ETV Bharat / state

ଆଜି କାଳିଆ ସାଆନ୍ତେଙ୍କ ନବାଙ୍କ ବେଶ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

author img

By

Published : Jan 13, 2023, 9:51 AM IST

Updated : Jan 13, 2023, 2:21 PM IST

ମହାପ୍ରଭୁଙ୍କ ନବାଙ୍କ ବେଶ
ମହାପ୍ରଭୂ ଙ୍କ ନବାଙ୍କ ବେଶ

ଆସନ୍ତାକାଲି(ଶନିବାର) ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ପୂର୍ବରୁ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ । ଅଧିକ ପଢ଼ନ୍ତୁ

ମହାପ୍ରଭୁଙ୍କ ନବାଙ୍କ ବେଶ

ପୁରୀ: ଶ୍ରୀମନ୍ଦିରରେ ବର୍ଷକ ବାର ମାସରେ ତେର ପର୍ବ ପାଳନ କରାଯାଏ । ବର୍ଷ ତମାମ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ନାନାଦି ବେଶ କରାଯାଉଥିବା ବେଳେ ଆଜି (ଶୁକ୍ରବାର) ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଆସନ୍ତାକାଲି(ଶନିବାର) ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ମହାପ୍ରଭୁଙ୍କ ନବାଙ୍କ ବେଶ କରାଯାଇଥାଏ । ଆଜି ସନ୍ଧ୍ୟା ଆଳତି ବେଶରେ ମାଳଚୂଳ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ ଠାକୁର ମାନଙ୍କୁ ଚାଉଳ ମେଳାଣ ଓ ଫୁଲ ମେଳାଣ ଲାଗି କରାଯିବ ।

ନବାଙ୍କ ବେଶ କଣ: ଆଜି(ଶୁକ୍ରବାର) ବଡ଼ସିଂହାର ବେଶରେ ସୋଲ ଓ ଜରି, କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ, ଚକ୍ର,ହଳ,ମୁଷଳ,କୁଣ୍ଡଳ ଇତ୍ୟାଦି ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କୁ ଲାଗି କରାଯାଇଥାଏ । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଯଥାକ୍ରମେ ସୋଲ ନିର୍ମିତ ମକର କୁଣ୍ଡଳ ଓ ଶଙ୍ଖ,ଚକ୍ର,ହଳ,ମୁଷଳ ଇତ୍ୟାଦି ଧାରଣ କରିଥାନ୍ତି । ସୋଲ, ଜରି,ଏବଂ ଗେଣ୍ଡୁଫୁଲରୁ ପ୍ରସ୍ତୁତ କରାଯାଇଥିବା ଅଳଙ୍କାରେ ମହାପ୍ରଭୁଙ୍କର ଯେଉଁ ବେଶ କରାଯାଏ ତାହା ନବାଙ୍କ ବେଶ ରୂପେ ପରିଚିତ ।

ସେପଟେ ଏହି ଦୁର୍ଲଭ ବେଶପାଇଁ ବଡ ଓଡିଆ ମଠ ତରଫରୁ ୧୬ ହାତ ବିଶିଷ୍ଟ ଗେଣ୍ଡୁମାଳା ସହ ଅନେକ ଗେଣ୍ଡୁମାଳା ପ୍ରସ୍ତୁତ କରାଯାଇଥାଏ । ନବାଙ୍କ ବେଶରେ ଠାକୁରମାନଙ୍କ ଶିରରୁ ରତ୍ନସିଂହାସନ ଚଟାଣ ଯାଏଁ ଗେଣ୍ଡୁଫୁଲର ମାଳରେ ସୁସଜ୍ଜିତ କରାଯାଏ । ବଡ଼ସିଂହାର ବେଶରେ ଦେବତାମାନଙ୍କୁ ଅଳଙ୍କୃତ କରୁଥିବା ଚିତା,ଗୁଣା,କରପଲ୍ଲବ,ଅଧରମାଳା ଓ ଶ୍ରୀପୟର ମାଳା ମଧ୍ୟ ପ୍ରଧାନତଃ ଗେଣ୍ଡୁ ଫୁଲରେ ନିର୍ମିତ ହୋଇଥାଏ । ହୃଦ ପଦକରେ ଗେଣ୍ଡୁ ଫୁଲ ସହିତ ଗୋଲାପ ଫୁଲର ସମ୍ମିଶ୍ରଣ ଘଟିଥାଏ ।

ସାଧାରଣ ଦିନ ମାନଙ୍କରେ ଚତୁର୍ଦ୍ଧାବିଗ୍ରହଙ୍କ ଠାରେ ଚାରି ପାଞ୍ଚଟି ମାଳ ଲାଗୁଥିବା ବେଳେ ନବାଙ୍କ ବେଶରେ ଦଶ ପନ୍ଦରଟି ମାଳ ଲାଗିହୁଏ । ଏହି ଦିନ ଲାଗୁଥିବା ଶିର ଭୂଷଣ ଓ ଟୋପର ଗୁଡିକ ତୁଳସୀପତ୍ରଦ୍ୱାରା ପ୍ରସ୍ତୁତ ହୋଇଥାଏ ଏବଂ ସେହି ଟୋପର ଉପରେ ଗେଣ୍ଡୁଫୁଲର ମାଳା ଗୁଡା ଯାଇଥାଏ । ମହାପ୍ରଭୁଙ୍କ ନବାଙ୍କ ବେଶର ଦର୍ଶନ କରିବା ପାଇଁ ଶ୍ରୀମନ୍ଦରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ ।

ମକର ସଂକ୍ରାନ୍ତି ପୂର୍ବଦିନ ଅନୁଷ୍ଠିତ ହେଉଥିବା ଏହି ବେଶରେ ବହୁଳ ଭାବରେ ଗେଣ୍ଡୁ ଫୁଲ ବ୍ୟବହାର ହେଉଥିବା କାରଣ ହେଉଛି ଏହି ସମୟରେ ଅଧିକ ଗେଣ୍ଡୁଫୁଲ ମିଳେ । ନବାଙ୍କ ବେଶ ସହିତ ନବାଙ୍କ ବେଢାର ମଧ୍ୟ ତାତ୍ପର୍ଯ୍ୟ ରହିଛି । ଆଜି ବଡ଼ ସିଂହାର ଭୋଗ ପରେ ମଦନମୋହନ ଦକ୍ଷିଣ ଘରୁ ବିଜେ କରି ରତ୍ନସିଂହାସନକୁ ଆସନ୍ତି । ସେଠାରୁ ଆଜ୍ଞାମାଳ ପାଇ ରତ୍ନ ସିଂହାସନକୁ ସାଢେ ଚାରିଥର ପ୍ରଦକ୍ଷଣ କରି ବଟମୂଳେ ଥିବା ପାଲିଙ୍କିରେ ବିଜେ କରି ଦେଉଳ ଚାରିପାଖକୁ ସାଢେ ଚାରିଥର ପ୍ରଦକ୍ଷିଣ କରନ୍ତି ।

ବ୍ୟରୋ ରିପୋର୍ଟ, ଇଟିଭି ଭରତ

Last Updated :Jan 13, 2023, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.