ETV Bharat / state

ଜିଲ୍ଲା ଗଠନକୁ 30ବର୍ଷ: ଗଡିନି ବିକାଶ ଗାଡି, ମୌଳିକ ସୁବିଧାରୁ ବଞ୍ଚିତ ନବରଙ୍ଗପୁରବାସୀ

author img

By

Published : Oct 6, 2022, 4:07 PM IST

ଜିଲ୍ଲା ଗଠନକୁ ପୁରିଲା 30 ବର୍ଷ: ଏବେବି ମୌଳିକ ସୁବିଧାରୁ ବଞ୍ଚିତ ନବରଙ୍ଗପୁରବାସୀ
ଜିଲ୍ଲା ଗଠନକୁ ପୁରିଲା 30 ବର୍ଷ: ଏବେବି ମୌଳିକ ସୁବିଧାରୁ ବଞ୍ଚିତ ନବରଙ୍ଗପୁରବାସୀ

1992 ମସିହାରେ କୋରାପୁଟରୁ ଅଲଗା ହୋଇ ସ୍ବତନ୍ତ୍ର ଜିଲ୍ଲା ଭାବେ ମାନ୍ୟତା ପାଇଥିବା ନବରଙ୍ଗପୁର 30 ବର୍ଷରେ ପହଞ୍ଚିଛି (Nabarangpur district completes 30 years )। ତେବେ ଏବେବି ସ୍ବାସ୍ଥ୍ୟ ଶିକ୍ଷା, ଗମନାଗମନ ପରି ମୌଳିକ ସୁବିଧାରୁ ବଞ୍ଚିତ ଜିଲ୍ଲାବାସୀ । ଅଧିକ ପଢନ୍ତୁ

ନବରଙ୍ଗପୁର: 1992 ମସିହାରେ ଅବିଭକ୍ତ କୋରାପୁଟରୁ ବିଭକ୍ତ ହୋଇଥିବା 4ଟି ନୂତନ ଜିଲ୍ଲା ମଧ୍ୟରେ ଅନ୍ୟତମ ନବରଙ୍ଗପୁରକୁ ପୂରିଛି ଦୀର୍ଘ 30 ବର୍ଷ (Nabarangpur district completes 30 years) । କିନ୍ତୁ ଦୁଃଖର ବିଷୟ ତିନି ଦଶନ୍ଧି ବିତିଥିଲେ ସୁଦ୍ଧା ନବରଙ୍ଗପୁରବାସୀ ଏବେ ମଧ୍ୟ ମୌଳିକ ସେବାରୁ ବଞ୍ଚିତ । ବିକାଶ ଓ ଆଧୁନିକତାର ସ୍ବର୍ଶ ଆଜି ଯାଏଁ ମଧ୍ୟ ଏଠି ଦୃଷ୍ଟିଗୋଚର ହେଉନାହିଁ ।

