ETV Bharat / state

ଇଣ୍ଟରନେଟ ସେନସେସନ ପାଲଟିଛନ୍ତି ନବରଙ୍ଗପୁର ପୁଅ ଧିରଜ, ଇଂରାଜୀ ଶିଖାଇବା ଶୈଳୀ ହେଉଛି ଭାଇରାଲ

author img

By ETV Bharat Odisha Team

Published : Jan 10, 2024, 10:07 PM IST

Eng-fluencer Dhiraj Takri: ନିଜର ନିଷ୍ଠା ଓ ଉଦ୍ୟମ ବଳରେ ଉପାନ୍ତରୁ ଆସି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନବରଙ୍ଗପୁର ଜିଲ୍ଲାର ଯୁବକ ଧିରଜ ଟାକ୍ରି । ଲକ୍ଷ୍ୟ ସ୍ଥିର ଥିଲେ ସଫଳତାର ଗଡ଼ ଜିତିବା ଅସମ୍ଭବ ନୁହେଁ । ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ନବରଙ୍ଗପୁର ଜିଲ୍ଲାର ଏହି ଯୁବକ । ଅଧିକ ପଢ଼ନ୍ତୁ
ଧିରଜ ଟାକ୍ରି
ଧିରଜ ଟାକ୍ରି

ଧିରଜ ଟାକ୍ରି

ନବରଙ୍ଗପୁର: ବଣର ମଲ୍ଲି ବଣରେ ଫୁଟି ମଉଳି ଯାଏ ଭଳି ଉକ୍ତିକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ନବରଙ୍ଗପୁର ଜିଲ୍ଲାର ଯୁବକ ଧିରଜ ଟାକ୍ରି । ନିଜର ନିଷ୍ଠା ଓ ଉଦ୍ୟମ ବଳରେ ଉପାନ୍ତରୁ ଆସି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଧିରଜ । ମାତ୍ର ୨୧ ବର୍ଷ ବୟସରେ ଆମେରିକାନ ଇଂଲିଶ ଶିକ୍ଷା ଦେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ସାଉଁଟିଛନ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ଭଳି ଉପାନ୍ତ ଅଞ୍ଚଳର ଧିରଜ ଟାକ୍ରି ।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ଗ୍ରାମର ନରେଶଚନ୍ଦ୍ର ଟାକ୍ରି ଓ କୁମାରୀ ଟାକ୍ରିଙ୍କ ମଝିଆ ପୁଅ ଧିରଜ ଟାକ୍ରି । ଧିରଜ ତେନ୍ତଳିଖୁଣ୍ଟି ବ୍ଲକ ଅଞ୍ଚଳ ଗୁମ୍ମା ହାଇସ୍କୁଲରୁ ୧୦ ମ ପାସ କରିବା ପରେ ଇନ୍ଦ୍ରାବତୀ କଲେଜରେ ଯୁକ୍ତଦୁଇ ବିଜ୍ଞାନ ପାଠ ପଢିଥିଲେ । କିନ୍ତୁ ସେ + ୨ ରେ କୃତକାର୍ଯ୍ୟ ହୋଇ ପାରିନଥିଲେ । ଏହାପରେ ସେ ପାଠ ନପଢ଼ି କିଛି ଭିନ୍ନ କରିବାର ପ୍ରୟାସ ପାଇଁ ମନ ବଳାଇବା ସହ ଇଂରାଜୀ ଶିଖିଲେ ରାଜ୍ୟ ବାହାରେ ଓ ବିଦେଶରେ ବ୍ୟବସାୟରେ ସୁଯୋଗ ରହିଥିବା ଭାବି ୨୦୧୯ ମସିହାରେ ବିଭିନ୍ନ ପ୍ରକାରର ଇଂରାଜୀ ବହି ପଢିବା ସହ ୟୁଟ୍ୟୁବରୁ ମଧ୍ୟ ଇଂରାଜୀ ଶିକ୍ଷା ନେଇଥିଲେ । ଏହାପରେ ୨୦୨୦ ମସିହାରେ ଏସେଣ୍ଟ ସହ ଅମେରିକାନ ଇଂଲିଶ ଶିଖିବାକୁ ଆଗ୍ରହ ପ୍ରକାଶ କରି ୟୁଟ୍ୟୁବ ସହ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଇଂରାଜୀ ଶିକ୍ଷା ଗ୍ରହଣ କରିଥିଲେ ।

