ETV Bharat / state

Odisha Politics: ବିଜେପିରେ ସାମିଲ ହୋଇପାରନ୍ତି ପ୍ରଶାନ୍ତ; ଖୋର୍ଦ୍ଧାରେ ବିଗାଡିପାରେ ବିଜେଡି ଅଙ୍କ !

author img

By ETV Bharat Odisha Team

Published : Aug 29, 2023, 9:21 PM IST

Odisha Politics:ବିଜେପିରେ ସାମିଲ ହୋଇପାରନ୍ତି ପ୍ରଶାନ୍ତ! ଖୋର୍ଦ୍ଧାରେ ବିଗିଡିପାରେ ବିଜେଡି ଅଙ୍କ
Odisha Politics:ବିଜେପିରେ ସାମିଲ ହୋଇପାରନ୍ତି ପ୍ରଶାନ୍ତ! ଖୋର୍ଦ୍ଧାରେ ବିଗିଡିପାରେ ବିଜେଡି ଅଙ୍କ

ପ୍ରଶାନ୍ତ ଜଗଦେବ ଓରଫ ଗଣେଶ । ଉପକୂଳ ଓଡ଼ିଶାରେ ଜଣେ ଟାଣୁଆ ଓ ବିବାଦୀୟ ବାହୁବଳୀ ନେତା ଭାବେ ପରିଚିତ । ଅଣ କଂଗ୍ରେସ ଓ ବିଜେପି ନେତା ଭାବେ ଛାତ୍ର ରାଜନୀତିରୁ କ୍ୟାରିଅର ଆରମ୍ଭ କରିଥିଲେ ପ୍ରଶାନ୍ତ । ବିଜୁ ପଟ୍ଟନାୟକଙ୍କୁ ଆଦର୍ଶ କରି ରାଜନୀତିରେ ପ୍ରବେଶ କରିଥିବା ପ୍ରଶାନ୍ତ ଆରମ୍ଭରୁ ଚର୍ଚ୍ଚାରେ ରହି ଆସିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଜେପିରେ ସାମିଲ ହୋଇପାରନ୍ତି ବିଜେଡିରୁ ବହିଷ୍କୃତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଏନେଇ ଖୋର୍ଦ୍ଧାରୁ ରାଜଧାନୀ ପର୍ଯ୍ୟନ୍ତ ଲାଗି ରହିଛି ଜୋରଦାର ଚର୍ଚ୍ଚା । ଦଳରେ ସାମିଲ କରିବା ଲାଗି ବିଜେପିର ଜାତୀୟ ନେତା ଗ୍ରୀନ ସିଗ୍ନାଲ ଦେଇଥିବା ପ୍ରଶାନ୍ତଙ୍କ ସମର୍ଥକ ସୂଚନା ଦେଇଛନ୍ତି । ପ୍ରଶାନ୍ତ ଦଳରେ ସାମିଲ ହେଲେ ଖୋର୍ଦ୍ଧା ଜିଲ୍ଲାରେ ବିଜେପି ଅତିକମରେ 3 ଟି ବିଧାନସଭା କ୍ଷେତ୍ର ଦଖଲକୁ ନେଇପାରିବ ବୋଲି ତାଙ୍କ ପାଇଁ ଲବି କରୁଥିବା ନେତା କହୁଛନ୍ତି । ଯଦି ସବୁ ଠିକଠାକ ରୁହେ ତେବେ ଆସନ୍ତା କିଛି ଦିନରେ ପ୍ରଶାନ୍ତ ଗେରୁଆ ଦଳରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି ।

