ETV Bharat / state

ପଞ୍ଚଭୂତରେ ବିଲୀନ ରେଞ୍ଜର ମାଥାୟା ହାଁସଦା, ଲୁହରେ ଭିଜିଲା ଗାଁ

author img

By

Published : Jun 19, 2023, 7:33 AM IST

ମୃତ ଡେପୁଟି ରେଞ୍ଜରଙ୍କ ପୈତୃକ ଗ୍ରାମରେ ହେଲା ଶେଷକୃତ୍ୟ ସମ୍ପନ୍ନ । ପରିବାରକୁ ଭେଟି ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ ଏବଂ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ । ଅଧିକ ପଢନ୍ତୁ

deputy ranger mathaya hansada
deputy ranger mathaya hansada

deputy ranger mathaya hansada

ରାଇରଙ୍ଗପୁର: ପଞ୍ଚଭୂତରେ ବିଲୀନ ହେଲେ ଡେପୁଟି ରେଞ୍ଜର ମାଥାୟା ହାଁସଦା । ପାରମ୍ପରିକ ରୀତିନୀତିରେ ନିଜ ଜନ୍ମ ମାଟିରେ ହେଲା ଶେଷକୃତ ସମ୍ପନ୍ନ । ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ଉପର ବରାହାକାମୁଡା ରେଞ୍ଜ ଅନ୍ତର୍ଗତ ଗାମୁଛାଝରଣ ବିଟରେ ଶିକାରୀ ଗୁଳିରେ ପ୍ରାଣ ହରାଇଥିଲେ । ଟିଙ୍ଗିରିଆ ଗ୍ରାମକୁ ମୃତଦେହ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ପୁରା ଗାଁ । ଶେଷ ଥର ପାଇଁ ମୃତ ମାଥାୟା ହାଁସଦାଙ୍କ ଦର୍ଶନ କରିଥିଲେ ତାଙ୍କ ବାପା, ଭାଇ ଓ ଦୁଇ ଭଉଣୀଙ୍କ ସହ ସମ୍ପର୍କୀୟ ଓ ବନ୍ଧୁବାନ୍ଧବ । ଶୋକାକୁଳ ପରିବେଶ ମଧ୍ୟରେ ସାନ୍ତାଳି ରୀତିନୀତିରେ ତାଙ୍କ ଗାଁରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇବା ପାଇଁ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ ଏବଂ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ ।

ତେବେ ଯଶୀପୁର ସ୍ଥିତ ଖଇରୀ ନିବାସରେ ସେ ସାମ୍ବାଦିକ ସମ୍ମିଳନୀରେ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ନେଇ ମତ ପ୍ରକାଶ କରିଥିଲେ। ପରେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ ଓ ପିସିସିଏଫ ସୁଶୀଲ କୁମାର ପୋପୋଲି ଯାମଦା ବ୍ଲକ ଅନ୍ତର୍ଗତ ଟିଙ୍ଗିରିଆ ଗ୍ରାମକୁ ପହଞ୍ଚିଥିଲେ । ସେଠାରେ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ । ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ଟିଙ୍ଗିରିଆ ଗ୍ରାମକୁ ଯାଇ ମୃତ ମାଥାୟା ହାଁସଦାଙ୍କ ଶେଷ ଦର୍ଶନ କରି ପରିବାର ଲୋକଙ୍କ ସହିତ ଭେଟି ସମବେଦନା ଜଣାଇଥିଲେ । ପରିବାର ଲୋକେ ମଧ୍ୟ ସେମାନଙ୍କ ପରିବାରର ସମସ୍ୟା ସଂପର୍କରେ କହିଥିଲେ । କ୍ଷତିପୂରଣ ସହ ପରିବାରର ଜଣକୁ ଚାକିରି ପାଇଁ ଜଙ୍ଗଲ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ ।

ଏନେଇ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ ମୃତକଙ୍କ ପରିବାର ବର୍ଗଙ୍କୁ ସାନ୍ତ୍ବନା ଦେବା ସହ କିଭଳି ଭାବେ ଅଧିକରୁ ଅଧିକ ଅନୁକମ୍ପା ରାଶି ଯୋଗାଇ ଦିଆଯିବ ସେ ନେଇ ପ୍ରତିଶୃତି ଦେଇଛନ୍ତି । ସେପଟେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ସେ ଓଡ଼ିଶାରେ ଚାଲିଥିବା ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏଇ ମାସେ ମଧ୍ୟରେ ଶିମିଳିପାଳରେ ଗୁଳି ମାଡ଼ ଘଟି ଦୁଇ ଜଣ ବନବିଭାଗ କର୍ମଚାରୀ ଓ ଜଣେ ଗୋରୁ ଚରାଳିଙ୍କ ମୃତ୍ୟୁ ଘଟିଥିବା କହି ଏଥିରେ କିଛି ଜଙ୍ଗଲ ମାଫିଆଙ୍କ ସମ୍ପୃକ୍ତି ଥିବା କହିଛନ୍ତି । ଯାହା ଫଳରେ ଜଙ୍ଗଲ ନିକଟରେ ବସବାସ କରୁଥିବା ନିରୀହ ଲୋକ ଓ ନିରୀହ ବନ କର୍ମଚାରୀ ମୃତ୍ୟୁବରଣ କରୁଛନ୍ତି । ବନ କର୍ମଚାରୀ ମାନଙ୍କୁ ଦିଆ ଯାଇଥିବା ବନ୍ଧୁକ ମଧ୍ୟ ଠିକ୍ ଭାବରେ ଫାୟାରିଂ ହେଉ ନଥିବା ଅଭିଯୋଗ କରିବା ସହ ଏହା ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.