ETV Bharat / state

ଟ୍ରକ ଚାପାରେ ଲିଭିଗଲା କୁନି ପୁଅର ଜୀବନ ଦୀପ, ପୋଲିସକୁ ପିଟିଲେ ଉତ୍ତ୍ୟକ୍ତ ଲୋକେ

author img

By ETV Bharat Odisha Team

Published : Oct 7, 2023, 5:42 PM IST

ସଡ଼କ ଦୁର୍ଘଟଣାରେ ଶିଶୁ ମୃତ , କ୍ଷତିପୂରଣ ଦାବିରେ ଚାପାଉତ୍ତେଜନା
ସଡ଼କ ଦୁର୍ଘଟଣାରେ ଶିଶୁ ମୃତ , କ୍ଷତିପୂରଣ ଦାବିରେ ଚାପାଉତ୍ତେଜନା

ସଡ଼କ ଦୁର୍ଘଟଣାରେ ୫ ବର୍ଷର ଶିଶୁ ମୃତ, ୨ ଗୁରୁତର । ବୁଝାସୁଝା କରିବାକୁ ଯାଇଥିବା ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ସ୍ଥାନୀୟ ଲୋକେ । ଭିଡିଓ ଭାଇରାଲ । ଅଧିକ ପଢନ୍ତୁ

ସଡ଼କ ଦୁର୍ଘଟଣାରେ ଶିଶୁ ମୃତ , କ୍ଷତିପୂରଣ ଦାବିରେ ଚାପାଉତ୍ତେଜନା

ରାଇରଙ୍ଗପୁର: ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଥାନା ଅନ୍ତର୍ଗତ ରରୁଆଁ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ଜଣେ ୫ ବର୍ଷର ଶିଶୁ ପ୍ରାଣ ହରାଇ ଥିବାବେଲେ ୨ ଜଣ ଗୁରୁତର ହୋଇ ପଡିଥିଲେ । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଆରମ୍ଭ ହୋଇଥିଲା । ଘଟଣାର ଖବର ପାଇଁ ପୋଲିସ ଘଟଣା ସ୍ଥଲରେ ପହଞ୍ଚିଥିଲା । ଉତ୍ତ୍ୟକ୍ତ ଲୋଙ୍କୁ ବୁଝାସୁଝା କରିଲାବେଳେ ପୋଲିସକୁ ମଧ୍ୟ ଆକ୍ରମଣ କରିଥିଲେ ଲୋକେ । ଯାହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଯଶିପୁର ଥାନା ଅନ୍ତର୍ଗତ ଧୋବାଡିହା ଗ୍ରାମର ବାପୁନ ନାଏକ ନିଜ ପରିବାର ସହ ଯଶିପୁର ମେଡିକାଲରେ ଥିବା ତାଙ୍କ ଜଣେ ସମ୍ପର୍କୀୟଙ୍କ ସହିତ ସାକ୍ଷାତ କରିବାକୁ ଯାଉଥିଲେ । ତାଙ୍କ ସହ ୫ ବର୍ଷର ପୁଅ ପିୟୂଷ ନାଏକ ଓ ମାଆ ଏକ ବାଇକ ଯୋଗେ ଯଶିପୁର ମେଡିକାଲରେ ଯାଉଥିବା ସମୟରେ ୪୯ ନଂ ଜାତୀୟ ରାଜପଥ ରରୁଆଁ ଛକ ନିକଟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାରେ ଶିକାର ହୋଇଥିଲା । ଫଳରେ ପାଖରେ ଯାଉଥିବା ଏକ ଟ୍ରକ ଚକ ତଳେ ପଡି ଯାଇଥିଲା ପିୟୂଷ । ଟ୍ରକଟି ମାଡିଯିବା କାରଣରୁ ଘଟଣାସ୍ଥଳରେ ହିଁ ପିୟୂଷର ମୃତ୍ୟୁ ହୋଇ ଥିବାବେଳେ ବାପୁନ ଓ ତାଙ୍କ ମାଆ ମଧ୍ୟ ଟ୍ରକ ଧକ୍କାରେ ଆହତ ହୋଇଥିଲେ । ତେବେ ଉକ୍ତ ଦୁର୍ଘଟଣାକୁ ନେଇ ୪୯ ନଂ ଜାତୀୟ ରାଜପଥରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି ସହିତ ଯଥାଶୀଘ୍ର ଜାତୀୟ ରାଜପଥ ମରାମତି ଦାବି କରି ଜାତୀୟ ରାଜପଥ ଅବରୋଧ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ମହାନଦୀରେ ବସ ଝୁଲିବା ଘଟଣା: ଦୋଷ ମାନୁନାହାନ୍ତି ଚାଳକ, RTOର ତଦନ୍ତ ଆରମ୍ଭ

ସେପଟେ ଖବର ପାଇ ଯଶିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହିତ ବୁଝାସୁଝା କରିଥିଲା । ହେଲେ ଉତ୍ୟକ୍ତ ଲୋକେ ବୁଝାସୁଝା କରୁଥିବା ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ । ପୋଲିସକୁ ଲୋକେ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ଭିଡିଓ ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଦୁର୍ଘଟଣା ପରେ ମୃତ ପିୟୂଷ ଓ ଆହତ ହୋଇଥିବା ବାପା ଓ ଆଈଙ୍କୁ ଯଶିପୁର ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଆଜି ମୃତ ପିୟୂଷର ମୃତଦେହ ବ୍ୟବଚ୍ଛେଦ କରଞ୍ଜିଆ ଡ଼ାକ୍ତରଖାନାରେ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଥିବାରୁ ବାରମ୍ବାର ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିବା ଦେଖିବାକୁ ମିଳୁଛି ।

ଇଟିଭି ଭାରତ,ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.