ETV Bharat / state

ସରକାରୀ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ ଅନ୍ତର୍ଯ୍ୟାମୀ, ଦୁଃଖ ଶୁଣିବାକୁ କେହି ନାହିଁ

author img

By ETV Bharat Odisha Team

Published : Oct 6, 2023, 8:37 PM IST

ସରକାରୀ ଯୋଜନା ଆଢ଼ୁଆଳରେ ଦିବ୍ୟାଙ୍ଗ
ସରକାରୀ ଯୋଜନା ଆଢ଼ୁଆଳରେ ଦିବ୍ୟାଙ୍ଗ

ସରକାରୀ ଯୋଜନା ଠାରୁ ବହୁ ଦୂରରେ ଦିବ୍ୟାଙ୍ଗ । ସରକାର ମାଳ ମାଳ ଯୋଜନା କରୁଥିବା ବେଳେ ଏହାର ଛାଇ ମଧ୍ୟ ପଡ଼ିପାରିନି ଦିବ୍ୟାଙ୍ଗଙ୍କ ଉପରେ । ତେବେ ଏଭଳି ଜଣେ ବୃଦ୍ଧ ଦିବ୍ୟାଙ୍ଗ ହେଉଛନ୍ତି ନୂଆପଡା ଜିଲ୍ଲାର ଅନ୍ତର୍ଯ୍ୟାମୀ ଯୋଶୀ ।

ସରକାରୀ ଯୋଜନା ଆଢ଼ୁଆଳରେ ଦିବ୍ୟାଙ୍ଗ

ନୂଆପଡା: ସରକାରୀ ଯୋଜନା ଠାରୁ ବହୁ ଦୂରରେ ଦିବ୍ୟାଙ୍ଗ । ସରକାର ମାଳ ମାଳ ଯୋଜନା କରୁଥିବା ବେଳେ ଏହାର ଛାଇ ମଧ୍ୟ ପଡ଼ିପାରିନି ଦିବ୍ୟାଙ୍ଗଙ୍କ ଉପରେ । ବୃଦ୍ଧ ବୟସରେ ସାହାରା ବୋଲି କେହି ନଥିବା ବେଳେ ଭିକ୍ଷା ବୃତ୍ତି କରି ଚଳୁଛନ୍ତି । ଆମେ କହୁଛୁ ନୂଆପଡା ଜିଲ୍ଲାର ଅନ୍ତର୍ଯ୍ୟାମୀ ଯୋଶୀଙ୍କ କଥା । ସରକାରୀ ସହାୟତା କହିଲେ କିଛି ନାହିଁ । ତାଙ୍କ ପାଖକୁ ଯେମିତି ବାଟ ଭୁଲିଛି ସବୁ ଯୋଜନା ।

ତେବେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁର ବୃଦ୍ଧ ଦିବ୍ୟାଙ୍ଗ ଅନ୍ତର୍ଯ୍ୟାମୀ ଯୋଶୀ । ଅନ୍ତର୍ଯ୍ୟାମୀଙ୍କ ଦୁଇଗୋଡ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି । ଅନ୍ୟପକ୍ଷେ ଡାହାଣ ଆଖି ମଧ୍ୟ ହରାଇଛନ୍ତି । କେବଳ ଗୋଟିଏ ଆଖି ଅଳ୍ପ ଦେଖାଯାଉଥିବା ବେଳେ ପେଟକୁ ଦାନା ଯୋଗାଡ଼ ପାଇଁ ଘୋଷାରି ହୋଇ ଗାଁଦାଣ୍ଡରେ ବୁଲି ବୁଲି ଭିକ୍ଷା ବୃତ୍ତିକୁ ଆପଣେଇ ନେଇଛନ୍ତି । ମୁଣ୍ଡ ଗୁଞ୍ଜିବା ପାଇ ଘର ଖଣ୍ଡିଏ ନାହିଁ କି ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଉ ନାହାଁନ୍ତି ଦିବ୍ୟାଙ୍ଗ । ଅନ୍ତର୍ଯ୍ୟାମୀ ଭୋକ ଉପାସରେ ଦିନ କାଟୁଛନ୍ତି । ପାଖ ପଡୋଶୀ, ଗାଁ ଲୋକେ ଯାହା କିଛି ଖାଦ୍ୟ ପୋଷାକ ଦିଅନ୍ତି ସେତିକିରେ ଦୁଃଖ କଷ୍ଟରେ ଚଳିଯାଆନ୍ତି ଏହି ବୃଦ୍ଧ । ତେବେ ଦିନେ କି ଦୁଇ ଦିନ ନୁହେଁ ବରଂ ଦୀର୍ଘ 10 ବର୍ଷ ହେବ ଏଭଳି ଘୋଷାରି ଘୋଷାରି ଚାଲୁଛନ୍ତି ବୃଦ୍ଧ ଅନ୍ତର୍ଯ୍ୟାମୀ ।

ଏହା ମଧ୍ୟ ପଢ଼ନ୍ତୁ...ଦିବ୍ୟାଙ୍ଗ ଜାଁଆଳା ଭାଇ; ସ୍ୱାଭିମାନୀ ଜୀବନ ଯାତ୍ରାର ସାରଥୀ, ହସି ହସି ସହୁଛନ୍ତି ଝଡଝଞ୍ଜା

ତେବେ ବାରମ୍ବାର ସରକାରୀ ସହାୟତା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜର ଅସୁବିଧା ବିଷୟରେ ଜଣାଇଛନ୍ତି । ହେଲେ ଏହି ଦିବ୍ୟାଙ୍ଗ ବୃଦ୍ଧଙ୍କ ପ୍ରତି ଗ୍ରାମପଞ୍ଚାୟତ, ବ୍ଲକ କିମ୍ବା ଜ଼ିଲ୍ଲା ପ୍ରଶାସନର ଦୃଷ୍ଟି ପଡ଼ିନାହିଁ । ଆବାସ ଗୃହ, ରାସନ କାର୍ଡ, ଦିବ୍ୟାଙ୍ଗ ଭତ୍ତା ଭଳି କୌଣସି ମଧ୍ୟ ସରକାରୀ ସୁବିଧା ପାଉ ନାହାନ୍ତି ଅନ୍ତର୍ଯ୍ୟାମୀ । ସରକାରୀ ଯୋଜନା ତାଙ୍କ ପାଇଁ ସାତ ସପନ ପାଲଟିଛି । ତେବେ ତୁରନ୍ତ ସରକାର ଦିବ୍ୟାଙ୍ଗ ଅନ୍ତର୍ଯ୍ୟାମୀ ଯୋଶୀଙ୍କ ପ୍ରତି ସଦୟ ହୋଇ ସରକାରୀ ସହାୟତା ଓ ସୁରକ୍ଷା ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହେଉଛି । ଅନ୍ୟପକ୍ଷେ ସ୍ଥାନୀୟ ସରପଞ୍ଚଙ୍କ ସହିତ ଆଲୋଚନା କରି ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ନେଇ ପ୍ରତିଶୃତି ଦେଇଛନ୍ତି ଖଡ଼ିଆଳ ବ୍ଲକ ବିଡ଼ିଓ ବିରସେନ ବେହେରା ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.