ETV Bharat / state

ଜମି ବିବାଦରୁ ପୋଲିସ ଉପରେ ଆକ୍ରମଣ, ୫ ମହିଳା ଗିରଫ

author img

By

Published : Oct 15, 2022, 10:20 AM IST

ଜମି ବିବାଦରୁ ପୋଲିସ ଉପରେ ଆକ୍ରମଣ, ୫ ମହିଳା ଗିରଫ
ଜମି ବିବାଦରୁ ପୋଲିସ ଉପରେ ଆକ୍ରମଣ, ୫ ମହିଳା ଗିରଫ

ଖୋର୍ଦ୍ଧା ଟାଙ୍ଗୀ ଥାନା ଅଞ୍ଚଳରେ ଜମି ବିବାଦରୁ ପୋଲିସ ଉପରେ ଆକ୍ରମଣ । ଆକ୍ରମଣରେ କୁହୁଡ଼ି ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ଜେନାଙ୍କ ସମେତ ଏକାଧିକ ପୋଲିସ କର୍ମଚାରୀ ଆହତ । ଘଟଣାରେ ୫ ଜଣ ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ୧୫ରୁ ଅଧିକ ଅଭିଯୁକ୍ତ ଫେରାର । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା: ଜମି ବିବାଦକୁ ନେଇ ପୋଲିସ ଉପରେ ଆକ୍ରମଣ । ଆକ୍ରମଣରେ ଟାଙ୍ଗୀ ଥାନା କୁହୁଡ଼ି ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ଜେନା ଓ ସବଇନ୍ସପେକ୍ଟର ସୁଜାତା ପଲାଇଙ୍କ ସହ ଏକାଧିକ ପୋଲିସ କର୍ମଚାରୀ ଆହତ । ଆକ୍ରମଣରେ ସଂପୃକ୍ତ ୫ ଜଣ ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ୧୫ରୁ ଅଧିକ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ଜମି ବିବାଦରୁ ପୋଲିସ ଉପରେ ଆକ୍ରମଣ, ୫ ମହିଳା ଗିରଫ

ସୂଚନା ଅନୁସାରେ, ଟାଙ୍ଗୀ ଥାନା କୁହୁଡ଼ି ଫାଣ୍ଡି ଅଧୀନସ୍ଥ ସୋରଣର କୁମ୍ଭାର ସାହିର ନିରଞ୍ଜନ ମୁଦୁଲି ଓ କୀର୍ତ୍ତନ ମୁଦୁଲିଙ୍କ ପରିବାର ମଧ୍ୟରେ କବଲା ତଥା ସରକାରୀ ଜମି ଜବରଦଖଲକୁ ନେଇ ବହୁଦିନ ହେବ ତିକ୍ତତା ଲାଗିରହିଥିଲା । ଗତ ମାସ ୧୪ ତାରିଖରେ ଏହି ଘଟଣାକୁ ନେଇ ଉଭୟ ପରିବାର ମଧ୍ୟରେ ମାରପିଟ ହୋଇ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏନେଇ କୁହୁଡ଼ି ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ କରିନଥିଲା । ତେବେ ଉଭୟ ପରିବାର ମଧ୍ୟରେ ପୁଣି ଉତ୍ତେଜନା ଲାଗିଥିବା ଖବର ପାଇ କୁହୁଡ଼ି ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ଜେନା ଆଜି ଘଟଣାସ୍ଥଳରେ ପହଞ୍ଚିଥିଲେ ।

ବିବାଦୀୟ ଜମିର ଫଟୋ ଉଠାଇ ଫେରୁଥିବା ବେଳେ ଗୋଟିଏ ଗୋଷ୍ଠୀର ୨୦ରୁ ଅଧିକ ମହିଳା ଓ ପୁରୁଷ ହାତରେ ଠେଙ୍ଗା ବାଡ଼ି ଧରି ଫାଣ୍ଡି ଅଧିକାରୀ ତଥା ଅନ୍ୟ ପୋଲିସ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ଜଣେ ବୃଦ୍ଧ ହାତରେ ଏକ କଟୁରୀ ଧରି ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ଜେନାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରୁଥିବା ବେଳେ ସେ ଅଳ୍ପକେ ରକ୍ଷା ପାଇଯାଇଥିବା ଅଭିଯୋଗ ହୋଇଛି । ତେବେ ତାଙ୍କ ମୋବାଇଲ କେହି ଛଡ଼ାଇ ନେଇଥିବା ଫାଣ୍ଡି ଅଧିକାରୀ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସବଇନ୍ସପେକ୍ଟର ସୁଜାତା ପଲାଇଙ୍କୁ କେହି ନିସ୍ତୁକ ମାଡ଼ ମାରିଥିବା ବେଳେ ଜଣେ ମହିଳା କନଷ୍ଟେବଳ ଶୀଳପୁଆରେ ଆକ୍ରମଣର ଶିକାର ହୋଇ ଆହତ ହୋଇଥିବା ଅଭିଯୋଗ ହୋଇଛି ।

ଏହି ଘଟଣା ସମ୍ପର୍କରେ ବାଲୁଗାଁ ଏସ୍‌ଡିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ପୋଲିସ ଉପରେ କରିଥିବା ଆକ୍ରମଣରେ ସଂପୃକ୍ତ ୫ ଜଣ ମହିଳାଙ୍କୁ ଗିରଫ କରାଯାଇଛି । ଗିରଫ ମହିଳାମାନେ ହେଲେ ସୋରଣ କୁମ୍ଭାର ସାହିର ରେଣୁ ମୁଦୁଲି, କମଳା ମୁଦୁଲି, ହୁଲା ମୁଦୁଲି, ସୌଦାମିନି ମୁଦୁଲି ଓ ରଶ୍ମିତା ମୁଦୁଲି । ଏନେଇ ଟାଙ୍ଗୀ ଥାନାରେ ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ଜେନାଙ୍କ ଅଭିଯୋଗକୁ ଆଧାର କରି ମାମଲା ରୁଜୁ କରାଯାଇଛି । ତେବେ ପୋଲିସ ଚଢାଉ ଜାରି ରହିଥିବାରୁ ଅନ୍ୟ ୧୫ରୁ ଅଧିକ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.