ETV Bharat / state

ଯନ୍ତାରେ ପଡିଲା ନୂଆପଡାର ମଣିଷଖିଆ ବାଘ; ୫ ଦିନ ହେଲା ଖେଲାଇଥିଲା ଆତଙ୍କ

author img

By ETV Bharat Odisha Team

Published : Nov 5, 2023, 8:59 AM IST

Updated : Nov 5, 2023, 10:54 AM IST

ଯନ୍ତାରେ ପଡିଲା ମଣିଷଖିଆ ବାଘ
ଯନ୍ତାରେ ପଡିଲା ମଣିଷଖିଆ ବାଘ

ଯନ୍ତାରେ ପଡିଲା ନୂଆପଡାର ମଣିଷଖିଆ ବାଘ । ଜଣକ ପରେ ଜଣକୁ ଝାମ୍ପି ନେଇ ଆତଙ୍କ ଖେଳାଇଥିଲା । ଅଧିକ ପଢ଼ନ୍ତୁ

ଯନ୍ତାରେ ପଡିଲା ନୂଆପଡାର ମଣିଷଖିଆ ବାଘ

ନୂଆପଡା: ୫ ଦିନ ହେଲାଣି ଜଣକ ପରେ ଜଣକୁ ଝାମ୍ପି ନେଇ ମାରି ଖାଉଥିଲା । ଶେଷରେ ଯନ୍ତାରେ ପଡିଲା ନୂଆପଡାର ମଣିଷଖିଆ ବାଘ । କଲରାପତରିଆ ବାଘକୁ ଧରିବା ପାଇଁ ବନ ବିଭାଗର ଆପ୍ରାଣ ଉଦ୍ୟମ ପରେ କାଲି(ଶନିବାର) ମଧ୍ୟରାତିରେ ସେ ଯନ୍ତାରେ ପଡ଼ିଛି । ତେବେ ବାଘ ଧରାପଡ଼ିବା ପରେ ତାକୁ ମାରିଦେବାକୁ ଗାଁ ଲୋକେ ଚାହୁଁଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଛି ।

ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ସ୍ଥିତ କଟିଙ୍ଗପାଣି, ସିଲିଆରିବାହାରା, କୋଦୋପାଲି ଗାଁରେ ଗତ ୫ ଦିନ ଧରି ଆତଙ୍କ ଖେଳାଇଥିଲା କଲରାପତରିଆ ବାଘ । ଶେଷରେ ରାତି ଅଧରେ ବନ ବିଭାଗ ଏବଂ ସୁନାବେଡା ଅଭୟାରଣ୍ୟ ବନ୍ୟଜନ୍ତୁ ସୁରକ୍ଷା ବିଭାଗର ଆପ୍ରାଣ ଉଦ୍ୟମରେ ବାଘ ଯନ୍ତା ସାହାଯ୍ୟରେ ଧରାପଡିଛି । ଅପରପକ୍ଷେ ମଣିଷଖିଆ ବାଘକୁ ଜୀବନରୁ ମାରି ଫିଙ୍ଗି ଦେବାକୁ କୋଦୋପାଲି ଗାଁଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି । ଘଟଣାସ୍ଥଳରେ ନୂଆପଡ଼ା ଧରମବନ୍ଧା ପୋଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି ।

ଏହାମଧ୍ୟ ପଢନ୍ତୁ: ବାଘ ଆତଙ୍କରେ ଛାନିଆ ନୂଆପଡ଼ାବାସୀ: ପୁଣି ଜଣେ ନାବାଳକକୁ ଝାମ୍ପିଲା ବାଘ


ସୂଚନା ମୁତାବକ, ପାଞ୍ଚ ଦିନ ହେବ ନୂଆପଡ଼ା ଜିଲ୍ଲାରେ କଲରାପତରିଆ ବାଘ ଆତଙ୍କିତ ଖେଳାଉଥିଲା । ଗୋଟିଏ ପରେ ଗୋଟିଏ ଗାଁରେ ଲୋକଙ୍କୁ ଝାମ୍ପି ମାରି ଖାଉଥିଲା ବାଘ । ବିଗତ ବର୍ଷରୁ ବାଘ ଏକାଧିକ ଘଟଣା ଘଟାଇ ଥିବାବେଳେ, ଚଳିତ ବର୍ଷ ପ୍ରଥମେ କଟିଙ୍ଗପାଣି ଗାଁରୁ ବାଘ ଆକ୍ରମଣ ଆରମ୍ଭ କରିଥିଲା । କଟିଙ୍ଗପାଣି ଗାଁର ସୁମନ ଧରୁଆଙ୍କ ୮ ବର୍ଷର ପୁଅ ଡମ୍ବୁ ଧରୁଆ ଏବଂ ଅର୍ଜୁନ ଧରୁଆଙ୍କ ଗାଈକୁ ବାଘ ଝାମ୍ପି ନେଇ ମାରି ଖାଇଥିଲା । ଘଟଣା ଘଟିବାର ୨ ଦିନ ପରେ ପୁଣି ସିଲିଆରିବାହାରା ଗାଁର ତୁଲାରମ ମାଝୀଙ୍କ ସ୍ତ୍ରୀ ତଥା ପୂର୍ବତନ ୱାର୍ଡମେମ୍ବର ରାମେଶ୍ୱରୀ ମାଝୀଙ୍କୁ ବାଘ ଖାଇ ଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ମହିଳାଙ୍କୁ ଝାମ୍ପି ନେଲା ବାଘ, ଜଙ୍ଗଲରୁ ଉଦ୍ଧାର ହେଲା ମୃତଦେହ

ପୁଣି ସେହି ଦିନ ସନ୍ଧ୍ୟାରେ କୋଦୋପାଲି ଗାଁର ରାମ ବରିହାଙ୍କ ୭ ବର୍ଷର ଶିଶୁ ନୀଳକଣ୍ଠ ବରିହା ଘର ସମ୍ମୁଖରେ ଖେଳୁଥିବା ବେଳେ ବାଘ ତାକୁ ଟେକି ନେବାକୁ ଚେଷ୍ଟା କରିଥିଲା । ହେଲେ ଗାଁ ଲୋକେ ଚିତ୍କାର କରି ଠେଙ୍ଗା ବାଡ଼ି ଧରି ଘଉଡାଇବାରୁ ଅଳ୍ପ ଦୂରରେ ଶିଶୁକୁ ଛାଡି ଦେଇ ଚାଲି ଯାଇଥିଲା ବାଘ । ଏଭଳି କ୍ରମାଗତ ଭାବରେ ବାଘ ଆକ୍ରମଣ କରି ଚାଲିଥିବା ବେଳେ ତାକୁ ଧରି ନନ୍ଦନକାନନ ନେଇଯିବାକୁ ସ୍ଥାନୀୟ ଲୋକମାନେ ଦାବି କରିଥିଲେ । ଶେଷରେ କାଲି ମଧ୍ୟରାତ୍ରିରେ ଗ୍ୟାସ ପ୍ରୟୋଗ କରି ଯନ୍ତା ସହାୟତାରେ ବାଘକୁ ଧରିବାରେ ସଫଳ ହୋଇଛି ବନ ବିଭାଗ । ହେଲେ ବାଘକୁ ମାରିଦେବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।

ଇଟିଭି ଭାରତ, ନୂଆପଡା

Last Updated :Nov 5, 2023, 10:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.