ତେବେ ଦୀର୍ଘ ଚାରିବର୍ଷ ଧରି ୟୁଟ୍ୟୁବରେ ଆମେରିକାନ ଇଂଲିଶ ଶିଖିଥିଲେ ଧିରଜ । ଅମେରିକାନ ଇଂରାଜୀ କେମିତି କହିବାକୁ ହୁଏ ଏହାର ଭିଡିଓ ନିଜେ ରେକର୍ଡ କରି ୟୁଟ୍ୟୁବ, ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମଡ଼ିଆରେ ଅପଲୋଡ଼ କରି ଜାତୀୟ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ପରେ ଧିରଜ ଆମେରିକାନ ଇଂଲିଶ ଶିକ୍ଷା ଦେବା ଆରମ୍ଭ କରିଥିଲେ । ଆମେରିକନମାନେ କିଭଳି ଇଂରାଜୀ କୁହନ୍ତି ସେନେଇ ସୋସିଆଲ ମିଡିଆରେ ଭାବଭଙ୍ଗୀ ସହିତ ଶିକ୍ଷା ଦେଇଥିଲେ । ମାତ୍ର ତିନି ମାସ ମଧ୍ୟରେ ସୋସିଆଲ ମିଡିଆରେ ଶିକ୍ଷା ଦେବା ଆରମ୍ଭ କରିଥିଲେ । ଯାହା ୨୦୨୩ ସେପ୍ଟେମ୍ବର ୭ ତାରିଖ ସୁଦ୍ଧା କେବଳ ୧୬୫ ଜଣ ଫଲୋଅର୍ସ ଥିଲେ । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଧିରଜଙ୍କ ଆମେରିକାନ ଇଂଲିଶ ଉଚ୍ଚାରଣକୁ ବହୁ ମାତ୍ରାରେ ପସନ୍ଦ କରି ଖୁବ କମ ଦିନ ମଧ୍ୟରେ ଏହା ଆଶାତୀତ ଭାବେ ବୃଦ୍ଧି ପାଇ ବର୍ତ୍ତମାନ ସୋସିଆଲ ମିଡିଆରେ ୯ ଲକ୍ଷ ଫୋଲୋର୍ସ ହୋଇଯାଇଛନ୍ତି । ଏହାବ୍ୟତୀତ ତାଙ୍କର ବିଦେଶରେ ବହୁତ ଜଣ ଫୋଲୋଅର୍ସ ମଧ୍ୟ ରହିଛନ୍ତି । ଆଜି ପର୍ଯ୍ୟନ୍ତ ଧିରଜ ୯୩ ଟି ଭିଡିଓ ଅପଲୋଡ଼ କରିଛନ୍ତି ।

ତେବେ ଧିରଜଙ୍କ ବାପା ନରେଶ ଚନ୍ଦ୍ର ଜଣେ ସାଇକଲ ମରାମତି ଦୋକାନ କରି ୪ ପୁଅ ୧ ଝିଅର ପେଟ ପୋଷୁଛନ୍ତି । ନିଜେ ବେସି କିଛି ପାଠ ପଢ଼ିନଥିଲେ ମଧ୍ୟ ଧିରଜଙ୍କ କିଛି ନୂଆ କରିବାର ଅଭିଳାଷକୁ ପୂର୍ଣ୍ଣ ସମର୍ଥନ କରିଥିଲେ ବାପା ନରେସଚନ୍ଦ୍ର ଓ ପରିବାର । ଧିରଜଙ୍କ ଉପରେ ତାଙ୍କ ପରିବାର ରଖିଥିବା ବିଶ୍ବାସକୁ ଆଜି ପୁରଣ କରିଛନ୍ତି ଧିରଜ । ଧିରଜଙ୍କର ଆମେରିକାରେ ୧୮ ହଜାର, କାନାଡ଼ାରେ ୯ ହଜାର, ୟୁକେରେ ପାଖାପାଖି ୮ ହଜାର ଫଲୋଅର୍ସ ଅଛନ୍ତି । ଧିରଜ ପୋଷ୍ଟ କରିଥିବା ପ୍ରତ୍ୟେକ ଭିଡିଓକୁ ପ୍ରାୟ ୧୨ କୋଟିରୁ ଉର୍ଦ୍ଧ୍ବ ଲୋକ ଦେଖୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ଚମକୁଛି ପ୍ରତିଭା, ମିଳୁଛି ପ୍ରଶଂସା

ଧିରଜଙ୍କ ଫ୍ୟାନ ଫଲୋଇଂ ଓ ଭିୟୁ ଦେଖି ତାଙ୍କୁ ଦେଶବିଦେଶର ବିଭିନ୍ନ ବ୍ରାଣ୍ଡ କମ୍ପାନୀ ଗୁଡିକରୁ ତାଙ୍କ ପାଇଁ ପ୍ରଚାର କରିବା ପାଇଁ କଲ ଆସୁଛି । ବର୍ତ୍ତମାନ ସୁଦ୍ଧା ଧିରଜ ଅମେରିକାନ ଇଡିଓମ ବୁକ, ଇଂଲିଶ ଲେର୍ନିଂ ପ୍ଲାଟଫୋର୍ମ ଇଂନକନୱ, ନାଇକି ସୁ ଭଳି କମ୍ପାନୀ ଗୁଡିକର ପ୍ରମୋସନ କରିଛନ୍ତି । ଧିରଜଙ୍କ ଏହି ସଫଳତାକୁ ନେଇ ତାଙ୍କ ପରିବାର ସମ୍ପର୍କୀୟ ଓ ସାଙ୍ଗ ସାଥିମାନେ ବେଶ ଗୌରବାନ୍ବିତ ମନେ କରିଛନ୍ତି । ଏହାସହ ତାଙ୍କ ସଫଳତା କାମନା କରିଛନ୍ତି । ଆଗାମୀ ଦିନରେ ଅମେରିକାନ ଇଂରାଜୀ ସହ ଅନ୍ୟାନ୍ୟ ଇଂରାଜୀ ଭାଷାକୁ ଶିକ୍ଷାଦେବା ପାଇଁ ସେ କୋଚିଂ ଇନଷ୍ଟିଚ୍ୟୁଟ ଖୋଲିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଉପାନ୍ତ ଅଞ୍ଚଳରେ ଜଣେ ଯୁବକ କମ ବୟସରେ ଯେଉଁ ସଫଳତା ହାସଲ କରିଛନ୍ତି ତାହା ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.