ETV Bharat / state

ମିଳୁନି ପକ୍କାଘର, ଅସହାୟ ଜୀବନ କାଟୁଛନ୍ତି ପଙ୍କଜା

author img

By ETV Bharat Odisha Team

Published : Sep 23, 2023, 5:13 PM IST

ଅସହାୟ ଜୀବନ କାଟୁଛନ୍ତି ପଙ୍କଜା
ଅସହାୟ ଜୀବନ କାଟୁଛନ୍ତି ପଙ୍କଜା

ନା ରହିବାକୁ ଘର ଖଣ୍ଡିଏ ଅଛି ନା ଖାଇବାକୁ ଦାନା । ଭାଗ୍ୟକୁ ଆଦରି ଜୀବନ ବିତାଉଛନ୍ତି ମାଲକାନଗିରି ପରଜାଗୁଡା ସାହିର ପଙ୍କଜା ମହାରଣା । ବାରମ୍ବାର ଅଭିଯୋଗ ସତ୍ତ୍ବେ ଶୁଣୁନି ପ୍ରଶାସନ । ଅଧିକ ପଢନ୍ତୁ

ଅସହାୟ ଜୀବନ କାଟୁଛନ୍ତି ପଙ୍କଜା


ମାଲକାନଗିରି : ଅବହେଳିତ ଅବସ୍ଥାରେ ବିତୁଛି ବୃଦ୍ଧା ମହିଳାଙ୍କ ଜୀବନ । ନା ରହିବାକୁ ଘର ଖଣ୍ଡିଏ ଅଛି ନା ଖାଇବାକୁ ଦାନା । ଘର ଛାତ ଦେଇ ଦିନରେ ସୂର୍ଯ୍ୟ ତ ରାତିରେ ଚନ୍ଦ୍ର କିରଣ ପ୍ରବେଶ କରୁଛି । ଆଉ ବର୍ଷା ଦିନ କଥା ନ କହିବା ଭଲ । ଭାଗ୍ୟକୁ ଆଦରି ଜୀବନ ବିତାଉଛନ୍ତି ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ସଦର ପରଜାଗୁଡା ସାହିର ପଙ୍କଜା ମହାରଣା ।

ପଙ୍କଜାଙ୍କ ପରିବାର କହିଲେ ସ୍ବାମୀ ଓ ତିନି ଝିଅ । ସ୍ବାମୀ ସୁରେନ୍ଦ୍ର ୩୦ ବର୍ଷ ପୂର୍ବେ ଘର ଛାଡି ପଳାଇବା ପରେ ତିନି ଝିଅଙ୍କ ଅନ୍ୟତ୍ର ବିବାହ କରାଇ ଦେଇଛନ୍ତି ପଙ୍କଜା । ଲୋକଙ୍କ ଘରେ କାମ କରି ପରଜାଗୁଡା ଥିବା ମାଟି କାନ୍ଥ ଓ ଆଜବେଷ୍ଟ ଛାଉଣି ଘରେ ମୁଣ୍ଡଗୁଞ୍ଜି ରହି ଆସୁଥିଲେ । ହେଲେ ୨୦୧୬ ମସିହାରେ ହୋଇଥିବା ହୁଡୁହୁଡୁ ବାତ୍ୟାରେ ପଙ୍କଜା ଘରେ ଶୋଇଥିବା ସମୟରେ ଘରର ଏକପାଖର ମୁଖ୍ୟ ମାଟି କାନ୍ଥଟି ଭାଙ୍ଗିଯାଇ ପଙ୍କଜାଙ୍କ ଉପରେ ପଡିଯାଇଥିଲା । ଭାଗ୍ୟ ବଶତଃ ପଙ୍କଜା ଏହି ଦୁର୍ଘଟଣାରୁ ବଞ୍ଚିଯାଇଥିଲେ କିନ୍ତୁ ଘର କାନ୍ଥ ପଡିଯିବା ପରେ ସେ ଏକପ୍ରକାର ବାସହରା ହୋଇ ଯାଇଥିଲେ । ଆଉ ଏଭଳି ସ୍ଥିତିରେ ସରକାରୀ ସହାୟତା କହିଲେ ୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଓ ୫ କେଜି ମାଗଣା ଚାଉଳ । ଏତିକି ଦେଇ ନିଜର ଦାୟିତ୍ବ ସାରି ଦେଇଛି ପ୍ରଶାସନ ।

