ETV Bharat / state

୪ ଦିନ ହେଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହିରିମୂଳ: ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ

author img

By ETV Bharat Odisha Team

Published : Sep 21, 2023, 11:25 AM IST

Updated : Sep 21, 2023, 3:38 PM IST

ଖୋର୍ଦ୍ଧାରେ ବନ୍ୟା ସ୍ଥିତି
ଖୋର୍ଦ୍ଧାରେ ବନ୍ୟା ସ୍ଥିତି

ଫୁଲୁଛି ମହାନଦୀ । 4 ଦିନ ହେବ ବାହ୍ୟ ଜଗତରୁ ବିଚ୍ଛିନ୍ନ ଖୋର୍ଦ୍ଧା ଜିଲ୍ଲାର ହିରିମୂଳ ଗାଁ । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧାରେ ବନ୍ୟା ସ୍ଥିତି

ଖୋର୍ଦ୍ଧା: ହୀରାକୁଦ ଜଳଭଣ୍ଡାରର ୨୬ ଗେଟ୍ ଖୋଲା ହେବା ପରେ ମହାନଦୀ ଏବଂ ଏହାର ଶାଖା ଦୟା, ରାଜୁଆ ଆଦି ନଦୀରେ ଅଧିକ ଜଳ ପ୍ରବାହିତ ହେଉଛି । ଦୟା ନଦୀର ଶାଖା ରାଜୁଆର ଜଳପତ୍ତନ ବୃଦ୍ଧି ପାଇଛି । ଫଳରେ ଖୋର୍ଦ୍ଧା ତହସିଲର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି । ତା' ଉପରେ ପୁଣି ଲଘୁଚାପ ପ୍ରଭାବରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଏହିସବୁ କାରଣ ଯୋଗୁଁ ଗତ ୪ ଦିନ ହେଲା ଓରବରସିଂ ପଞ୍ଚାୟତର ହିରିମୂଳ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇରହିଛି । ଗାଁ ଦାଣ୍ଡରେ ୩ ଫୁଟର ପାଣି ଚାଲୁ ଚାଲୁଛି । ସେହିପରି ଡିହଖୋଳା, ଦୁର୍ଗାପୁର ଗାଁରେ ମଧ୍ୟ ପାଣି ପଶିଛି । ଏମିତି ବର୍ଷା ଲାଗି ରହିଲେ ଆଗକୁ ସ୍ଥିତି ଆହୁରି ଖରାପ ହେବ ବୋଲି ଆକଳନ କରାଯାଉଛି ।

ଏହାମଧ୍ୟ ପଢନ୍ତୁ: ତୁହାକୁ ତୁହା ବର୍ଷା ପରେ ବିପଦ ସଙ୍କେତ ଉପରେ ଅଧିକାଂଶ ନଦୀ, ପିପିଲିରେ ପୁଣି ବନ୍ୟା ଭୟ

ରାୟପୁର, ଲେଖନପୁର, ମଶାଣିଆ, କୃଷ୍ଣପୁର, ବାଲିକୁଦା ଏବଂ ନରଡଗଡ଼ ପଞ୍ଚୟତର ଓରମି, ମାନପୁର, ଧବଳପୁର ଓ ବଳପୁର ପ୍ରଭୃତି ଗାଁ ଚାରିପଟେ ଥିବା ଶହଶହ ଏକର ଚାଷଜମି ବନ୍ୟା ପାଣିରେ ବୁଡ଼ି ରହିଛି । ଗତ ଅଗଷ୍ଟ ମାସରେ ଏହିସବୁ ଅଞ୍ଚଳର ଚାଷ ଜମି ଜଳମଗ୍ନ ହୋଇ ବ୍ୟାପକ ଫସଲ କ୍ଷତି ହୋଇଥିବା ବେଳେ ଦେଢ଼ ମାସ ଭିତରେ ପୁଣିଥରେ ଜମି ଜଳମଗ୍ନ ହେବା ଚାଷୀଙ୍କ ପାଇଁ ଦୁଃଖର କାରଣ ହୋଇଛି । ଅନ୍ୟପକ୍ଷେ ଜଳମଗ୍ନ ହୋଇଥିବା ଗ୍ରାମଗୁଡ଼ିକ ଉପରେ ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି । ପ୍ରଶାସନ ପକ୍ଷରୁ ବନ୍ୟା ଘେରରେ ଥିବା ଗାଁ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ ସହିତ ଗୋ ଖାଦ୍ୟ ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ସେହିପରି ଯାତାୟତ ପାଇଁ ଦୁଇଟି ବୋଟ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: Weather Update: ଲଘୁଚାପ ପ୍ରଭାବରେ ୨୩ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଆଜି ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ ଆଦି ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated :Sep 21, 2023, 3:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.