ETV Bharat / state

Weather Update: ତୁହାକୁ ତୁହା ବର୍ଷାରେ ଭିଜୁଛି ରାଜଧାନୀ, ଆସୁଛି ଲଘୁଚାପ

author img

By

Published : Jun 24, 2023, 6:04 PM IST

Etv Bharat
Etv Bharat

ରାଜ୍ୟରେ ମୌସୁମୀ ଛୁଇଁବା ପରେ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

Weather Update

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗି ରହିଛି ମୌସୁମୀ ବର୍ଷା । ତୁହାକୁ ତୁହା ବର୍ଷାରେ ଭିଜୁଛି ରାଜଧାନୀ ଭୁବନେଶ୍ବର । ଏହାସହ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ବାୟୁମଣ୍ଡଳର ୭.୬ କିମି ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଆଗାମୀ ୨୪ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଲଘୁଚାପ କ୍ଷେତ୍ରଟି ଘୂର୍ଣ୍ଣିବଳୟର ସମାନ ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ବେଳେ ମୌସୁମୀ ବର୍ଷାକୁ ଅଧିକ କ୍ରିୟାଶୀଳ କରିବ । ଏହାକୁ ନେଇ ଆଗାମୀ ୩ରୁ ୪ ଦିନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ.ଆର ବିଶ୍ବାସ ସୂଚନା ଦେଇଛନ୍ତି । ଆସନ୍ତା ୨୪ ଘଣ୍ଟାରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ିର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ତେଣୁ ୮ ଜିଲ୍ଲା ଯେପରିକି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହା ବି ପଢନ୍ତୁ- ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲା, ପୂର୍ବତନ ବିଧାୟକ ରାମମୂର୍ତ୍ତୀ ଗମାଙ୍ଗ ଦୋଷୀ ସାବ୍ୟସ୍ତ

ସେହିପରି ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି । ବାକି ଜିଲ୍ଲାଗୁଡ଼ିକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୭ ତାରିଖରେ ବର୍ଷାର ପରିମାଣ କମିବାକୁ ଥିବା ବେଳେ ପଶ୍ଚିମ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଗତକାଲି ସାରା ରାଜ୍ୟରେ ମୌସୁମୀ ଅଗ୍ରସର ହୋଇଥିବା ବେଳେ ତାତି ଓ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିବା ସହ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି ।

ରାଜ୍ୟର ୧୧ଟି ସ୍ଥାନରେ ୬୦ ପ୍ରତିଶତରୁ ଅଧିକ ବର୍ଷା ହୋଇଥିବା ବେଳେ ନୂଆପଡ଼ା କୋମନାରେ ସର୍ବାଧିକ ୧୩୨.୦୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ରାଜ୍ୟରେ କେନ୍ଦ୍ରାପଡାରେ ୩୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟକୁ ମୌସୁମୀ ଛୁଇଁବା ପରେ ପ୍ରବଳ ଖରାରୁ ପୂର୍ବାଞ୍ଚଳ ବାସୀଙ୍କୁ ରକ୍ଷା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.