ETV Bharat / state

Assembly News: ବିରୋଧୀଙ୍କ ଅଭିଯୋଗ, ସାମ୍ବିଧାନିକ ବ୍ୟବସ୍ଥାରେ ଚାଲୁନାହିଁ ଶାସନ ବ୍ୟବସ୍ଥା !

author img

By ETV Bharat Odisha Team

Published : Sep 25, 2023, 5:22 PM IST

Updated : Sep 25, 2023, 6:02 PM IST

Assembly News
Assembly News

ପ୍ରଶ୍ନକାଳ ପରି ଧୋଇଗଲା ଶୂନ୍ୟକାଳ । 5ଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଅଧିକ ପଢନ୍ତୁ

ସାମ୍ବିଧାନିକ ବ୍ୟବସ୍ଥାରେ ଚାଲୁନାହିଁ ଶାସନ ବ୍ୟବସ୍ଥା

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ପ୍ରଶ୍ନକାଳ ପରି ଧୋଇଗଲା ଶୂନ୍ୟକାଳ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଚାଲୁ ନାହିଁ ରାଜ୍ୟର ଶାସନ ବ୍ୟବସ୍ଥା । ଗଣତନ୍ତ୍ରକୁ ହତ୍ୟା କରାଯାଇ ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି । ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଦେଇ ସଚିବଙ୍କ ନିର୍ଦ୍ଦେଶରେ ବିବୃତି ରଖୁଛନ୍ତି ମୁଖ୍ୟମନ୍ତ୍ରୀ । ଏଭଳି ଶାଣିତ ଢଙ୍ଗରେ ରାଜ୍ୟ ସରକାର, ଶାସକ ଦଳ ଓ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଘେରିଥିବା ବେଳେ ସେପଟେ ଜବାବ ରଖିଛି ଶାସକ ଦଳ ।

ଆଜି ବିଧାନସଭାର ଶୂନ୍ୟକାଳରେ ଆଲୋଚନା ହୋଇପାରିଲା ନାହିଁ ରାଜ୍ୟବାସୀଙ୍କ ପ୍ରସଙ୍ଗ । 5ଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ହଟ୍ଟଗୋଳ, ହୋହଲ୍ଲା, ବିକ୍ଷୋଭରେ ଧୋଇଯାଇଛି ପ୍ରଶ୍ନକାଳ ଓ ଶୂନ୍ୟକାଳ । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି, "ରାଜ୍ୟରେ ଚାଲିଛି ଗୁମାସ୍ତା ଶାସନ । ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ବିଧାନସଭା ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଭିତରେ ଆଉ ଚାଲୁନାହିଁ । କାରଣ ନଥାଇ ମୁଲତବୀକୁ ଗ୍ରହଣ କରାଯାଉନାହିଁ । ପ୍ରଶ୍ନର ଉତ୍ତର ମିଳୁନି କି କହିବାର ସୁଯୋଗ ମିଳୁନାହିଁ । ବିରୋଧୀଙ୍କ ମାଇକକୁ ବନ୍ଦ କରିଦିଆଯାଉଛି ।"

ଏହା ବି ପଢନ୍ତୁ- Monsoon Session: ଜାତୀୟ ରାଜପଥ ପ୍ରସଙ୍ଗରେ ବିଜେଡି ବିଜେପି ମୁହାଁମୁହିଁ, ଦୀପାଳିଙ୍କୁ କୁସୁମଙ୍କ ସମାଲୋଚନା

ସେ ଆହୁରି କହିଛନ୍ତି, "କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କ ସହ ୫T ସଚିବ ଆଲୋଚନା କରୁଛନ୍ତି । ସଚିବଙ୍କ ଗସ୍ତ ମନ୍ତ୍ରୀମାନେ ବୁଝୁଛନ୍ତି । ଗାଡ଼ିରେ ଲୋକଙ୍କୁ ବୁହା ହେଉଛନ୍ତି । ଜିଲ୍ଲାପାଳ ଓ ଏସପି, ବିଜେଡ଼ିର ଜିଲ୍ଲା ସଭାପତି ଓ ସମ୍ପାଦକ ଭାବେ କାମ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯଦି ପ୍ରକୃତରେ ଲୋକଙ୍କ ସମସ୍ୟା ଶୁଣୁଛନ୍ତି ତାହାଲେ ଆଜି କାହିଁକି ରାଜରାସ୍ତାରେ ସରକାରୀ କର୍ମଚାରୀ ଧାରଣା ଦେଉଛନ୍ତି । 5T ସଚିବ ନିର୍ବାଚନୀ ପ୍ରଚାର ପାଇଁ ଯାଉଛନ୍ତି । ଯିଏ ସମାଲୋଚନା କରୁଛି, ତା ପ୍ରତି ପ୍ରତିହିଂସା ପରାୟଣ ହେଉଛନ୍ତି । ଗଣମାଧ୍ୟମ କଣ୍ଠରୋଧ କରାଯାଉଛି । ଉଭୟ ବିଜେପି ଓ ବିଜେଡି ଦଳର ନୈତିକତା ନାହିଁ ।"

ଏହା ବି ପଢନ୍ତୁ- Assembly Monsoon Session: ମୁଖ୍ୟମନ୍ତ୍ରୀଙ୍କ ପାଲଟା ପ୍ରଶ୍ନ, ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝିଲେ ଅସୁବିଧା କେଉଁଠି ?

