ETV Bharat / state

କୋଟିଆରେ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲା ଆନ୍ଧ୍ର

author img

By

Published : Aug 26, 2022, 10:10 PM IST

କୋଟିଆରେ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲା ଆନ୍ଧ୍ର
କୋଟିଆରେ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲା ଆନ୍ଧ୍ର

କୋଟିଆ ଅଞ୍ଚଳକୁ ରାସ୍ତା ଯୋଡ଼ିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆନ୍ଧ୍ର ସରକାର । କାର୍ଯ୍ୟକ୍ରମରେ ଯୋଗଦେଇ କୋଟିଆ ଆଦିବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଘୋଷଣା କଲେ ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ରାଜନ ଦୋରା । ଆଉ ୧୧ ଟି ରାସ୍ତା ନିର୍ମାଣ ପାଇଁ କଲେ ଘୋଷଣା । ଅଧିକ ପଢ଼ନ୍ତୁ

କୋରାପୁଟ: କୋଟିଆ ଅଞ୍ଚଳକୁ ପ୍ରଭାବିତ କରିବା ପାଇଁ ଆନ୍ଧ୍ରର ନୂଆ ଚାଲ୍ । ବାରମ୍ବାର ବିରୋଧ ସତ୍ତ୍ବେ କୋଟିଆ ପଞ୍ଚାୟତର ଶେଷ ଗ୍ରାମ ଫାଟୁସିନେରି ରାସ୍ତା ଠାରୁ ଆନ୍ଧ୍ରପ୍ରଦେଶର କୋଡାମା ଗ୍ରାମ ପର୍ଯ୍ୟନ୍ତ ୧୦.୮ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ରାଜନ ଦୋରା ଏବଂ ଆନ୍ଧ୍ରପ୍ରଦେଶ ମଣ୍ୟମ ଜିଲ୍ଲାର ଜିଲ୍ଲାପାଳ ନିଶାନ୍ତ କୁମାର ଉପସ୍ଥିତ ରହିଥିବା ସୂଚନା ମିଳିଛି ।

କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ଅନୁପ୍ରବେଶ ଉଦ୍ୟମକୁ କୋରାପୁଟ ବାସୀଙ୍କ ସମେତ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ରାଜନୈତିକ ନେତୃବୃନ୍ଦ ବାରମ୍ବାର ବିରୋଧ କରିଛନ୍ତି । ଏହାପରେ ମଧ୍ୟ ଆଜି (ଶୁକ୍ରବାର) ଆନ୍ଧ୍ର ସରକାରଙ୍କ ତରଫରୁ କୋଟିଆ ପଞ୍ଚାୟତର ଶେଷ ଗ୍ରାମ ଫାଟୁସିନେରି ନିକଟ ଓଡ଼ିଶା-ଆନ୍ଧ୍ର ସୀମା ଠାରୁ ଆନ୍ଧ୍ରପ୍ରଦେଶର ନନ୍ଦା ଗ୍ରାମ ପଟକୁ ଦୁଇ କିଲୋମିଟର ଦୂରରେ ନନ୍ଦା-ଫାଟୁସିନେରି ରାସ୍ତା ଠାରୁ ଆନ୍ଧ୍ରପ୍ରଦେଶର କୋଡାମା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ୧୧.୩୬ କୋଟି ଟଙ୍କା ବ୍ୟୟରେ ୧୦.୮ କିଲୋମିଟର ରାସ୍ତା ନିର୍ମାଣ କରାଯିବାକୁ ଯୋଜନା କରିଛନ୍ତି ଆନ୍ଧ୍ର ସରକାର ।

କୋଟିଆରେ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲା ଆନ୍ଧ୍ର
କୋଟିଆରେ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲା ଆନ୍ଧ୍ର

ଏହି ରାସ୍ତା ନିର୍ମାଣ ସହ ଆଉ ୧୧ ଟି ରାସ୍ତା ନିର୍ମାଣ ପାଇଁ ଆଜି ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ରାଜନ ଦୋରା ଘୋଷଣା କରିଥିବା ଜଣା ପଡ଼ିଛି । ଏହା ସହିତ ଏହି ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ଉନ୍ନତି ପାଇଁ ପର୍ଯ୍ୟଟନର ବିକାଶ କରାଯିବ ବୋଲି ସେ ଦେଇଥିବା ମନ୍ତବ୍ୟ ଆନ୍ଧ୍ରର ନୂତନ ଚାଲକୁ ପଦାରେ ପକାଇଛି । ତେବେ ଏହାକୁ ଓଡ଼ିଶା ସରକାର କିପରି ଭାବେ ସାମ୍ନା କରିବେ ସେନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

ବିଗତ ଦିନରେ ଆନ୍ଧ୍ର ପ୍ରଦେଶର କୋଡମା ଅଞ୍ଚଳର ନେତା ମାଳତୀ ଦୋରାଙ୍କ ନେତୃତ୍ବରେ ଓଡ଼ିଶାରେ ଚାଲିଥିବା ବିକାଶର ଧାରାକୁ ଉଚ୍ଚ ପ୍ରଶଂସା କରିଥିଲେ । ସେମାନଙ୍କ ଅଞ୍ଚଳରେ ଆନ୍ଧ୍ର ସରକାର ବିକାଶ ମୂଳକ କାର୍ଯ୍ୟ ନକଲେ ଓଡ଼ିଶାରେ ମିଶିଯିବା ପାଇଁ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସେ ଧମକ ଦେଇଥିଲେ । ସେଥିପାଇଁ ଓଡିଶା ସୀମା ବାହାରେ ଥାଇ ସେଠାରୁ କୋଟିଆ ଅଞ୍ଚଳରେ ପରୋକ୍ଷଭାବେ ପର୍ଯ୍ୟଟନର ବିକାଶ କରିବାକୁ ଘୋଷଣା କରିଛନ୍ତି ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ରାଜନ ଦୋରା । ତେବେ ଏସବୁରୁ କୋଟିଆ ଅଞ୍ଚଳ ସହ ଆନ୍ଧ୍ର ଗ୍ରାମ ଗୁଡ଼ିକୁ ସଂଯୋଗ କରିବା ସହ ଓଡ଼ିଶାର ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକକୁ ଆନ୍ଧ୍ର ସହ ଯୋଡ଼ିବାର ଯୋଜନା ସ୍ପଷ୍ଟ ଜଣାପଡ଼ୁଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.