ETV Bharat / state

ଖଲ୍ଲିକୋଟ ହିଂସା ନେଇ ସିଇଓଙ୍କ ନିର୍ଦ୍ଦେଶ, 'ନିର୍ବାଚନୀ ହିଂସା ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନିଅ' - CEO on Khallikote Violence

author img

By ETV Bharat Odisha Team

Published : May 16, 2024, 11:53 AM IST

CEO on Khallikote Violence: ଖଲ୍ଲିକୋଟ ହିଂସାକୁ ନେଇ ଆକ୍ସନ ମୁଡରେ ମୁଖ୍ୟ ନିର୍ବାଚନ ଅଧିକାରୀ । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ

CEO on  Khallikote Violence
CEO on Khallikote Violence (ETV Bharat Odisha)

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବିଧାନସଭା କ୍ଷେତ୍ରରେ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ପୋଷ୍ଟର ମରାକୁ କେନ୍ଦ୍ର କରି ଦୁଇ ରାଜନୈତିକ ଦଳର କର୍ମୀ ମୁହାଁମୁହିଁ ହୋଇଛନ୍ତି । ଏହି ଭୟଙ୍କର ହିଂସା ଘଟଣାରେ ଜଣଙ୍କର ମୃତ୍ୟୁ ଓ 7ରୁ ଅଧିକ ଆହତ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଏହି ଘଟଣାକୁ ଗୁରୁତ୍ବର ସହ ନେଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ କହିଛନ୍ତି । ପ୍ରାକନିର୍ବାଚନୀ ହିଂସାକୁ ଆୟତ୍ତ କରିବା ପାଇଁ ତୁରନ୍ତ ବିଧି ସମ୍ମତ ପଦକ୍ଷେପ ଗ୍ରହଣ କରି ଅତିଶୀଘ୍ର ଶାନ୍ତି ପ୍ରତିଷ୍ଠା ପାଇଁ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଅରକ୍ଷୀ ଅଧ୍ୟକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଇଓ ନିକୁଞ୍ଜ ବିହାରୀ ଧଳ ।

ରାଜ୍ୟରେ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ ଶବ୍ଦରେ ପ୍ରକାଶ କରିଛନ୍ତି । କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଭାରତ ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଶୂନ୍ୟ ସହନଶୀଳତା ନୀତି ଅତ୍ୟନ୍ତ ସ୍ପଷ୍ଟ । ଗଞ୍ଜାମ ଜିଲ୍ଲାରେ ପ୍ରାକନିର୍ବାଚନୀ ହିଂସାକୁ ଆୟତ୍ତ କରିବା ପାଇଁ ତୁରନ୍ତ ବିଧି ସମ୍ମତ ପଦକ୍ଷେପ ଗ୍ରହଣ କରି ଅତି ଶୀଘ୍ର ସେଠାରେ ଶାନ୍ତି ପ୍ରତିଷ୍ଠା ପାଇଁ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଅରକ୍ଷୀ ଅଧ୍ୟକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଖଲ୍ଲିକୋଟରେ ରାଜନୈତିକ ହିଂସା, ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ଆକ୍ରମଣରେ ଜଣେ ମୃତ - Violence In Khallikote

ସୂଚନା ଅନୁସାରେ, ଗତକାଲି(ବୁଧବାର) ବିଳମ୍ବିତ ରାତ୍ରିରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ବିଜେପି କର୍ମୀମାନେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ନିର୍ବାଚନ ପୋଷ୍ଟର ଲଗାଉଥିଲେ । ଏହି ସମୟରେ ଜଣେ ବ୍ୟକ୍ତିଙ୍କ ଘର ଆଗରେ ବିଜେପି ପୋଷ୍ଟର ଲଗାଯାଇଥିବାରୁ ସେ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ବଚସା ଉଗ୍ରରୂପ ନେଇଥିଲା । ପରସ୍ପରଙ୍କ ମଧ୍ୟରେ ଖଣ୍ଡାରେ ଆକ୍ରମଣ କରିଥିଲେ । ଆକ୍ରମଣ ପ୍ରତିଆକ୍ରମଣରେ ଜଣେ ବିଜେପି କର୍ମୀ ରାମ ପାହାନଙ୍କ ପୁତ୍ର ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହୋଇଥିବା ବେଳେ 7ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଖଲ୍ଲିକୋଟ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.