ସେହିପରି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର କହିଛନ୍ତି, "ସଚିବଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ବିବୃତି ଦେଉଛନ୍ତି । ଆମେ ଯେଉଁ ପ୍ରଶ୍ନ କରୁଛୁ ତାର ଉତ୍ତର ନ ଦେଇ ମୁଖ୍ୟମନ୍ତ୍ରୀ ତାଙ୍କ ଆଡୁ ଗ୍ରିଭାନ୍ସ କେବେ ହୋଇଥିଲା କହୁଛନ୍ତି । ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ଦେଖା କରନ୍ତି ନାହିଁ, ଲୋକଙ୍କୁ କଣ ଦେଖା କରିବେ ଓ ଗ୍ରିଭାନ୍ସ ଶୁଣିବେ । ବିରୋଧୀ ଦଳ ନେତା କହୁଥିବା ବେଳେ ତାଙ୍କ ମାଇକ ବନ୍ଦ କରିଦିଆଗଲା । ଯାହାକି ବିଧାନସଭା ଇତିହାସରେ ପ୍ରଥମ ଘଟଣା । ବିଧାନସଭା ନିୟମ ଅନୁଯାୟୀ ଚାଲୁନାହିଁ । ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡି ପଡ଼ିଛି । ଗଣତନ୍ତ୍ରରେ ସରକାର ଉତ୍ତର ଦେବା ପାଇଁ ବାଧ୍ୟ । ଆମେ ଯେଉଁ ପ୍ରଶ୍ନ କରିଛୁ ତାହା ଲୋକଙ୍କ ପ୍ରଶ୍ନ । ମୁଖ୍ୟମନ୍ତ୍ରୀ ଗଣତନ୍ତ୍ରକୁ ରାଜ୍ୟରେ ହତ୍ୟାକରି ଅଫସିର ଶାସନ ଚଳାଇଛନ୍ତି ।"

ବିରୋଧୀ ଦଳର ଅଭିଯୋଗର ଜବାବ ରଖିଛି ଶାସକ ଦଳ । 5T ସଚିବଙ୍କ ଗସ୍ତକୁ ନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ବିଜେପିର ବିକାଶ ବିରୋଧୀ ମନୋଭାବକୁ ସେ ଟାର୍ଗେଟ କରି କହିଛନ୍ତି, "ବିଜେପି ବିଧାୟକ ନିଜକୁ ପଚାରନ୍ତୁ ଯେ ମୁଖ୍ୟମନ୍ତ୍ରୀକୁ କାର୍ଯ୍ୟାଳୟ ସେମାନଙ୍କ ନିର୍ବାଚନ ମଣ୍ଡଳୀକୁ ଯିବା ପରେ ଅଞ୍ଚଳର ସମସ୍ୟା ସମାଧାନ ହୋଇଛି ନା ନାହିଁ । ପ୍ରାୟ ବିରୋଧୀ ଦଳ ଲୋକଙ୍କ ମତ ହେଉଛି ଯେ ବହୁତ ଦିନରୁ କାମ ପଡିଥିଲା, ଯାହା ହେଉ ହୋଇଗଲା । ଏବେ ବି ଯଦି ସେମାନେ ହୃଦୟଙ୍ଗମ କରୁନାହାନ୍ତି, ସେମାନେ ସ୍ପଷ୍ଟ ଭାବେ କହି ଦିଅନ୍ତୁ ଯେ ତାଙ୍କ ନିର୍ବାଚନ ମଣ୍ଡଳୀରେ କାମ ଦରକାର ନାହିଁ ।"

ଏହା ବି ପଢନ୍ତୁ- Assembly Monsoon Session: ପ୍ରଶ୍ନକାଳରେ ଗୃହ ବନ୍ଦ ଠିକ ନୁହେଁ କହିଲା କଂଗ୍ରେସ

ପ୍ରତାପ ଆହୁରି କହିଛନ୍ତି, "ଆମେ ଲୋକଙ୍କ ଉନ୍ନତି ଓ ଅଞ୍ଚଳର ପ୍ରଗତି ପାଇଁ ଆସିଛୁ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ପାଖକୁ ଯିବା 5T ଅଧୀନରେ ଅଛି । ଯଦି ବିରୋଧୀ ଏହା ଚାହୁଁ ନାହାନ୍ତି, ସେମାନେ ଲିଖିତ ଭାବେ ଦିଅନ୍ତୁ ଯେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ବିକାଶ ଦରକାର ନାହିଁ । ଅନେକ କାମ ବିଧାୟକ ଚେଷ୍ଟାରେ ବି ହୁଏନି । ହେଲେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ହସ୍ତକ୍ଷେପ କଲେ, ଏହା ହୋଇଯିବାର ବିଶ୍ୱାସ ତ୍ୱରାନ୍ୱିତ ହୁଏ । ନିର୍ବାଚନ ମଣ୍ଡଳୀ ଗୁଡିକ ଅନେକ କାମ ସମ୍ପୂର୍ଣ୍ଣ ହୋଇଯାଉଛି । ଯାହା ଦୀର୍ଘ ଦିନରୁ ହୋଇ ପାରୁ ନଥିଲା ତାହା ହେଉଛି । ଏହା ଲୋକଙ୍କ ହିତର କାର୍ଯ୍ୟ । ତାକୁ ସମାଲୋଚନା କରିବାର ଯଥାର୍ଥ ନାହିଁ ।"

5ଟି ସଚିବଙ୍କୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଥିବା ବାଦ ବିବାଦ ଭିତରେ ଗୃହରେ ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଜବାବ ବିରୋଧୀଙ୍କୁ କେତେ ସନ୍ତୁଷ୍ଟ କରିଛି ତାହା ସମୟ କହିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 25, 2023, 6:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.