ପ୍ରଶାନ୍ତ ଜଗଦେବ ଓରଫ ଗଣେଶ । ଉପକୂଳ ଓଡ଼ିଶାରେ ଜଣେ ଟାଣୁଆ ଓ ବିବାଦୀୟ ବାହୁବଳୀ ନେତା ଭାବେ ପରିଚିତ । ଅଣ କଂଗ୍ରେସ ଓ ବିଜେପି ନେତା ଭାବେ ଛାତ୍ର ରାଜନୀତିରୁ କ୍ୟାରିଅର ଆରମ୍ଭ କରିଥିଲେ ପ୍ରଶାନ୍ତ । ବିଜୁ ପଟ୍ଟନାୟକଙ୍କୁ ଆଦର୍ଶ କରି ରାଜନୀତିରେ ପ୍ରବେଶ କରିଥିବା ପ୍ରଶାନ୍ତ ଆରମ୍ଭରୁ ଚର୍ଚ୍ଚାରେ ରହି ଆସିଛନ୍ତି । କେତେବେଳେ ବିରୋଧୀଙ୍କୁ ଆକ୍ରମଣ ତ ଆଉ କେତେବେଳେ ସର୍ବସାଧାରଣରେ ଅଶ୍ଳୀଳ ଭାଷା ପ୍ରୟୋଗ କରି ନିନ୍ଦିତ ହୋଇଛନ୍ତି । ଖାଲି ସେତିକି ନୁହେଁ ନିଜର ରାଜନୈତିକ ବିରୋଧୀଙ୍କୁ ଶାରୀରିକ ଆକ୍ରମଣ ସହ ଗାଡି ଚଢାଇ ହତ୍ୟା ଉଦ୍ୟମ ଅଭିଯୋଗ ମଧ୍ୟ ରହିଛି । ଏଥିଯୋଗୁଁ ସେ ଆଇନଗତ ଓ ଦଳୀୟ କାର୍ଯ୍ୟାନୁଷ୍ଠାନର ମଧ୍ୟ ସେ ସମ୍ମୁଖୀନ ହୋଇଛନ୍ତି ।

ଏହାବି ପଢନ୍ତୁ- Early Elections Speculations: ପୁଣି ବଢ଼ିଲା ଆଗୁଆ ନିର୍ବାଚନ ଚର୍ଚ୍ଚା; ସେପ୍ଟେମ୍ବର 13ରେ ଓଡ଼ିଶା ଆସିବେ ECI ଟିମ୍

ହେଲେ ଖୋର୍ଦ୍ଧା ଜିଲ୍ଲାରେ ପ୍ରଶାନ୍ତଙ୍କର ରହିଛି ବେଶ ଲୋକପ୍ରିୟତା । ଏକାଧିକ ବିବାଦରେ ଛନ୍ଦି ହୋଇଥିଲେ ମଧ୍ୟ ଏହା ତାଙ୍କ ବିଜୟରେ ପ୍ରତିବନ୍ଧକ ସାଜିପାରିନାହିଁ । ମୂଳତଃ ଖୋର୍ଦ୍ଧା ଅଞ୍ଚଳର ବାସିନ୍ଦା ହୋଇଥିଲେ ବି ବେଗୁନିଆ - ବୋଲଗଡ଼ ଓ ଚିଲିକା ନିର୍ବାଚନ ମଣ୍ଡଳୀରୁ ସେ ବୃହତ ବ୍ୟବଧାନରେ ବିଜୟ ହାସଲ କରିଆସୁଛନ୍ତି । ଦଳ କିମ୍ବା ଦଳୀୟ ଚିହ୍ନ ନୁହେଁ ନିଜସ୍ଵ ସଂଗଠନ, ଅଞ୍ଚଳରେ ଲୋକପ୍ରିୟତା ଯୋଗୁଁ ସେ ବିଜୟ ହାସଲ କରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୁଏ । 2014 ସାଧାରଣ ନିର୍ବାଚନରେ ବେଗୁନିଆରୁ ସେ ବିଜୟ ହାସଲ କରିଥିଲେ । ସମିକରଣ ଦୃଷ୍ଟିରୁ 2019 ରେ ପ୍ରଶାନ୍ତଙ୍କ ନିର୍ବାଚନ ମଣ୍ଡଳୀ ବଦଳିଥିଲେ ବି ସେ ଚିଲିକାରୁ ଜିତିଥିଲେ ।

ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା, ବେଗୁନିଆ, ଚିଲିକା ଓ ଜଟଣୀ ନିର୍ବାଚନ କ୍ଷେତ୍ରରେ ରହିଛି ପ୍ରଶାନ୍ତଙ୍କ ନିଜସ୍ଵ ସଂଗଠନ । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଟାଙ୍ଗି ଅଞ୍ଚଳ ହେଉଛି ପ୍ରଶାନ୍ତଙ୍କର ନିଜସ୍ଵ ଘର । ଏହି ଅଞ୍ଚଳରେ ସେ ମଧ୍ୟ ବେଶ ଲୋକପ୍ରିୟ । ଖୋର୍ଦ୍ଧାରୁ ନିର୍ବାଚନ ଲଢ଼ିବା ଲାଗି ପୂର୍ବରୁ ପ୍ରଶାନ୍ତ ନିଜର ଇଚ୍ଛା ଜାହିର କରିଛନ୍ତି । ହେଲେ ଖୋର୍ଦ୍ଧାରୁ ଲଢ଼ିବା ଲାଗି ତାଙ୍କୁ ସୁଯୋଗ ମିଳିନାହିଁ । ଯଦି ପ୍ରଶାନ୍ତ ବିଜେପିରେ ମିଶନ୍ତି କିମ୍ବା କୌଣସି ଦଳକୁ ନଯାଆନ୍ତି, ତେବେ ସେ ଖୋର୍ଦ୍ଧାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପାରନ୍ତି । ସେହିପରି କିଛିଦିନ ପୂର୍ବରୁ ବେଗୁନିଆ - ବୋଲଗଡ଼ରେ ନିଜର ବିଶାଳ ଘରର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ତେଣୁ ସେ ମଧ୍ୟ ବେଗୁନିଆ ଆସନ ଉପରେ ନଜର ପକାଇଥିବା ଚର୍ଚ୍ଚା ହେଉଛି ।

ଯାହା ଚର୍ଚ୍ଚା ହେଉଛି ଭୁବନେଶ୍ବର ସାଂସଦ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀଙ୍କ ଜରିଆରେ ପ୍ରଶାନ୍ତ ବିଜେପିର ଜାତୀୟ ନେତୃତ୍ୱଙ୍କୁ ପ୍ରଶାନ୍ତ ପ୍ରଭାବିତ କରିବାରେ ସଫଳ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଅପରାଜିତାଙ୍କ ସଂସଦୀୟ କ୍ଷେତ୍ର ହୋଇଥିବାରୁ ସେ ପ୍ରଶାନ୍ତଙ୍କୁ ଦଳକୁ ଆଣିବା ସପକ୍ଷରେ ରହିଛନ୍ତି । ପ୍ରଶାନ୍ତଙ୍କୁ ଦଳକୁ ଆଣିଲେ ଏକାଧିକ ଫାଇଦା ବିଜେପିକୁ ମିଳିବା ସହ ବିଜେଡିକୁ କିଛି ଆସନରେ ଚେକ ଦେଇ ହେବ ବୋଲି ଅପରାଜିତା ଜାତୀୟ ନେତାଙ୍କୁ ବୁଝାଇବାରେ ସକ୍ଷମ ହୋଇଛନ୍ତି । ବିଜେପିରେ ପ୍ରଶାନ୍ତ ସାମିଲ ହେବା ପରେ ଭୁବନେଶ୍ୱର ଲୋକସଭା ସହ ଖୋର୍ଦ୍ଧା, ବେଗୁନିଆ ଓ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ଫାଇଦାରେ ରହିପାରିବ ।

