ETV Bharat / state

ଗୁଣିଗାରେଡି ସନ୍ଦେହରେ ଆକ୍ରମଣ: ଟଳି ପଡିଲେ ବୃଦ୍ଧା, 2 ଗୁରୁତର

author img

By

Published : Apr 3, 2023, 10:58 AM IST

suspected attack on black magic
suspected attack on black magic

ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧିନ ଜୁଆଳିଭଙ୍ଗା ପଞ୍ଚାୟତର କାଳିଆନାଳ ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ଜନୈକ ଯୁବକଙ୍କ ଅତର୍କିତ ଆକ୍ରମଣ । ଅଧିକ ପଢନ୍ତୁ

suspected attack on black magic

ରାଇରଙ୍ଗପୁର: ସୀମା ଟପିଲା ବର୍ବରତା । ଆଧୁନିକ ଯୁଗରେ ବି ଅନ୍ଧବିଶ୍ବାସର ବଶବର୍ତ୍ତୀ ମନୁଷ୍ୟ । ଅନ୍ଧବିଶ୍ବାସକୁ ନେଇ ଘଟାଇ ଚାଲିଛନ୍ତି ଗୋଟିଏ ପରେ ଗୋଟି ଜଘନ୍ୟକାଣ୍ଡ । କେତେ ବେଳେ କାହାକୁ ହତ୍ୟା କରାଯାଉଛି ତ ଆଉ କିଏ ଆକ୍ରମଣର ଶିକାର ହେଉଛି । ସେହିପରି ଗୁଣି ଗାରେଡି ସନ୍ଦେହରେ ଜିଲ୍ଲାରେ ଘଟିଯାଇଛି ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆ ସାହାଯ୍ୟରେ ଜନୈକ ଯୁବକଙ୍କ ଅତର୍କିତ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏନେଇ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ଚିକିତ୍ସା ହେଉଥିବା ଜଣାପଡିଛି ।

ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧିନ ଜୁଆଳିଭଙ୍ଗା ପଞ୍ଚାୟତର କାଳିଆନାଳ ଗ୍ରାମରେ ଭାଦ ଟୁଡୁଙ୍କ ପୁଅ ଦୁର୍ଗା ଚରଣ ଟୁଡୁ(୩୮) ଗୁଣିଗାରେଡି ସନ୍ଦେହକୁ ନେଇ ଗତକାଲି ତିନି ଜଣଙ୍କୁ ଆକ୍ରମଣ କରିଛନ୍ତି । ଉକ୍ତ ଗ୍ରାମର କାଳି ଚରଣ ଟୁଡୁଙ୍କ ସ୍ତ୍ରୀ କୁନି ଟୁଡୁ, ବିପିନ ଟୁଡୁଙ୍କ ପୁଅ କାଳି ଚରଣ ଟୁଡୁଏବଂ ସୁନ୍ଦର ଟୁଡୁଙ୍କ ସ୍ତ୍ରୀ ଗୌରୀ ଟୁଡୁ ଘରେ ବସିଥିବା ସମୟରେ ଅଭିଯୁକ୍ତ ଦୁର୍ଗା ହଠାତ ଅତର୍କିତ ଭାବେ ଏକ ଫାର୍ସାରେ ତିନିଜଣଙ୍କ ମୁଣ୍ଡକୁ ପ୍ରହାର କରିଥିଲେ । ଯାହା ଫଳରେ କୁନି, କାଳିଚରଣ ଏବଂ ଗୌରୀଙ୍କ ମୁଣ୍ଡ ଫାଟିବା ସହିତ ସମସ୍ତେ ଗୁରୁତର ଆହତ ହୋଇ ଚେତାଶୂନ୍ୟ ହୋଇ ପଡ଼ିଥିଲେ ।

