ETV Bharat / state

ଛାଡୁଛି ବନ୍ୟା ପାଣି, ଜଳବାହିତ ରୋଗକୁ ନେଇ ଭୟରେ ସ୍ବାସ୍ଥ୍ୟ ବିଭାଗ

author img

By

Published : Aug 7, 2023, 4:33 PM IST

Updated : Aug 7, 2023, 4:40 PM IST

Etv Bharat
Etv Bharat

ବର୍ଷା କମିବା ପରେ ସୁଧୁରୁଛି ସ୍ଥିତି । ଧୀରେ ଧୀରେ ବନ୍ୟା ପାଣି ଛାଡୁଥିବା ବେଳେ ଜଳ ବାହିତ ରୋଗର ଆଶଙ୍କା ରହିଛି । ଏଣୁ ଆଗୁଆ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

ଛାଡୁଛି ବନ୍ୟା ପାଣି, ଜଳବାହିତ ରୋଗକୁ ନେଇ ଭୟରେ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ବନ୍ୟା ପାଣି ଛାଡ଼ିବା ସହ ଜଳବାହିତ ରୋଗକୁ ନେଇ ସ୍ବାସ୍ଥ୍ୟ ବିଭାଗକୁ ଭୟ । ବନ୍ୟାପାଣି ଛାଡ଼ିବା ପରେ ପ୍ରସ୍ତୁତ ରହିଛି ସ୍ବାସ୍ଥ୍ୟ ବିଭାଗ । ବର୍ତ୍ତମାନ ସୁଦ୍ଧା ସ୍ବାସ୍ଥ୍ୟ ବିଭାଗ 48 ମେଡିକାଲରେ ରିଲିଫ୍‌ ଶିବିର କରିଛି । 29 ଟିମ୍‌ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି । ପ୍ରାୟ 11 ହଜାର ORS ବଣ୍ଟା ଯାଇଛି ଏବଂ 28 ହଜାରରୁ ଅଧିକ ହାଲୋଜେନ୍‌ ବଣ୍ଟା ଯାଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, "ବନ୍ୟା ପାଣି ଛାଡ଼ିବା ସହ ଝାଡ଼ାବାନ୍ତି ପରି ରୋଗର ଭୟ ବଢ଼େ । କାରଣ ଜଳ ଉତ୍ସଗୁଡ଼ିକରେ ବନ୍ୟା ପାଣି ମିଶି ଯାଇଥାଏ । ଏନେଇ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିକାରମୂଳକ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଯାଇଛି । ଏନେଇ ମଧ୍ୟ ସମସ୍ତେ ପ୍ରସ୍ତୁତ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା 48 ମେଡିକାଲରେ ରିଲିଫ୍‌ ଶିବିର କରାଯାଇଛି । 29 ଟିମ୍‌ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି । ପ୍ରାୟ 11ହଜାର ORS ବଣ୍ଟା ଯାଇଛି । 28 ହଜାରରୁ ଅଧିକ ହଲୋଜେନ ବଣ୍ଟା ଯାଇଛି ।"

ଏହା ବି ପଢନ୍ତୁ-ରାଜ୍ୟରୁ ଟଳିଲା ବନ୍ୟା ବିପଦ, କମୁଛି ନଦୀଗୁଡ଼ିକର ଜଳସ୍ତର

ସେ ଆହୁରି କହିଛନ୍ତି, "ବନ୍ୟାଞ୍ଚଳରେ ପ୍ରାୟ 1390 ଲୋକ ଚିକିତ୍ସା ପାଇଛନ୍ତି । 36 ଝାଡ଼ାବାନ୍ତି ରୋଗୀ ଚିକିତ୍ସିତ ହୋଇଛନ୍ତି । କେହି ବି ହସ୍ପିଟାଲରେ ଭର୍ତ୍ତି ହୋଇ ନାହାନ୍ତି । କୂଅରେ ବ୍ଲିଚିଂ ପାଉଡ଼ର ସ୍ପ୍ରେ' କରାଯିବ । ଲୋକେ ବନ୍ୟା ପାଣି ବ୍ୟବହାର କରନ୍ତୁ ନାହିଁ । ହାତ ସଫା ରଖନ୍ତୁ । ଶୌଚ ପରେ ଓ ଖାଇବା ଆଗରୁ ହାତ ସଫା କରିବାକୁ ଲୋକମାନଙ୍କୁ ବୁଝା ଯାଉଛି । ଯେଉଁଠି ଆବଶ୍ୟକ, ମେଡିକାଲ୍‌ କ୍ୟାମ୍ପ୍‌ କରାଯାଉଛି ।"

ସୂଚନା ଅନୁଯାୟୀ, ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ଗାଁ ପାଣିଘେରରେ ରହିଛି । ପାଣି ଘେରରେ ଅନେକ ସରୀସୃପଙ୍କର ପ୍ରାର୍ଦୁଭାବ ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକମାନଙ୍କୁ ସତର୍କତା ରହିବାକୁ ପରାମର୍ଶ ଦିଆଯାଇଛି । ସାଧାରଣତଃ ବନ୍ୟା ଜଳରେ ଅନେକ ବିଷଧର ସାପମାନଙ୍କର ପ୍ରାର୍ଦୁଭାବ ରହିଥାଏ । ତେବେ ବିଭାଗ ପକ୍ଷରୁ ସାପ କାମୁଡା ରୋଗୀଙ୍କୁ ମାଗଣା ଔଷଧ ଓ ଟେଷ୍ଟିଂ ଯୋଗାଇ ଦିଆଯିବ । ଏଥି ସହ ସମସ୍ତ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସାପ କାମୁଡ଼ାରେ ବ୍ୟବହୃତ ଆଣ୍ଟିଭେନମ୍ ଇଞ୍ଜେକ୍ସନ ଓ ଜରୁରୀକାଳୀନ ଔଷଧ ମହଜୁଦ ରଖିବାକୁ କୁହାଯାଇଛି ।

ବର୍ତ୍ତମାନ ରାଜ୍ୟରେ ଡେଙ୍ଗୁ ପ୍ରଭାବ ରହିଥିବା ବେଳେ ବନ୍ୟା କାରଣରୁ ଅଧିକାଂଶ ଗାଁରେ ଜଳବାହିତ ରୋଗର ଆଶଙ୍କା ରହିଛି । ପୂର୍ବରୁ ଓଡ଼ିଶାର କେତେକ ସ୍ଥାନରେ ଜଳବାହିତ ରୋଗ ବ୍ୟାପିଥିବା ବେଳେ କେତେକ ରୋଗୀଙ୍କର ଜୀବନ ମଧ୍ୟ ଯାଇଛି । ବନ୍ୟାଞ୍ଚଳରେ ଜଳ ଉତ୍ସଗୁଡିକ ଦୂଷିତ ହୋଇଯାଇଥିବାରୁ ଉକ୍ତ ପାଣିରେ ହାଲୋଜେନ ବଟିକା ପକାଇ ପାଣି ପିଇବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପାଣିଘେରରେ ଥିବା ଗାଁରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ଶିବିର ମଧ୍ୟ ବ୍ୟବସ୍ଥା କରାଯାଛି । ଉକ୍ତ ଶିବିରରେ ଲୋକମାନଙ୍କର ଦୈନିକ ବ୍ୟବହାର ଔଷଧ ମାଗଣା ବିତରଣ କରାଯିବ ସହ ଲୋକମାନେ ଶୁଖିଲା ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 7, 2023, 4:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.