ETV Bharat / state

ରାଇରଙ୍ଗପୁର ଉପଖଣ୍ଡରେ ଲୁଟେରାଙ୍କ ଉତ୍ପାତ, ପୋଲିସ ହାତ ଖାଲି

author img

By

Published : Jun 24, 2023, 1:17 PM IST

ରାଇରଙ୍ଗପୁର ଉପଖଣ୍ଡରେ ବୃଦ୍ଧି ପାଇବାରେ ଲାଗିଛି ଲୁଟ ଘଟଣା । ଲୁଟେରାଙ୍କୁ ଗିରଫ କରିବାରେ ପୋଲିସ ବିଫଳ । ଅଧିକ ପଢନ୍ତୁ
miscreants looted vehicle parts
miscreants looted vehicle parts

miscreants looted vehicle parts

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ବାରମ୍ବାର ସାମ୍ନାକୁ ଆସୁଛି ଲୁଟ ଘଟଣା । ଏକ ଅଟୋ ପାର୍ଟ୍ସ ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଲେ ଦୁର୍ବୃତ୍ତ । ତିରିଂ ଥାନା ଅନ୍ତର୍ଗତ ରତନସାହି ଗ୍ରାମରେ ଘଟିଛି ଏହି ଲୁଟ ଘଟଣା । ଲୁଟେରାଙ୍କୁ ଧରିବାକୁ ତଦନ୍ତ ଜାରି ରଖିଛି ପୋଲିସ ।

ଗୁରୁବାର ବିଳମ୍ବିତ ରାତିରେ ରତନସାହି ଗ୍ରାମରେ ଥିବା ଭୀମ ଅଟୋ ପାର୍ଟ୍ସ ନାମକ ଦୋକାନରେ ଦୁର୍ବୃତ୍ତ ମାନେ ପଶି ଲୁଟ କରିଥିଲେ । ଏହାପରେ ଲକ୍ଷାଧିକ ଟଙ୍କାର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ବିଳମ୍ବିତ ରାତିରେ କେହି ନଥିବା ସୁଯୋଗ ନେଇ କିଛି ଦୁର୍ବୃତ୍ତ ଦୋକାନ ସଟର ତାଲା କାଟି ଲୁଟ କରିଥିଲେ । ବାଇକର ବ୍ୟାଟେରୀ, ଟାୟାର, ଚେନ୍, ବ୍ଲକ୍ ପିଷ୍ଟନ୍ ଚୋରି କରି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ ।

ଶୁକ୍ରବାର ସକାଳ ସମୟରେ ମାଲିକ ସତ୍ୟ ନାରାୟଣ ସାହୁ ଦୋକାନ ସଟର ଖୋଲା ଥିବା ଦେଖି ଭିତରକୁ ଯାଇଥିଲେ । ଏହାପରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏ ସମ୍ପର୍କରେ ଦୋକାନ ମାଲିକ ତିରିଂ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଉଛି । ସିସିଟିଭି ଫୁଟେଜରେ ଦୁର୍ବୃତ୍ତ ମାନେ ଚୋରି କରୁଥିବା ବେଳେ ସେମାନଙ୍କ ଚେହେରା ମଧ୍ୟ ସ୍ପଷ୍ଟ ବାରି ହୋଇପଡୁଛି । ତେବେ ଅଞ୍ଚଳରେ ଏହିପରି ବାରମ୍ବାର ଚୋରି, ଲୁଟ ଘଟଣା ସବୁ ବୃଦ୍ଧି ପାଉଥିବା ବେଳେ ପୋଲିସର ହାତ ଖାଲି ରହିଛି ।

ଗତ ମଙ୍ଗଳବାର ସନ୍ଧ୍ୟା ସମୟରେ ଯାମଦା ଥାନା ଅନ୍ତର୍ଗତ ଯାମଦା ବଜାରରେ ଲୁଟର ଶିକାର ହୋଇଥିଲେ ସୁନା ଅଳଙ୍କାର ବ୍ୟବସାୟୀ ସଞ୍ଜୟ ନନ୍ଦ । ଦୋକାନ ବନ୍ଦ କରୁଥିବା ବେଳେ ପ୍ରାୟ ୫ ରୁ ୬ ଜଣ ଡକାୟତ ମାରଣାସ୍ତ୍ର ଦେଖାଇ ପ୍ରାୟ ଦଶ ଲକ୍ଷ ଟଙ୍କାର ସୁନା ରୂପା ଗହଣା ଲୁଟି ନେଇ ଝାଡ଼ଖଣ୍ଡ ଅଭିମୁଖେ ଖସି ପଳାଇ ଯାଇଥିଲେ । ତେବେ ଡକାୟତ ମାନେ ଭୁଜାଲି ସାହାଯ୍ୟରେ ଗହଣା ଦୋକାନୀକୁ ଆକ୍ରମଣ କରିବାରୁ ସେ ଆହତ ହୋଇଥିଲେ । ପରେ ତାଙ୍କୁ ଯାମଦା ମେଡିକାଲ ଅଣାଯାଇଥିଲା । ସେଠାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ପରେ ରାଇରଙ୍ଗପୁର ଓ ବାରିପଦା ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ଖବର ପାଇ ଯାମଦା ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।

ସେହିଦିନ ସନ୍ଧ୍ୟାରେ ରାଇରଙ୍ଗପୁର ଅଞ୍ଚଳର ଜନୈକ ଗହଣା ବ୍ୟବସାୟୀ ଏକ କାର ଯୋଗେ ରାଇରଙ୍ଗପୁର ଆସୁଥିବା ବେଳେ କାହ୍ନୁ ନଦୀ ପୋଲ ନିକଟରେ ଲୁଟ ଉଦ୍ୟମ କରିଥିଲେ କିଛି ଲୁଟେରା । କିନ୍ତୁ ଉକ୍ତ ବ୍ୟବସାୟୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଡକାୟତ ମାନଙ୍କ ଠାରୁ ଲୁଟ ହେବାରୁ ବର୍ତ୍ତି ଯାଇଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.