବା ସମିତି ପକ୍ଷରୁ ପ୍ରତ୍ୟେକ ଦିନ କିଛି ନା କିଛି ନୂତନ ବ୍ୟବସ୍ଥା ଲାଗୁ କରାଯାଉଛି । ଖୁବଶୀଘ୍ର ସ୍ଵର୍ଗଦ୍ଵାର ସେବା ସମିତି ପକ୍ଷରୁ ଆପ୍ ଓ ୱେବସାଇଟ୍ ଲଞ୍ଚ ପାଇଁ ବ୍ୟବସ୍ଥା ହେଉଛି ବୋଲି ସମିତିର କାର୍ଯ୍ୟକାରୀ ସଦସ୍ୟ ସିଦ୍ଧାର୍ଥ ରାୟ କହିଛନ୍ତି ।

ପ୍ରକାଶଥାଉ କି, ସ୍ଵର୍ଗଦ୍ଵାରକୁ ଦାହ ସଂସ୍କାର ପାଇଁ ଆସୁଥିବା ବ୍ୟକ୍ତିବିଶେଷମାନଙ୍କୁ ଶୋଷଣ ମୁକ୍ତ ଓ ବାଧା ରହିତ ବ୍ୟବସ୍ଥା ଦେବା ପାଇଁ ସ୍ଵର୍ଗଦ୍ଵାର ସେବା ସମିତି ପକ୍ଷରୁ ବିଭିନ୍ନ ପ୍ରକାର ସେବାର ବ୍ୟବସ୍ଥା କରାଯାଇଛି । ସ୍ଵର୍ଗଦ୍ଵାର ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ପୁରୀ ମ୍ୟୁନିପାଲିଟି ଠାରୁ ସ୍ଵର୍ଗଦ୍ଵାର ସେବା ସମିତି କାର୍ଯ୍ୟଭାର ହାତକୁ ନେଇ ଏହାର ପରିଚାଳନା ଓ ବିକାଶ ପାଇଁ କାର୍ଯ୍ୟ କରି ଉଚ୍ଚପ୍ରସଂଶିତ ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.