ETV Bharat / state

ଓଡ଼ିଶା ରଣଜୀ ଦଳରୁ ଇଂଲଣ୍ଡ କ୍ରିକେଟ କ୍ଲବ୍: ଚର୍ଚ୍ଚାରେ ନୂଆପଡ଼ାର କ୍ରିକେଟର ପ୍ରୟାସ ସିଂହ

author img

By

Published : Apr 10, 2023, 8:29 PM IST

ଓଡ଼ିଶା ରଣଜୀରୁ ଇଂଲଣ୍ଡର ଏକ କ୍ରିକେଟ କ୍ଲବ ପାଇଁ ଯାଇଛନ୍ତି ନୂଆପଡ଼ାର ଯୁବ କ୍ରିକେଟର ପ୍ରୟାସ ସିଂହ ଠାକୁର । ନିଜର ସ୍କିଲ ଡେଭଲପ ସହ ପ୍ରଶିକ୍ଷଣ ନେବା ପାଇଁ ଇଂଲଣ୍ଡର ସ୍କେଲମେନଥ୍ରୋପ କ୍ରିକେଟ କ୍ଲବ ପାଇଁ ଚୟନ ହୋଇଛନ୍ତି ପ୍ରୟାସ । ଅଧିକ ପଢ଼ନ୍ତୁ

କ୍ରିକେଟ ଖେଳିବାକୁ ଇଂଲଣ୍ଡ ଯିବେ ଓଡ଼ିଶା ରଣଜୀ ଖେଳାଳି ପ୍ରୟାସ
କ୍ରିକେଟ ଖେଳିବାକୁ ଇଂଲଣ୍ଡ ଯିବେ ଓଡ଼ିଶା ରଣଜୀ ଖେଳାଳି ପ୍ରୟାସ

କ୍ରିକେଟ ଖେଳିବାକୁ ଇଂଲଣ୍ଡ ଯିବେ ଓଡ଼ିଶା ରଣଜୀ ଖେଳାଳି ପ୍ରୟାସ

ନୂଆପଡ଼ା: ଦୃଢ ମନୋବଳ, କଠିନ ପରିଶ୍ରମ ଓ ଇଚ୍ଛାଶକ୍ତି ଥିଲେ ସଫଳତା ଆପେ ଆପେ ମିଳିଥାଏ ବୋଲି କୁହାଯାଏ । ଠିକ ସେହିଭଳି ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟିବାରେ ଲାଗିଛନ୍ତି ନୂଆପଡ଼ାର ଯୁବ କ୍ରିକେଟର ପ୍ରୟାସ ସିଂହ ଠାକୁର । ସେ ନିଜ ପରିଶ୍ରମ ବଳରେ ଅନେକ ରାଜ୍ୟ ତଥା ରାଜ୍ୟ ବାହାରେ ସଫଳ କ୍ରିକେଟ ଖେଳିବା ସହ ରଣଜୀ ଖେଳି ଓଡିଶା ତଥା ନୂଆପଡା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏବେ ନିଜର ସ୍କିଲ ଡେଭଲପ ସହ ପ୍ରଶିକ୍ଷଣ ନେବା ପାଇଁ ଇଂଲଣ୍ଡର ସ୍କେଲମେନଥ୍ରୋପ କ୍ରିକେଟ କ୍ଲବ ପାଇଁ ଚୟନ ହୋଇଛନ୍ତି ପ୍ରୟାସ । ତେବେ ନଜର ପକାନ୍ତୁ କ୍ରିକେଟର ପ୍ରୟାସ ସିଂହ ଠାକୁରଙ୍କ କ୍ୟାରିୟର ଉପରେ ।

ନୂଆପଡା ସଦର ଏନ୍‌ଏସି ୩ ନମ୍ବର ୱାର୍ଡ ଠାକୁର ସାହିର ୨୯ ବର୍ଷୀୟ ଯୁବକ ହେଉଛନ୍ତି ପ୍ରୟାସ ସିଂହ ଠାକୁର । ତେବେ ତାଙ୍କର ପିଲାଟିଦିନରୁ କ୍ରିକେଟ ଖେଳ ପ୍ରତି ଆଗ୍ରହ ରହିଥିଲା । ନୂଆପଡା ଶିଶୁ ମନ୍ଦିରରେ ପ୍ରାଥମିକ ଓ ନ୍ୟାସନାଲ ହାଇସ୍କୁଲ ନୂଆପଡାରୁ ମାଟ୍ରିକ ପାଠ ଶେଷ କରି କଟକ ରେଭେନ୍ସାରୁ ସେ ସ୍ନାତକ ହାସଲ କରିଥିଲେ । ତେବେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବାବେଳରୁ ହିଁ ସେ ପ୍ରଥମେ ଡ୍ୟୁଜ୍ ବଲରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ପରେ ନୂଆପଡା ୟୁଥମାସ କ୍ରିକେଟ କ୍ଲବରେ ସଫଳତା ପରେ ଜିଲ୍ଲା ଟିମ ତରଫରୁ କଟକ ବାରବାଟି ପଡିଆରେ କ୍ରିକେଟ ଖେଳିବାର ସୁଯୋଗ ପାଇଥିଲେ ପ୍ରୟାସ । ଏହାପରେ ୨୦୧୦ ମସିହାରେ ଓଡିଶା ଟିମ ତରଫରୁ ଅଣ୍ଡର 16ରେ ସଫଳ ଖେଳ ପ୍ରଦର୍ଶନ କରିଥିଲେ ।