ଜିଲ୍ଲା ଗଠନକୁ ପୁରିଲା 30 ବର୍ଷ: ଏବେବି ମୌଳିକ ସୁବିଧାରୁ ବଞ୍ଚିତ ନବରଙ୍ଗପୁରବାସୀ


1992 ମସିହା ଗାନ୍ଧୀ ଜୟନ୍ତୀ ଅବସରରେ ଅବିଭକ୍ତ କୋରାପୁଟକୁ ବିଭକ୍ତ କରି 4 ଟି ନୂତନ ଜିଲ୍ଲା ଗଠନ କରାଯାଇଥିଲା । ସେହିକ୍ରମରେ ନବରଙ୍ଗପୁର ଜିଲ୍ଲା 30 ବର୍ଷରେ ପଦାର୍ପଣ କରିଛି । କିନ୍ତୁ ଏବେ ମଧ୍ୟ ପ୍ରକୃତ ହିତାଧିକାରୀଙ୍କ ନିକଟରେ ସହଜରେ ପହଞ୍ଚି ପାରୁନାହିଁ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା । ସହରର ଚାକଚକ୍ୟ ବଢିଛି, କିନ୍ତୁ ପାନୀୟ ଜଳ ଓ ବାଇପାସ ରାସ୍ତାର ଅଭାବ ପୂରଣ ହୋଇ ପାରିନାହିଁ । ଜିଲ୍ଲାକୁ ପୂର୍ବତନ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଆସିଥିଲେ ସୁଦ୍ଧା ଜିଲ୍ଲାର ଉନ୍ନୟନ କିନ୍ତୁ ଅଟକି ରହିଛି । କୃଷି ପ୍ରଧାନ ଏହି ଜିଲ୍ଲାରେ ଜଳସେଚନ ସୁବିଧା ନଥିବା ବେଳେ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ପଛୁଆ । ସରକାରୀ ଯୋଜନାରେ ଘର କିମ୍ବା ବାର୍ଦ୍ଧକ୍ୟ ଭତ୍ତା ଖଣ୍ଡିଏ ପାଇଁ ସରକାରୀ ଅଫିସକୁ ଧାଇଁ ଧାଇଁ ନୟାନ୍ତ ହେଲେ ମଧ୍ୟ ତାହା ପୂରଣ ହୋଇ ପାରୁନଥିବା ଜିଲ୍ଲାବାସୀ ଅଭିଯୋଗ କରିଛନ୍ତି ।

ବର୍ଷା ଦିନେ ବାଉଁଶ ପୋଲରେ ନଦୀ ପାର ହେବା ସହ ଦେଶୀ ଡ଼ଙ୍ଗାରେ ଜୀବନକୁ ବାଜି ଲଗାଇ ଜଳ ଭଣ୍ଡାର ଆରପାରିରେ ଜୀବନ ବିତାଉଛନ୍ତି ଲୋକେ । ସ୍ୱାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ଅତି ଶୋଚନୀୟ । ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରୁନି । ଫଳରେ ଖଟିଆରେ ବୁହାହୋଇ ରୋଗୀଙ୍କୁ ହସ୍ପିଟାଲ ଅଣାଯାଉଛି । ନିକଟରେ ଗଛ ତଳେ ଜଣେ ବୃଦ୍ଧାଙ୍କୁ ସାଲାଇନ ଦେବାର ଚିତ୍ର ଜିଲ୍ଲାର ସ୍ବାସ୍ଥ୍ୟ ସେବାର ଚିତ୍ରକୁ ପଦାରେ ପକାଇଥିଲା । ଦିନେ ଜଙ୍ଗଲବହୁଳ ଥିବା ଜିଲ୍ଲା ଆଜି ଜଙ୍ଗଲ ଶୂନ୍ୟ ହେବାକୁ ବସିଲାଣି । ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚରେ ବୃକ୍ଷରୋପଣ କରାଯାଉଥିଲେ ସୁଦ୍ଧା ଆଖିଦୃଶିଆ ଜଙ୍ଗଲ ସୃଷ୍ଟି କିନ୍ତୁ ସମ୍ଭବପର ହୋଇନାହିଁ l


ମନରେଗା ଯୋଜନାରେ ଶ୍ରମିକଙ୍କୁ କର୍ମନିଯୁକ୍ତି ମିଳୁଥିଲେ ସୁଦ୍ଧା ମେସିନ ଲଗାଇ କାର୍ଯ୍ୟ କରାଯାଉଛି । ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ ଉତ୍ତର ମିଳୁଛି ମେସିନରେ ମଧ୍ୟ କାମ ହୋଇପାରିବ । ରେଳସେବାର ପ୍ରତିଶୃତି ଆଜି ଯାଏ ପ୍ରତିଶୃତି ହିଁ ଅଟକି ରହିଛି । ଜିଲ୍ଲାର ମହାବିଦ୍ୟାଳୟକୁ 50 ବର୍ଷ ପୂର୍ତ୍ତି ହେବାକୁ ଯାଉଥିଲେ ସୁଦ୍ଧା, ତାହା ଆଜିଯାଏ ସରକାରୀ ଅନୁଷ୍ଠାନର ମାନ୍ୟତା ମଧ୍ୟ ପାଇନାହିଁ । ଜିଲ୍ଲାର ଗୋଟିଏ ଅଂଶ ଆଜି ମାଓବାଦୀଙ୍କ ଗଡ଼ ହେବାକୁ ବସିଲାଣି । ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା କିନ୍ତୁ ମିଳିପାରିନାହିଁ ।



ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.