ଏହାବି ପଢନ୍ତୁ- ମୋ ବିରୁଦ୍ଧରେ ଷଡଯନ୍ତ୍ର ହୋଇଥିଲା: ମୋତେ ଟିକେଟ ମିଳିବ, ମୁଁ ଜିତିବି କହିଲେ ଚିଲିକା ବିଧାୟକ

1995ରେ ଜନତା ଦଳରେ ସାମିଲ ହୋଇ 1997ରେ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ିଥିଲେ ପ୍ରଶାନ୍ତ । କଂଗ୍ରେସ ପ୍ରାର୍ଥୀ ରାମ ମହାପାତ୍ରଙ୍କ ଠାରୁ ହାରିଯାଇଥିଲେ ପ୍ରଶାନ୍ତ । କିନ୍ତୁ 2002ରେ ଖୋର୍ଦ୍ଧାର ଜିଲ୍ଲାପରିଷଦ ଅଧ୍ୟକ୍ଷ ଥିବା ରାମ ମହାପାତ୍ରାଙ୍କୁ ହରାଇ ବିଜୟ ହୋଇଥିଲେ ପ୍ରଶାନ୍ତ । ଖାଲି ବିଜୟ ନୁହେଁ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ମଧ୍ୟ ସେ ହୋଇଥିଲେ । 2004 ସାଧାରଣ ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିପକ୍ଷରେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିଥିଲେ ପ୍ରଶାନ୍ତ । ମାତ୍ର 1900 ଭୋଟରେ ତାଙ୍କର ପରାଜୟ ହୋଇଥିଲା । 2009ରେ ଦଳ ଟିକେଟ ଦେଇନଥିଲା । 2014ରେ ବେଗୁନିଆ-ବୋଲଗଡ଼ରୁ ପ୍ରାର୍ଥୀ ହୋଇ ପ୍ରାୟ 52 ହଜାର ଭୋଟ ବ୍ୟବଧାନରେ ପ୍ରଶାନ୍ତ ବିଜୟ ହୋଇଥିଲେ । ସେହିପରି 2019ରେ ଚିଲିକାରୁ ନିର୍ବାଚନ ଲଢ଼ି ପ୍ରାୟ 10 ହଜାର ଭୋଟରେ ବିଜୟ ହୋଇଛନ୍ତି ।

ଯଦି ପ୍ରଶାନ୍ତ ବିଜେପିରେ ସାମିଲ ହୁଅନ୍ତି ତେବେ ଜିଲ୍ଲା ରାଜନୀତି ପ୍ରଭାବିତ ହେବ । ବିଜେପିର ସିଧାସଳଖ ଫାଇଦା ପାଇବ । ବ୍ୟାକଫୁଟରେ ରହିବ ବିଜେଡି । ପ୍ରଶାନ୍ତଙ୍କ ଆଶା ଖୋର୍ଦ୍ଧାରୁ ନିର୍ବାଚନ ଲଢ଼ିବା । ବିଜେପି ଯଦି ତାଙ୍କୁ ଖୋର୍ଦ୍ଧାରୁ ଟିକେଟ ଦିଏ ତେବେ ଖୋର୍ଦ୍ଧାର ଟାଙ୍ଗି ବ୍ଲକରେ ପ୍ରାୟ 1 ଲକ୍ଷ 52 ହଜାର ଭୋଟର ରହିଛନ୍ତି । ସେହି ଅଞ୍ଚଳର ହୋଇଥିବା ପ୍ରଶାନ୍ତ ସର୍ବାଧିକ ଭୋଟ ନିଜ ସପକ୍ଷରେ ଟାଣିବାରେ ଯଦି ସଫଳ ହୁଅନ୍ତି, ତେବେ ତାଙ୍କ ବିଜୟ ପକ୍କା ହୋଇଯିବ । ସେହିପରି ବେଗୁନିଆ ଓ ଚିଲିକାରେ ବିଜେପି ପ୍ରାର୍ଥୀଙ୍କୁ ଯଦି ପ୍ରଶାନ୍ତଙ୍କ ସମର୍ଥନ ମିଳିବ । ତେବେ ବିଜେପି ପ୍ରାର୍ଥୀଙ୍କର ଜିତିବା ସହଜ ହୋଇଯିବ । ଭୁବନେଶ୍ୱର ସାଂସଦ ଥିବା ଅପରାଜିତା ଷଡଙ୍ଗୀ ବେଗୁନିଆ ଆସନରୁ ବିଧାନସଭା ଆସିବାକୁ ଲକ୍ଷ୍ୟ ରଖିଛନ୍ତି । ତେଣୁ ପ୍ରଶାନ୍ତ ଅପରାଜିତାଙ୍କ ପାଇଁ ଟ୍ରମ୍ପ କାର୍ଡ ହୋଇପାରନ୍ତି ।

