ETV Bharat / state

ଆରମ୍ଭ ହେଲା OBC ସର୍ଭେ, ନିର୍ବାଚନୀ ଭେଳିକି କହିଲେ ବିରୋଧୀ

author img

By

Published : May 1, 2023, 8:51 PM IST

ଓବିସି ସର୍ଭେକୁ ନିର୍ବାଚନୀ ଭେଳିକି କହିଲେ ବିରୋଧୀ
ଓବିସି ସର୍ଭେକୁ ନିର୍ବାଚନୀ ଭେଳିକି କହିଲେ ବିରୋଧୀ

ଆଜିଠାରୁ ରାଜ୍ୟରେ ଓବିସି ସର୍ଭେ ଆରମ୍ଭ ହୋଇଛି । ତେବେ ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ଓବିସି ବର୍ଗ ସବୁବେଳେ ଅବହେଳିତ ହୋଇ ରହିଥିବା ବେଳେ ରାଜ୍ୟ ସରକାରଙ୍କର ଏହି ସର୍ଭେ ଏକ ନିର୍ବାଚନୀ ଭେଳିକି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

ଓବିସି ସର୍ଭେକୁ ନିର୍ବାଚନୀ ଭେଳିକି କହିଲେ ବିରୋଧୀ

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ପଛୁଆ ବର୍ଗ (ଓବିସି) ସର୍ଭେ । ରାଜ୍ୟରେ ୫୪ ପ୍ରତିଶତ ଓବିସି ବର୍ଗ ରହିଛନ୍ତି । ପଛୁଆ ବର୍ଗଙ୍କ ସଂଖ୍ୟାକୁ ନେଇ ରାଜ୍ୟ ସରକାର ସାରା ରାଜ୍ୟରେ ଆରମ୍ଭ କରିଛନ୍ତି ଗଣନା । ତେବେ ଓବିସି ସର୍ଭେରେ ରାଜନୀତିର ବାସ୍ନା ବାରିଛନ୍ତି ବିରୋଧୀ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓବିସିଙ୍କ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି । ଏହା ସହିତ ସରକାର ଗଣନାରେ ରଖିଥିବା ବ୍ୟବସ୍ଥା ଓ କେଉଁ ମାପଦଣ୍ଡ ରଖିଛନ୍ତି, ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀକାନ୍ତ ଦାବି କରିଛନ୍ତି । ସେପଟେ କଂଗ୍ରେସ କହିଛି ସବୁ ଡ୍ରାମା । ନିର୍ବାଚନ ଆସୁଥିବାରୁ ଭୋଟ ହାତେଇବା ପାଇଁ ରାଜ୍ୟ ସରକାର ଏଭଳି କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ତେବେ ରାଜ୍ୟ ସରକାର ଓବିସି ଗଣନା ଆରମ୍ଭ କରିବା ପ୍ରସଙ୍ଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି, "ଗଣନା ସର୍ଭେ ହେଉନାହିଁ । କେବଳ ଶିକ୍ଷାଗତ ଏବଂ ଆର୍ଥିକ ସର୍ଭେ ପାଇଁ ନିଷ୍ପତ୍ତି ହୋଇଛି । ତାହା ପୁଣି ଘରକୁ ଘର ବୁଲି ସର୍ଭେ କରାଯାଉନାହିଁ । ଏହି ସର୍ଭେ କବଳ ଯେଉଁମାନେ ସରକାରଙ୍କ ଏଜେଣ୍ଟ ପାଖକୁ ଯିବେ ସେମାନଙ୍କ ପାଇଁ । ଏହାଦ୍ଵାରା କୌଣସି ସଠିକ ନିର୍ଯାସ ବାହାରିପାରିବ ନାହିଁ । ବହୁ ଦିନରୁ କାଷ୍ଟ୍‌ ସେନ୍ସର କରିବାକୁ ଦାବି ହୋଇଆସୁଛି । ହେଲେ ତାହା ହୋଇପାରିନାହିଁ । ସେମାନଙ୍କର ସଂଖ୍ୟା ଗଣିବା, ଶିକ୍ଷାଗତ ଏବଂ ଆର୍ଥିକ ସ୍ଥିତି ପରଖିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ନିରବ । ଏହାଫଳରେ ଅନ୍ୟ ରାଜ୍ୟଗୁଡିକରେ ଯେଉଁ ମୌଳିକ ସୁବିଧା ମିଳୁଛି ଏମାନେ ସେଗୁଡିକରୁ ବଞ୍ଚିତ ହେଉଛନ୍ତି । ଉଚ୍ଚଶିକ୍ଷା ଏବଂ ଚାକିରୀ କ୍ଷତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ରହିବା କଥା । କିନ୍ତୁ ରାଜ୍ୟ ସରକାର ଚାକିରୀ କ୍ଷତ୍ରରେ ୧୧ ପ୍ରତିଶତ ସଂରକ୍ଷଣ ଦେଇଥିବା ବେଳେ ଉଚ୍ଚଶିକ୍ଷାରେ କିଛିବି ସଂରକ୍ଷଣ ରଖିନାହାନ୍ତି । ଅଧିକାର ନଦେଇ ସର୍ଭେ ପ୍ରହସନ କରିବାର କିଛି ଆବଶ୍ୟକତା ନାହିଁ । ରାଜ୍ୟ ସରକାର କେବଳ ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ସର୍ଭେ ଭେଳିକି କରୁଛନ୍ତି । ରାଜ୍ୟରେ ୫୪ ପ୍ରତିଶତ ଓବିସି ବର୍ଗ ଅଛନ୍ତି, ହେଲେ ତାଙ୍କର ସାମଗ୍ରିକ ବିକାଶ ସହ ଉଚ୍ଚଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ତାଙ୍କୁ ଅବହେଳିତ ହେବାକୁ ପଡୁଛି ।" ସେମାନଙ୍କୁ ସରକାର ସବୁବେଳେ ଅଣଦେଖା କରିଛନ୍ତି, ଯାହା ଅତ୍ୟନ୍ତ ଦୁଃଖଦ ବୋଲି ଶ୍ରୀକାନ୍ତ କହିଛନ୍ତି ।

ସେପଟେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, "ଭୋଟ ପାଇଁ ଏଭଳି ଡ୍ରାମା କରୁଛନ୍ତି ସରକାର । କାଳିଆ ଯୋଜନା, ପିଠା ଯୋଜନାରେ କେତେ ହିତାଧିକାରୀଙ୍କୁ ଫାଇଦା ମିଳିଛି ? ୬୩ ଭାଗ ଓବିସିଙ୍କୁ ବ୍ୟାକୱାର୍ଡ କରିଦିଆଯାଇଛି । ଚାକିରୀ, ଶିକ୍ଷା କ୍ଷତ୍ରରେ ସେମାନଙ୍କର ସଂରକ୍ଷଣ କରାଯାଇନାହିଁ । ୨୪ ବର୍ଷରେ ସରକାର କିଛି କଲେ ନାହିଁ, ଏବେ ନିର୍ବାଚନ ଆସିବାରୁ ନିଦ ଭାଙ୍ଗିଲା । ଯଦି ବିଳମ୍ବରେ ଗଣନା କରୁଛ, ନିଷ୍ଠାରେ କର ।" ସେପଟେ ବିଜେପି ମଧ୍ୟ ଓବିସି ବର୍ଗଙ୍କୁ ସରକାର ଅଣଦେଖା କରୁଛନ୍ତି ବୋଲି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମ କରୁଛି । ରାଜ୍ୟର ଓବିସି ବର୍ଗଙ୍କ ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରିଛନ୍ତି ବୋଲି ପୂର୍ବରୁ ବିଜେପି ଅଭିଯୋଗ ଆଣିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.