ସେପଟେ ଝିଅ ମାନଙ୍କ ପରିବାରର ଆର୍ଥିକବସ୍ଥା ସେତେ ଭଲ ନ ଥିବାରୁ ସେ ସେମାନଙ୍କ ଘରେ ବୋଝୋ ନ ହେଇ ସେହି ଭଙ୍ଗା କାନ୍ଥ ଘରେ ସ୍ବାଭିମାନର ସହ ଜରିଖଣ୍ଡେ ବାନ୍ଧି ରହି ଆସୁଛନ୍ତି । ଏହି ସମୟରେ ଆଖପାଖ ସାହି ପଡିଶା ଲୋକେ ସାହା ଭରସା । ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି ପଙ୍କଜା । ପଙ୍କଜାଙ୍କ ଦୁଃଖ ଦେଖି ସ୍ଥାନୀୟ ଯୁବକ ଲୋକନାଥ ସାହୁ ତାଙ୍କୁ ସାଙ୍ଗରେ ନେଇ ସ୍ଥାନୀୟ ସରପଞ୍ଚ ଓ ବିଡିଓଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ଗୋଟିଏ ବିଜୁପକାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘରଟିଏ ଦେବା ପାଇଁ । ହେଲେ ବିଡିଓ କେବଳ ପ୍ରତିଶୃତି ଦେଇ ରହିଗଲେ । ଏହାପରେ ପୂର୍ବତନ ଜିଲ୍ଲାପାଳଙ୍କୁ ମଧ୍ୟ ୩ଥର ଲୋକନାଥ ପଙ୍କଜା ମହାରଣାଙ୍କୁ ନେଇ ଅଭିଯୋଗ କରିଥିଲେ ଘରଟିଏ ପାଇଁ । କିନ୍ତୁ ତାଙ୍କୁ ବର୍ତ୍ତମାନ ସୁଧା ଘରଟିଏ ମିଳିପାରିଲାନି ।

ଏନେଇ ସ୍ଥାନୀୟ ଯୁବକ ଲୋକନାଥ ସାହୁ କହିଛନ୍ତି ,"ଯେଉଁମାନଙ୍କୁ ଘର ଦରକାର ସେମାନଙ୍କୁ ନ ଦେଇ ଘର ଥିବା ଲୋକମାନଙ୍କୁ କମ୍ପ୍ୟୁଟର ନିକଟରେ ବସି ଘର ପ୍ରଦାନ କରୁଛି ବ୍ଲକ ପ୍ରଶାସନ। ସରକାର ଗରିବ ଲୋକଙ୍କ ପାଇଁ ଯୋଜନା କରି ପଠାଉଛନ୍ତି କିନ୍ତୁ ଏଠିକାର ପ୍ରଶାସନ ଅଧିକାରୀମାନେ ନିଜ ମନ ମୁତାବିକ ଏଭଳି ଗରିବ ଲୋକଙ୍କୁ ହତାସ କରୁଛନ୍ତି ।"

ଅନ୍ୟପଟେ ପଞ୍ଚାୟତ ନିର୍ବାହୀ ଅଧିକାରୀ କହିଛନ୍ତି, "ନୂଆଁଖାଇ ଛୁଟିରେ ସେ ନିଜ ଗାଁକୁ ଯାଇଛନ୍ତି ଓ ସେ ଏହି କିଛି ମାସ ହେବ କୋରକୁଣ୍ଡା ପଞ୍ଚାୟତର ଦାୟିତ୍ବ ନେଇଛନ୍ତି । ସେଥିପାଇଁ ଏହି ବିଷୟରେ ଗ୍ରାମ ରୋଜଗାର ସେବକ ବୁଝୁଥିଲେ ତାଙ୍କୁ ପଚାରିବାକୁ । "

ଏହା ମଧ୍ୟ ପଢନ୍ତୁ- କାମରେ ଆସୁନି ସରକାରୀ ଯୋଜନା, ସହାୟତା ଅପେକ୍ଷାରେ ଖୁଲଣା କାଣ୍ତିଙ୍କ ପରିବାର

ତେବେ ସରକାର ଗରିବ ହିତାଧିକାରୀ ମାନଙ୍କ ପାଇଁ ମାଳ ମାଳ ଯୋଜନା କରି ସେମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ତଳ ସ୍ତରର ପ୍ରଶାସନିକ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ପାଇଁ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି । ତେବେ ପ୍ରଶାସନର କେବେ ପଙ୍କଜା ମହାରଣାଙ୍କ ଉପରେ ଦୃଷ୍ଟି ପଡିବ ଓ କେବେ ପାଇବେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ତାହା ହିଁ ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.