ବହୁ ବିବାଦର ନାୟକ ପ୍ରଶାନ୍ତଙ୍କୁ ଦଳକୁ ନେଇ ଖୋର୍ଦ୍ଧାରେ ବିଜେଡିକୁ ଚେକ ଦେବାକୁ ଆଶା ରଖିଛି ବିଜେପି । ତେବେ ଦଳରେ ପ୍ରଶାନ୍ତଙ୍କ ସାମିଲ ନେଇ ଖୋଦ ପ୍ରଶାନ୍ତ ଓ ବିଜେପି ନେତା ଚୁପ ଅଛନ୍ତି । ହେଲେ ଜାତୀୟ ସ୍ତରରେ ପ୍ରଶାନ୍ତଙ୍କର ବିଜେପିରେ ସାମିଲ ନେଇ ଆଭାସ ପାଇଥିବାରୁ କଟାକ୍ଷ କରିଥିଲା ବିଜେଡି । ଗୁଣ୍ଡାଗର୍ଦ୍ଦି ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ । କେବଳ ରାଜନୈତିକ ଫାଇଦା ପାଇଁ ପ୍ରଶାନ୍ତ ଜଗଦେବଙ୍କୁ ଫୁଲମାଳ ପିନ୍ଧାଇବାକୁ ବିଜେପି ପ୍ରସ୍ତୁତ ଥିବା ଗତକାଲି ସାମ୍ବାଦିକ ସମ୍ମିଳନୀ କରି କଟାକ୍ଷ କରିଥିଲେ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର । ବିବାଦ ଭିତରକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାଣିଥିଲେ ସସ୍ମିତ । ପ୍ରଶାନ୍ତଙ୍କୁ ବିଜେପିରେ ସାମିଲ କରିବା ନେଇ ଧର୍ମେନ୍ଦ୍ର ଅଗୋଚରରେ ଯୋଜନା ହୋଇଥିବା କୁହାଯାଉଛି । ଧର୍ମେନ୍ଦ୍ରଙ୍କ ବିନା ପରାମର୍ଶରେ ପ୍ରଶାନ୍ତଙ୍କୁ ଦଳରେ ସାମିଲ ଯୋଜନାକୁ ସେ ବିରୋଧ କରିବେ । ଫଳରେ ଧର୍ମେନ୍ଦ୍ର - ଅପରାଜିତାଙ୍କ ବିବାଦ ବଢ଼ିବ । ଧର୍ମେନ୍ଦ୍ରଙ୍କୁ ବିବାଦକୁ ଟାଣି ପ୍ରଶାନ୍ତଙ୍କୁ ବିଜେପିରେ ସାମିଲ ନକରାଇଦେବା ବିଜେଡିର ଏହା ଯୋଜନା । କୌଣସି ଦଳରେ ସାମିଲ ହେବା ପୂର୍ବରୁ ବିଜେଡି ପ୍ରଥମ ଥର ଲାଗି ଏଭଳି କୌଣସି ନେତାଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.