ଏନେଇ ପରିବାର ଲୋକେ ଗୁରୁତର ତିନି ଜଣଙ୍କୁ ଉଦ୍ଧାର କରି ପ୍ରଥମେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲକୁ ଅଣାଯାଇଥିଲା । ତେବେ ସେଠାରେ ଗୌରୀ ଟୁଡୁଙ୍କ ମୃତ ଘଟିଥିଲା । ତେବେ କୁନି ଟୁଡୁ ଏବଂ କାଳୀଚରଣ ଟୁଡୁ ଗୁରୁତର ଅବସ୍ଥାରେ ବାରିପଦା ବଡ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ସେପଟେ ଖବର ପାଇ ମୋରଡା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ, ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସରେନ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଧରି ଅଟକ ରଖି ପଚରାଉଚରା କରଯାଇଥିଲା । ଏଥିସହ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

ପ୍ରକାଶ ଥାଉକି, ପୂର୍ବରୁ ମଧ୍ୟ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଅଚାନକ କିଛି ଯୁବକଙ୍କ ମୃତ୍ୟୁ ହେବାରୁ ନିଷ୍ଠୁର ପାଲଟି ଯାଇଥିଲେ ଗ୍ରାମବାସୀ । ଗୁଣି ଗାରେଡି ସନ୍ଦେହରେ ଜଣେ ବୃଦ୍ଧା ଓ ତାଙ୍କ ଝିଅଙ୍କୁ ମାଡ ମାରିବା ସହ ପରେ ଜଙ୍ଗଲରେ ଛାଡି ଦେଇଥିବା ଅଭିଯୋଗ ହୋଇଥିଲା । କିଛି ଦିନ ପୂର୍ବରୁ ଗାଁର ଏକାଧିକ ଯୁବକ ଅକାଳରେ ମୃତ୍ୟୁ ବରଣ କରିଥିବା ବେଳେ ଗାଁ ଲୋକେ ହେମ୍ବ୍ରମ ଓ ତାଙ୍କ ବୃଦ୍ଧା ମାଆଙ୍କ ଉପରେ ଗୁଣି ଗାରେଡ଼ି ସନ୍ଦେହ କରି ଦୋଷ ଆରୋପ କରିଥିଲେ ।

ଏହାପରେ ବାଲି ହେମ୍ବ୍ରମଙ୍କୁ ଘୋଷାଡି ଘୋଷାଡି ମାଡ ମାରିବା ପରେ କଙ୍ଗାରୁ କୋର୍ଟ କରାଇଥିଲେ ଗ୍ରାମବାସୀ । ଏହାପରେ ବୃଦ୍ଧା ଜଣଙ୍କୁ ମଧ୍ୟ ଏକ ଗଛରେ ବାନ୍ଧି ଦେଇଥିଲେ । ଶେଷରେ ହେମ୍ବ୍ରମ ତାଙ୍କ ମାଆ ଓ 2 ପିଲାଙ୍କୁ ରାତିରେ ଗାଁରୁ ତଡି ଦେଇ ଜଙ୍ଗଲରେ ଛାଡି ଦେଇଥିଲେ । ଏହାପରେ କେବେ ବି ଗ୍ରାମକୁ ନଫେରିବାକୁ ଧମକ ଦେଇଥିଲେ ଗ୍ରାମବାସୀ । ଏନେଇ ଭୟରେ ମାଆ ଝିଅ ଓ ତାଙ୍କ ଦୁଇ ପିଲା ସ୍ଥାନୀୟ ବିଦ୍ୟାଳୟରେ ଆତ୍ମଗୋପନ କରିଥିଲେ । ସକାଳ ହେବା ମାତ୍ରେ ମହିଳା ଜଣକ ପ୍ରଥମେ ଅମର୍ଦା ଫାଣ୍ଡି ପରେ ରାସଗୋବିନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଘଟଣାକୁ ଗୁରୁତର ସହ ନେଇ ରାସଗୋବିନ୍ଦପୁର ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ତଦନ୍ତ ଆରମ୍ଭ କରିଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.