ETV Bharat / state

ସରଗାଦିରେ କିଡନୀ ରୋଗ ଆତଙ୍କ: 15 ବର୍ଷରେ ଗଲାଣି 20 ଜୀବନ, ଏବେବି 40 ଆକ୍ରାନ୍ତ

author img

By

Published : Apr 12, 2023, 12:50 PM IST

ନୂଆପଡା ଜିଲ୍ଲା ସରଗାଦି ଗାଁରେ ବ୍ୟାପୁଛି କିଡନୀ ରୋଗ । ୧୫ ବର୍ଷ ମଧ୍ୟରେ ୨୦ ଜଣ ରୋଗୀଙ୍କ ମୃତ୍ୟୁ ହେଲାଣି । ଏବେ ବି ୪୦ରୁ ଊର୍ଦ୍ଧ୍ବ ଲୋକ କିଡନୀ ରୋଗରେ ପଡି ଛଟପଟ ହେଉଛନ୍ତି । ଅଧିକ ପଢନ୍ତୁ

ଗାଁରେ କିଡନୀ ରୋଗ ଆତଙ୍କ
ଗାଁରେ କିଡନୀ ରୋଗ ଆତଙ୍କ

ସରଗାଦି ଗାଁରେ ବ୍ୟାପୁଛି କିଡନୀ ରୋଗ

ନୂଆପଡା: ଗାଁରେ ଆତଙ୍କ ଖେଳାଇଛି କିଡନୀ ରୋଗ । ଘରେ ଘରେ ପଡିଛନ୍ତି କିଡନୀ ରୋଗୀ । ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ଗାଁରେ ଗତ ୧୫ ବର୍ଷ ମଧ୍ୟରେ ୨୦ ଜଣ କିଡନୀ ରୋଗୀଙ୍କ ମୃତ୍ୟୁ ହେଲାଣି । ଏବେ ବି ୪୦ରୁ ଊର୍ଦ୍ଧ୍ବ ଲୋକ ଚିକିତ୍ସାଧୀନ ଅଛନ୍ତି । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବଣପାହାଡ଼ ଘେରା ଅବହେଳିତ ସରଗାଦି ଗାଁରେ ଏପରି ଭାବେ କିଡନୀ ରୋଗ ଆତଙ୍କ ଖେଳାଇଛି । ରୋଗରେ ପଡି ଗାଁର ଜଣକ ପରେ ଜଣେ ରୋଜଗାରକ୍ଷମ ବ୍ୟକ୍ତିଙ୍କ ଅକାଳ ବିୟୋଗ ହେଉଛି । ରୋଜଗାରିଆ ପୁଅକୁ ହରାଇ ବେସାହାର ହୋଇପଡୁଛନ୍ତି ପରିବାର ଲୋକେ । ଯେଉଁ କାରଣରୁ ଗ୍ରାମର ଏକାଧିକ ପରିବାର ଏବେ ଦୁର୍ବିସହ ଜୀବନ ବିତାଉଛନ୍ତି ।

ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ ୮୫ କିଲୋମିଟର ଦୂର ଖଡ଼ିଆଳ ବ୍ଲକରେ ସରଗାଦି ଗ୍ରାମ ଅବସ୍ଥିତ । ଗାଁରେ କିଡନୀ ରୋଗୀଙ୍କ ଲମ୍ବା ତାଲିକା ରହିଛି । ଏହି ଘାତକ ରୋଗରେ ଆକ୍ରାନ୍ତ ହୋଇ ଜଣକ ପରେ ଜଣକ ଅକାଳ ବିୟୋଗ ହୋଇଛି । ବିଗତ ବର୍ଷ ମଧ୍ୟରେ ଅନେକଙ୍କ ସୁନାର ସଂସାର ଉଜାଡି ଦେଇଛି କିଡନୀ ରୋଗ । ବିବାହିତା ମହିଳାଙ୍କ ସିନ୍ଦୁର ଲିଭି ଯାଇଛି, ଶଙ୍ଖା ଭାଙ୍ଗି ଯାଇଛି । ବୈବାହିକ ଜୀବନରେ ସ୍ୱାମୀକୁ ହରାଇ ବିଧବା ସ୍ତ୍ରୀ ଅସହାୟ ଭାବେ ଜୀବନ କାଟୁଛି । ସେହିପରି ଗାଁର ଅନେକ ରୋଗୀଙ୍କ ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଆର୍ଥିକ ଅନଟନ ଭିତରେ ଚିକିତ୍ସା ଅଭାବରୁ ଖଟିଆରେ ପଡି ସେମାନେ ମରଣକୁ ବରଣ କରି ନେଉଛନ୍ତି ।

ସରଗାଦି ଗାଁରେ ଦୀର୍ଘ ୧୫ ବର୍ଷ ମଧ୍ୟରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ୨୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ୪୦ ଜଣ ଏହି ରୋଗରେ ପୀଡିତ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କିଛି ରୋଗୀ ନିଜ ଅର୍ଥରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଆଉ କିଛି ରୋଗୀ ଅର୍ଥ ଅଭାବରେ ଚିକିତ୍ସା ନପାଇ ଖଟିଆରେ ପଡିରହିଛନ୍ତି । କିଡନୀ ରୋଗ ବ୍ୟାପିବାର ସଠିକ କାରଣ ଯଦିଓ ଜଣାପଡି ନାହିଁ ତଥାପି ଦୂଷିତ ପାଣି, ନିକଟସ୍ଥ ପଥର ଖଦାନରେ ବ୍ଲାଷ୍ଟିଂ ଯୋଗୁଁ ବାହାରୁଥିବା ପଥର ଗୁଣ୍ଡ ଏହାର କାରଣ ହୋଇପାରେ ବୋଲି ଗ୍ରାମବାସୀ ସନ୍ଦେହ କରୁଛନ୍ତି ।

ସରଗାଦି ଗାଁରେ କିଡନୀ ରୋଗ କେଉଁ କାରଣ ଯୋଗୁଁ ବ୍ୟାପୁଛି ତାହା ଜାଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ ଟିମ ତଦନ୍ତ କରିବା ଆବଶ୍ୟକ ବୋଲି ଦାବି ହୋଇଛି । ଅପରପକ୍ଷେ ଘଟଣା ଜାଣିବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍ ଗାଁକୁ ଯାଇ ତଦନ୍ତ କରିବା ପରେ ବିହିତ ପଦକ୍ଷେପ ନେବେ ବୋଲି ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.