ETV Bharat / state

ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲା, ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ

author img

By

Published : Jun 24, 2023, 4:16 PM IST

Updated : Jun 24, 2023, 10:21 PM IST

ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ । ପୂର୍ବତନ ବିଧାୟକଙ୍କୁ ଦୋଷୀ କରିଛନ୍ତି ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ । ଅଧିକ ପଢ଼ନ୍ତୁ

ପୂର୍ବତନ ବିଧାୟକ ରାମମୂର୍ତ୍ତୀ ଗମାଙ୍ଗ ଦୋଷୀ ସାବ୍ୟସ୍ତ
ପୂର୍ବତନ ବିଧାୟକ ରାମମୂର୍ତ୍ତୀ ଗମାଙ୍ଗ ଦୋଷୀ ସାବ୍ୟସ୍ତ

ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ

ଭୁବନେଶ୍ବର/ରାୟଗଡ଼ା: ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ । ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ । ୧୯୯୫ ମସିହା ଅଗଷ୍ଟ ମାସ ୨୯ ତାରିଖରେ ଭୁବନେଶ୍ବର ଏମ୍‌ଏଲ୍‌ଏ କଲୋନୀରେ ରାମମୂର୍ତ୍ତିଙ୍କ ବାସଭବନ DS18/1ରୁ ତାଙ୍କ ପତ୍ନୀଙ୍କର ମିଳିଥିଲା ମୃତଦେହ । ଏହି ଘଟଣାରେ ପୂର୍ବତନ ବିଧାୟକଙ୍କୁ ଦୋଷୀ କରିଛନ୍ତି ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ । ପତ୍ନୀ ଗର୍ଭବତୀ ଥିବା ସମୟରେ ତାଙ୍କୁ ରାମମୂର୍ତ୍ତି ଜାଳି ଦେଇଥିବା ଅଭିଯୋଗ ହୋଇଥିଲା ।

ତେବେ ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ରଶ୍ମୀରଞ୍ଜନ ବ୍ରହ୍ମାଙ୍କ ସୂଚନା ଅନୁସାରେ, ୧୯୯୫ ମସିହା ଅଗଷ୍ଟ ମାସ ୨୯ ତାରିଖରେ ରାମମୂର୍ତ୍ତି ଗମାଙ୍ଗଙ୍କ ପତ୍ନୀ ଶଶିରେଖା ଗମାଙ୍ଗଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା । ଭୁବନେଶ୍ବର ଖାରବେଳନଗରସ୍ଥିତ ଏମ୍‌ଏଲ୍‌ଏ କଲୋନୀରେ ଥିବା ରାମମୂର୍ତ୍ତିଙ୍କ ସରକାରୀ ବାସଭବନ DS18/1ରୁ ଶଶିରେଖାଙ୍କର ଜଳିଯାଇଥିବା ମୃତଦେହ ଉଦ୍ଧାର କରାଯାଇଥିଲା । ଏନେଇ ନିଜେ ରାମମୂର୍ତ୍ତି ତାଙ୍କ ପତ୍ନୀ ଆତ୍ମହତ୍ୟା କରିଥିବା ନେଇ ପୋଲିସକୁ ଖବର ଦେଇଥିଲେ । ପତ୍ନୀ ଶଶିରେଖା ବାଥରୁମ୍‌ ଭିତରେ ଆତ୍ମହତ୍ୟା କରିଥିବା ସେ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ।

ତେବେ ଘଟଣାର ତଦନ୍ତ ବେଳେ ଏହା ଆତ୍ମହତ୍ୟା ନୁହେଁ ବୋଲି ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ସନ୍ଦେହ କରିଥିଲା । ଏନେଇ ଅଧିକ ତଦନ୍ତ ପରେ ନିଜେ ରାମମୂର୍ତ୍ତିଙ୍କର ଏହି ଘଟଣାରେ ସଂପୃକ୍ତି ଥିବା କଥା ସାମ୍ନାକୁ ଆସିଥିଲା । ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାପାଇଁ ରାମମୂର୍ତ୍ତି ପ୍ରୟାସ କରିଥିଲେ ବୋଲି ପୋଲିସ ଜାଣିବାକୁ ପାଇଥିଲା । ସେହି ଆଧାରରେ ପୋଲିସ ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରି ତଦନ୍ତକୁ ଜୋରଦାର କରିଥିଲା । ଭୁବନେଶ୍ବର ସ୍ବତନ୍ତ୍ର ଏମ୍‌ଏଲ୍‌ଏ କୋର୍ଟ ରାମମୂର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ଟି ଦସ୍ତାବିଜ୍ ଆଧାରରେ ପୂର୍ବତନ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଆସନ୍ତା ମଙ୍ଗଳବାର ଦିନ କୋର୍ଟ ଏହି ମାମଲାରେ ଦଣ୍ଡବିଧାନ କରିବେ ବୋଲି ଜଣାପଡ଼ିଛି ।

ପ୍ରକାଶ ଥାଉ କି, ରାମମୂର୍ତ୍ତି ଗମାଙ୍ଗ ୨ ଥର ଦଶମ ଓ ଦ୍ବାଦଶ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେ ପ୍ରଥମେ ୧୯୯୦ ମସିହାରେ ଜନତା ଦଳ ଟିକେଟରେ ଗୁଣୁପୁର ନିର୍ବାଚନମଣ୍ଡଳୀ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ଜନତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ୨୦୦୦ ମସିହାରେ ପୁଣିଥରେ ବିଜେପି ଟିକେଟରେ ନିର୍ବାଚନ ଜିତି ଦ୍ୱିତୀୟ ଥର ବିଧାୟକ ହୋଇଥିଲେ ରାମମୂର୍ତ୍ତି ।

ଇଟିଭି ଭାରତ, ଭୁବନେଶ୍ବର/ରାୟଗଡ଼ା

Last Updated : Jun 24, 2023, 10:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.