ETV Bharat / state

କଣ୍ଟାଗାଁରେ ହାତୀ ଆତଙ୍କ, ଜଗୁଆଳିଙ୍କୁ ଦଳିଦେଲା ଦନ୍ତା

author img

By

Published : Jul 12, 2023, 9:55 AM IST

man died in elephant attack
man died in elephant attack

କଳାହାଣ୍ଡି ଜିଲ୍ଲା କର୍ଲାପଟା ଅଭୟାରଣ୍ୟରୁ ଜୟପାଟଣା ଦେଇ ନବରଙ୍ଗପୁର ସୀମାରେ ହାତୀ ଆତଙ୍କ । ଗ୍ରାମ୍ୟ ଜଙ୍ଗଲକୁ ଜଗିବାକୁ ଯାଇଥିବା ଜଗୁଆଳିଙ୍କ ହାତୀ ଆକ୍ରମଣରେ ମୃତ୍ୟୁ । ଅଧିକ ପଢନ୍ତୁ

man died in elephant attack

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପୁଣି ହାତୀ ଉପଦ୍ରବ । ପୁଣି ମୁଣ୍ଡ ନେଲା ଦନ୍ତା । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ କଣ୍ଟାଗାଁ ଅଞ୍ଚଳରେ ହାତୀ ଆକ୍ରମଣରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତକ ଜଣକ ଉକ୍ତ ଗ୍ରାମର ବୁଦନ ସୌରା ବୋଲି ଜଣା ପଡ଼ିଛି । ବୁଦନ ଗ୍ରାମ୍ୟ ଜଙ୍ଗଲକୁ ଜଗିବାକୁ ଯାଇଥିବା ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା କର୍ଲାପଟା ଅଭୟାରଣ୍ୟରୁ ନବରଙ୍ଗପୁର ସୀମାରେ ହାତୀ ପ୍ରବେଶ କରିଛି । ଗତକାଲି ସନ୍ଧ୍ୟାରେ ଗ୍ରାମ୍ୟ ଜଙ୍ଗଲକୁ ଜଗିବାକୁ ଯାଇଥିବା ଜଗୁଆଳି ହାତୀ ସହ ମୁହାମୁହିଁ ହୋଇଥିଲେ । ଆଉ ସେଠାରେ ହାତୀ ଘଉଡ଼ାବାକୁ ଉଦ୍ୟମ କରୁଥିବା ବେଳେ ବୁଦନ ସୌରାଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଡାବୁଗାଁ ରେଞ୍ଜର ସେତୁ ରଞ୍ଜନି ଗମାଙ୍ଗ, ନବରଙ୍ଗପୁର ରେଞ୍ଜର ତାଡିତ ସ୍ୱାଇଁଙ୍କ ତତ୍ତ୍ବାବଧାନରେ ୩୦ ଜଣିଆ ୱାଇଲ୍ଡ ଲାଇଫ୍‌ ସ୍କ୍ବାଡ୍‌ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ପ୍ରକାଶ ଥାଉକି, ଗତ ୫ ତାରିଖରେ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ନିୟମଗିରି ପାହାଡ଼ର ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତ ସ୍ଥିତ ବେରେନ ପିଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକ ରାଇସିଙ୍ଗ ମାଝୀ କାଶୀବୋଣ୍ଡେଲ ଗାଁରୁ ଜଙ୍ଗଲ ରାସ୍ତା ଦେଇ ନିଜ ଗାଁ ବେରେନ ପିଣ୍ଡାକୁ ଫେରୁଥିଲେ । ଏହି ସମୟରେ ବେରେନପିଣ୍ଡା ଓ ମଇନଗୁଡା ଜଙ୍ଗଲରେ ଏକ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ । କିଛି ବୁଝିବା ଆଗରୁ ଗଜରାଜ ପ୍ରଥମେ ରାଇସିଙ୍ଗକୁ ଶୁଣ୍ଢରେ କଚାଡି ମାରିବା ସହ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ- ଉପାନ୍ତରେ ଥମୁନି ହାତୀ ଉପଦ୍ରବ, ଘରକୁ ଫେରିବା ବାଟରେ ଦଳିଦେଲା ଦନ୍ତା

ଦୀର୍ଘ ସମୟ ଧରି ରାଇସିଙ୍ଗ ଘରକୁ ନଫେରିବାରୁ ପରିବାର ଲୋକେ ସେହି ରାସ୍ତା ଦେଇ କାଶୀବୋଣ୍ଡେଲ ଗାଁକୁ ଖୋଜିବାକୁ ଯାଇଥିଲେ । ବାଟରେ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ମୃତଦେହ ନିକଟରେ ହାତୀ ଥିବା ଦେଖି ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀକୁ ଘଉଡାଇବା ସହ ମୃତଦେହ ଉଦ୍ଧାର କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ । ପରିବାରର ଏକମାତ୍ର ରୋଜଗରିଆ ବ୍ୟକ୍ତି ଥିଲେ ରାଇସିଙ୍ଗ ମାଝୀ । ତାଙ୍କର ମୃତ୍ୟୁ ପରେ ଏବେ ପୁରା ପରିବାର ଅସହାୟ ହୋଇ ପଡିଛି । ତେଣୁ ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଥିଲା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.