ETV Bharat / politics

ପ୍ରଚାରରେ କମ୍ପିବ ବଡଦାଣ୍ଡ, ମୋଦିଙ୍କ ରୋଡ ସୋକୁ କାଉଣ୍ଟର କରିବ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ - VK PANDIAN ROAD SHOW

author img

By ETV Bharat Odisha Team

Published : May 16, 2024, 9:13 PM IST

VK Pandian Road Show In Puri: ଆସନ୍ତା 20 ତାରିଖରେ ବଡଦାଣ୍ଡରେ ହେବ ବିଗ ଫାଇଟ । ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲିକୁ କାଉଣ୍ଟର କରିବାକୁ ଭିକେ ପାଣ୍ଡିଆନ ଅପରାହ୍ନରେ କରିବେ ରୋଡ ସୋ । ଅଧିକ ପଢନ୍ତୁ

VK Pandian Road Show In Puri
VK Pandian Road Show In Puri (ETV Bharat Odisha)

VK Pandian Road Show In Puri (ETV Bharat Odisha)

ପୁରୀ: ବଡ଼ଦାଣ୍ଡରେ ହେବ ବଡ ଲଢେଇ । ଆସନ୍ତା 20 ତାରିଖ ସକାଳେ ପୁରୀ ବଡଦାଣ୍ଡରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ମୋଦି । ଯାହାକୁ କାଉଣ୍ଟର କରିବା ପାଇଁ ବିଜେଡି ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ଅପରାହ୍ନରେ କରିବେ ରୋଡ ସୋ । ସୂଚନାଯୋଗ୍ୟ ଯେ ଚଳିତ ମାସ ୨୫ରେ ପୁରୀ ଲୋକସଭା ଆସନ ସହ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲିରେ ମତଦାନ ହେବ । ଏହା ପୂର୍ବରୁ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଲେଣି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ରେ ପୁରୀରେ ରୋଡ୍ ସୋ କରିବା ନେଇ ବିଜେପି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ସାରିଥିବାବେଳେ ବିଜେଡି ମଧ୍ୟ ସେହିଦିନ ଭିକେ ପାଣ୍ଡିଆନଙ୍କୁ ଆଣି ଶକ୍ତି ପ୍ରଦର୍ଶନ କରିବ ବୋଲି ଜଣାପଡ଼ିଛି । ଦୁଇ ପ୍ରମୁଖ ଦଳର ପ୍ରମୁଖ ନେତାଙ୍କ ପ୍ରଚାର ଗୋଟିଏ ଦିନରେ ଥିବାରୁ ଏହାକୁ ନେଇ ପୁରୀରେ ରାଜନୀତି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଉଭୟ ନେତାଙ୍କ ପ୍ରଚାର ନେଇ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଆସି ନାହିଁ । ତେବେ ମିଳିଥିବା ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୨୦ରେ ପୁରୀରେ ପହଞ୍ଚିବା ପରେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେବେ । ଦର୍ଶନ ସାରିବା ବଡ଼ଦାଣ୍ଡରେ ରୋଡ୍ ସୋ’ କରିବେ । କିଛି ବାଟ ଚାଲି ଚାଲି ଲୋକଙ୍କ ସହ ହାତ ମିଳାଇବେ । ସକାଳେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଥିବା ବେଳେ ଅପରାହ୍ନରେ ବିଜେଡି ନେତା ଭିକେ ପାଣ୍ଡିଆନ ମଧ୍ୟ ପୁରୀ ଗସ୍ତରେ ଆସି ଶକ୍ତି ପ୍ରଦର୍ଶନ କରିବେ ବୋଲି ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ ... ପୁରୁଣା ଭୁବନେଶ୍ବରରେ ପାଣ୍ଡିଆନଙ୍କ ପ୍ରଚାର, ଧର୍ମେନ୍ଦ୍ର ଓ ଅପରାଜିତାଙ୍କୁ ଟାର୍ଗେଟ - Vk Pandian Campaign

ବିଜେଡି ଜିଲ୍ଲା ସଭାପତି ଦିବାକର ପାତ୍ରଙ୍କ ସୂଚନା ମୁତାବକ, ଭିକେ ପାଣ୍ଡିଆନ ବଡଦାଣ୍ଡର ମରିଚିକୋଟ ଛକରୁ ରୋଡ୍ ସୋ' କରିବେ । ପାଣ୍ଡିଆନଙ୍କ ଏହି ରୋଡ୍ ସୋ ମରିଚିକୋଟ ଛକରୁ ମେଡିକାଲ୍ ଛକ, ଶ୍ରୀଗୁଣ୍ଡିଚା ମନ୍ଦିର, ନବକଳେବର ରୋଡ ହୋଇ ଅଠରନଳାରେ ଶେଷ ହେବ । ପରେ ସତ୍ୟବାଦୀରେ ରୋଡ୍ ସୋ କାର୍ଯ୍ୟକ୍ରମ ରହିଛି । ତେବେ କାର୍ଯ୍ୟସୂଚୀର ସମୟସାରଣୀ ଆସିନଥିବା ପୁରୀ ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର କହିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ଼ ସୋକୁ କାଉଣ୍ଟର ପାଇଁ ବିଜେଡି ଭିକେ ପାଣ୍ଡିଆନଙ୍କୁ ଆଣି ରୋଡ଼ ସୋ କରିବା ପାଇଁ ବ୍ୟବସ୍ଥା କରିଥିବା ପ୍ରଶ୍ନର ଉତ୍ତର ଦେଇ ପୁରୀ ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର କହିଛନ୍ତି," ଏହାର କୌଣସି ସତ୍ୟତା ନାହିଁ । ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବେଶ୍ ଲୋକପ୍ରିୟ । ତାଙ୍କ ଆଗରେ ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ କିଛି ବି ପ୍ରଭାବ ପକାଇବ ନାହିଁ ।" ତେବେ ଏହି ହାଇଭୋଲଟେଜ ଲଢେଇରେ ଭୋଟରଙ୍କୁ କିଏ ନିଜ ସପକ୍ଷରେ ନେବ ତାହା ସମୟ କହିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.