ETV Bharat / state

ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା, ଆନ୍ଦୋଳନ ଚେତାବନୀ ଦେଲେ ଅଭିଯୋଗକାରୀ

author img

By

Published : Oct 27, 2022, 2:08 PM IST

ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା
ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା

ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଅଭିଯୋକାରୀ । ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଚିପଟ ଅସ୍ତିଆ ଗାଁରେ ନିଯୁକ୍ତିରେ ଅବହେଳା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ବାରିପଦା: ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି । ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଚିପଟ ଅସ୍ତିଆ ଗାଁ ଅଙ୍ଗନୱାଡି କେନ୍ଦ୍ରରେ କର୍ମୀ ନିଯୁକ୍ତିରେ ହେରଫେର ହୋଇଥିବା ଅଭିଯୋଗ ହୋଇଛି । ବୈଠକରେ ଜଣଙ୍କୁ ନିଯୁକ୍ତି ନେଇ ସ୍ଥିର ହୋଇଥିଲା ମାତ୍ର ନିଯୁକ୍ତି ମିଳିଲା ଅନ୍ୟଜଣଙ୍କୁ । ଏନେଇ ଆବେଦନକାରିଣୀ ଜିଲ୍ଲାପାଳଙ୍କୁ ଭେଟି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା

ସୂଚନା ଅନୁଯାୟୀ, ଜିଲ୍ଲାର ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଚିପଟ ଅସ୍ତିଆ ଠାରେ ଥିବା ଅଙ୍ଗନୱାଡି କେନ୍ଦ୍ରର କର୍ମୀଙ୍କ କିଛି ମାସ ପୂର୍ବରୁ ମୃତ୍ୟୁ ହୋଇଥିଲା । ଏହାପରେ ଉକ୍ତ ପଦଟି ଖାଲି ପଡିିଛି । ପଦ ପୂରଣ ନିମନ୍ତେ ୨୯.୮.୨୨ ତାରିଖରେ ବିଜ୍ଞାପନ ସଂଖ୍ୟା ୧୨୬୪ ନମ୍ବର ମୂଳେ କର୍ମୀ ନିଯୁକ୍ତି ପାଇଁ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଥିଲା । ଏହାକୁ ନେଇ ଶ୍ୟାମାଖୁଣ୍ଟା ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପକ୍ଷରୁ ଅଧିକାରିଣୀ, ସରପଞ୍ଚ ଏବଂ ଗ୍ରାମବାସୀଙ୍କ ସାମୁହିକ ଉପସ୍ଥିତିରେ କର୍ମୀ ନିଯୁକ୍ତି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମୂହ ଆଲୋଚନା କରାଯାଇ ଜଣେ ଆଦିବାସୀ ବିଧବା ମହିଳାଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦିଆଯିବା ବାବଦରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା ।

ବିଜ୍ଞାପନ ମୁତାବକ ଅନଲାଇନରେ ଆବେଦନ କଲା ପରେ ଗ୍ରାମର ଅସହାୟ ଶିକ୍ଷିତା ବିଧବା ମହିଳା ସୀମା ଗିରି ମଧ୍ୟ ଆବେଦନ କରିଥିଲେ । ସ୍ଵାମୀଙ୍କ ମୃତ୍ୟୁ ପରେ ଦୁଇ ସନ୍ତାନଙ୍କୁ ନେଇ ବହୁ କଷ୍ଟରେ ବଞ୍ଚୁଛନ୍ତି । ଚାକିରିଟିଏ ମଳିଲେ ତାଙ୍କ ଜୀବନ ସହଜ ହୋଇପାରିବ ଆଶା କରିଥିଲେ । ବିଜ୍ଞାପନ ମୁତାବକ ସେ ମ୍ୟାଟ୍ରିକ ପାସ କରିଥିବା ସହ ତାଙ୍କର ଜନ୍ମସ୍ଥାନ ତଥା ବାପଘର ଶାଶୁଘର ମଧ୍ୟ ଚିପଟ ଅସ୍ତିଆ ଗ୍ରାମରେ ବୈଠକରେ ସର୍ବ ସମ୍ମତି କ୍ରମେ ତାଙ୍କୁ ଅଙ୍ଗନୱାଡି କର୍ମୀ ଭାବେ ଅଗ୍ରାଧିକାର ଦେଇ ନିଯୁକ୍ତ କରାଯିବାକୁ ସିଦ୍ଧାନ୍ତ ହୋଇଥିଲା । କିନ୍ତୁ ସମସ୍ତ ପ୍ରକ୍ରିୟା ସମାପ୍ତ ପରେ ଯେତେବେଳେ କର୍ମୀ ନିଯୁକ୍ତ କରାଗଲା, ସେତେବେଳେ ଗ୍ରାମର ଜଣେ କଲେଜରେ ଅଧ୍ୟୟନରତ ଝିଅ ତନୁଶ୍ରୀ ନାଏକଙ୍କୁ ନିଯୁକ୍ତି ଦିଆଯାଇଥିବାର ନେଇ ଗ୍ରାମବାସୀ ମାନେ ଖବର ପାଇଥିଲେ । ଯେଉଥିପାଇଁ ଗ୍ରାମବାସୀମାନେ କର୍ମୀ ନିଯୁକ୍ତି ପ୍ରକ୍ରିୟାରେ ଅସନ୍ତୁଷ୍ଟ ହୋଇ ଅନିୟମିତତା ନେଇ ଅଭିଯୋଗ କରିଛନ୍ତି ।


ଏହା ବି ପଢନ୍ତୁ...କୋରାପୁଟ ଦେଇ ଗଡ଼ିଲା ଭିଷ୍ଟାଡୋମ କୋଚ୍

ଏନେଇ ସ୍ଥାନୀୟ ଗ୍ରାମବାସୀମାନଙ୍କ ସମେତ ଆବେଦନକାରୀ ସୀମା ଗିରି ଜିଲ୍ଲାପାଳଙ୍କୁ ଭେଟି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଦାବି ମୁତାବକ ଏହି କର୍ମୀ ନିଯୁକ୍ତି ପ୍ରକ୍ରିୟାର ପୁନଃ ଯାଞ୍ଚ କରାଯାଇ କର୍ମୀ ନିଯୁକ୍ତିକୁ ବାତିଲ କରାଯାଇ ଉଚିତ କର୍ମୀଙ୍କୁ ନିଯୁକ୍ତ କରାଯିବା ନେଇ ଦାବିପତ୍ରରେ ଜଣାଇଛନ୍ତି । ଆଗାମୀ ୭ଦିନ ମଧ୍ୟରେ ଦାବି ମୁତାବକ ପଦକ୍ଷେପ ନିଆ ନଯାଏ ତେବେ ଆମେ ଗ୍ରାମବାସୀମାନେ ଅଙ୍ଗନୱାଡି କେନ୍ଦ୍ରରେ ତାଲାବନ୍ଦ କରି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏଥି ସହିତ ଗ୍ରାମବାସୀମାନେ ମହିଳା ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବିପତ୍ର ପ୍ରେରଣ କରିଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.