ETV Bharat / state

ଉପାନ୍ତରେ ଥମୁନି ହାତୀ ଉପଦ୍ରବ, ଘରକୁ ଫେରିବା ବାଟରେ ଦଳିଦେଲା ଦନ୍ତା

author img

By

Published : Jul 5, 2023, 6:42 AM IST

କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ପିଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିିଛି । ଘରକୁ ଫେରୁଥିବା ବେଳେ ବାଟରେ ହାତୀ ହାବୁଡ଼ରେ ପଡ଼ି ଜନୈକ ବ୍ୟକ୍ତିଙ୍କ ଜୀବନ ଗଲା । ଅଧିକ ପଢ଼ନ୍ତୁ

man dies in elephant attack
ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ

ଘରକୁ ଫେରିବା ବାଟରେ ଦଳିଦେଲା ଦନ୍ତା

ଭବାନୀପାଟଣା: ଜିଲ୍ଲାରେ ଥମିବାରେ ନାଁ ନେଉନି ହାତୀ ମଣିଷ ଲଢେଇ । କେତେବେଳେ ହାତୀ ତ ପୁଣି କେତେବେଳେ ମଣିଷ ବଳି ପଡୁଛି । ପୁଣି ଥରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି । କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ନିୟମଗିରି ପାହାଡର ପାଦ ଦେଶରେ ଥିବା ତ୍ରିଲୋଚନ ପୁର ପଞ୍ଚାୟତ ସ୍ଥିତ ବେରେନ ପିଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଉଛନ୍ତି ରାଇସିଙ୍ଗ ମାଝୀ ।

ସୂଚନା ଅନୁଯାୟୀ, ରାଇସିଙ୍ଗ ମାଝୀ କାଶୀବୋଣ୍ଡେଲ ଗାଁରୁ ଜଙ୍ଗଲ ରାସ୍ତା ଦେଇ ନିଜ ଗାଁ ବେରେନ ପିଣ୍ଡାକୁ ଫେରୁଥିଲେ । ଏହି ସମୟରେ ବେରେନପିଣ୍ଡା ଓ ମଇନଗୁଡା ଜଙ୍ଗଲରେ ଏକ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ । କିଛି ବୁଝିବା ଆଗରୁ ଗଜରାଜ ପ୍ରଥମେ ରାଇସିଙ୍ଗକୁ ଶୁଣ୍ଢରେ କଚାଡି ମାରିବା ସହ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା । ଦୀର୍ଘ ସମୟ ଧରି ରାଇସିଙ୍ଗ ଘରକୁ ନଫେରିବାରୁ ପରିବାର ଲୋକେ ସେହି ରାସ୍ତା ଦେଇ କାଶୀବୋଣ୍ଡେଲ ଗାଁକୁ ଖୋଜିବାକୁ ଯାଇଥିଲେ । ବାଟରେ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ମୃତଦେହ ନିକଟରେ ହାତୀ ଥିବା ଦେଖି ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀକୁ ଘଉଡାଇବା ସହ ମୃତଦେହ ଉଦ୍ଧାର କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ । ପରିବାରର ଏକମାତ୍ର ରୋଜଗରିଆ ବ୍ୟକ୍ତି ଥିଲେ ରାଇସିଙ୍ଗ ମାଝୀ । ତାଙ୍କର ମୃତ୍ୟୁ ପରେ ଏବେ ପୁରା ପରିବାର ଅସହାୟ ହୋଇ ପଡିଛି । ତେଣୁ ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ହାତୀ ଉପଦ୍ରବ, ଶୌଚ ପାଇଁ ଯାଇଥିଲେ କଚାଡି ମାରିଲା ଦନ୍ତା

ପ୍ରକାଶ ଥାଉକି, ଉପାନ୍ତ ଅଞ୍ଚଳରେ ଦିନକୁ ଦିନ ଗଜରାଜଙ୍କ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେକ ଦିନ କୌଣସି ନାଁ କୌଣସି ଗାଁରେ ପସି ଫସଲ ନଷ୍ଟ କରିବା ସହ ଲୋକଙ୍କୁ ଆକ୍ରମଣ କରୁଛନ୍ତି । ସେପଟେ ଜଙ୍ଗଲ କ୍ଷୟ ହେବା ଯୋଗୁଁ ହାତୀ ଜନବସତି ମୁହାଁ ହେଉଛନ୍ତି । ଯାହା ଫଳରେ ମଣିଷ ଓ ହାତୀର ଲଢେଇରେ ଅନେକ ଧନ ଜୀବନ ହାନୀ ହେଉଛି । ହେଲେ ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ହାତୀ ଆକ୍ରମଣରେ ଅନେକ ଅମୂଲ୍ୟ ଜୀବନ ଯାଉଥିବା ଖବର ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ହେଁ ବନ ବିଭାଗ କୌଣସି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁନଥିବା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ କରାଯାଇଛି ।


ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.