୨୦୧୬ରୁ ୨୦୨୩ ଯାଏଁ ରଣଜୀ ଖେଳିଛନ୍ତି ଓ ସଫଳତା ସହ ଶତକ ମଧ୍ୟ ହାସଲ କରି ଜଣେ ସଫଳ କ୍ରିକେଟର ଭାବରେ ନିଜ ପରିଚୟ ସୃଷ୍ଟି କରିଛନ୍ତି ପ୍ରୟାସ । ନିଜ କ୍ୟାରିୟରକୁ ଗଢି ତୋଳିବା ସହ ଜାତୀୟ ସ୍ତରରେ ଖେଳାଳି ହେବା ଆଶା ନେଇ ପ୍ରଶିକ୍ଷଣ ସହ ଇଂଲଣ୍ଡର ଲିଗ ମ୍ୟାଚ ଖେଳିବା ପାଇଁ ସେ ୫ ମାସ ପାଇଁ ଇଂଲଣ୍ଡର ସ୍କେଲମେନଥ୍ରୋପ କ୍ରିକେଟ କ୍ଲବ ପାଇଁ ଚୟନ ହୋଇଛନ୍ତି । ନୂଆପଡା ମାଟିର ଏହି ଯୁବ କ୍ରିକେଟ ଖେଳାଳୀ ନିଜ ପରିବାରର ଅଭାବ ଅନାଟନ ଲାଗି ରହିଥିଲେ ହେଁ କ୍ରିକେଟ ଖେଳ ପ୍ରତି ଅବହେଳା କରିନାହାନ୍ତି । ସେ ଖରା, ବର୍ଷା, ଶୀତ କାକାରକୁ ଖାତିର ନକରି ନୂଆପଡା ମିନି ଷ୍ଟାଡିୟମରେ ସକାଳ ଓ ସନ୍ଧ୍ୟା ସମୟରେ ନିଜ ଅଭ୍ୟାସ ଜାରି ରଖିଛନ୍ତି । ଏହା ବ୍ୟତୀତ ସେ ନୂଆପଡାରେ କ୍ରିକେଟ ଏକାଡେମୀ କୋଚିଂ ସେଣ୍ଟର ଗଠନ କରି ନୂଆପଡା ଯୁବ ଖେଳାଳି ମାନଙ୍କୁ କ୍ରିକେଟ ଖେଳ ଉପରେ ପ୍ରଶିକ୍ଷଣ ଦେଉଛନ୍ତି ।

ଯୁବ କିକ୍ରେଟର ପ୍ରୟାସ ସିଂହ ଠାକୁର ରଣଜୀ ଖେଳିବା ସହ ଓପିଏଲ (ଓଡ଼ିଶା ପ୍ରିମିୟର ଲିଗ) ମଧ୍ୟ ଖେଳିଛନ୍ତି । ସେହିଭଳି ମୁସ୍ତାକ ଅଲି ଟ୍ରଫି ପାଇଁ ଓଡିଶାରେ ଖେଳିଛନ୍ତି । ଏହା ବ୍ୟତୀତ ରାଜ୍ୟ ବାହାରେ ଅନେକ କ୍ରିକେଟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ କ୍ୟାରିୟରରେ ୧୪ଟି ଶତକ ଓ ୪୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । କ୍ରିକେଟ ଖେଳରେ ଆଗକୁ ବଢ଼ିବା ପାଇଁ ସେ ଇଂଲଣ୍ଡ କ୍ରିକେଟ ବୋର୍ଡରେ ପ୍ରଶିକ୍ଷଣ ପାଇଁ ଚଳିତ ବର୍ଷ ଆବେଦନ କରିଥିଲେ । ତାଙ୍କ କ୍ୟାରିୟରକୁ ଦେଖି ECB ମଧ୍ୟ ତାଙ୍କୁ ଚୟନ କରିଛନ୍ତି । ତେବେ ଗତ ୮ ତାରିଖ ଦିନ ସେ ନୂଆପଡାରୁ ହାଇଦ୍ରାବାଦ ଅଭିମୁଖେ ବାହାରିଛନ୍ତି । ୧୧ ତାରିଖରେ ହାଇଦ୍ରାବାଦରୁ ଇଂଲଣ୍ଡ ଅଭିମୁଖେ ବାହାରିବେ । ସେ ଭବିଷ୍ୟତରେ ଜାତୀୟସ୍ତରର ଖେଳାଳୀ ହେବା ସହ ଦେଶର ନାଁ କରିବେ ବୋଲି ସଂକଳ୍ପ ନେଇଥିବା କହିଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.