ETV Bharat / state

ଦୁର୍ଘଟଣାରେ ପ୍ରାଣ ହରାଇଲେ ଛାତ୍ର, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥରେ ଉତ୍ତେଜନା

author img

By ETV Bharat Odisha Team

Published : Oct 15, 2023, 8:54 PM IST

ଦୁର୍ଘଟଣାରେ ଛାତ୍ର ମୃତ୍ୟୁ: କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
ଦୁର୍ଘଟଣାରେ ଛାତ୍ର ମୃତ୍ୟୁ: କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ଦୁର୍ଘଟଣାରେ ଚାଲିଗଲା ଜଣେ ଛାତ୍ରର ଜୀବନ । କ୍ଷତିପୂରଣ ଦାବିରେ 57ନଂ ଜାତୀୟ ରାଜପଥ ଅବରୋଧ । ରେଡକ୍ରସ ପାଣ୍ଠିରୁ 50 ହଜାର ସହାୟତା ରାଶି ପ୍ରଦାନ । ବୁଝାସୁଝା ପରେ ହଟିଲା ରାସ୍ତାରୋକ । ଅଧିକ ପଢନ୍ତୁ

ଦୁର୍ଘଟଣାରେ ଛାତ୍ର ମୃତ୍ୟୁ: କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ଖୋର୍ଦ୍ଧା: ଦୁର୍ଘଟଣାରେ ଚାଲିଗଲା ଜଣେ ଛାତ୍ରର ଜୀବନ । କ୍ଷତିପୂରଣ ଦାବିରେ ଗ୍ରାମବାସୀ ଆଜି ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଟୀକାତାଳ ଗ୍ରାମର ଦଶମ ଶ୍ରେଣୀର ଛାତ୍ର ବିଶ୍ଵନାଥ ବରାଡ଼ ନିଜର ଜଣେ ସମ୍ପର୍କୀୟଙ୍କ ସହ କୌଣସି କାମରେ ଖୋର୍ଦ୍ଧା ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ କାର ଧକ୍କା ଦେଇଥିଲା । ଦୁର୍ଘଟଣାରେ ବିଶ୍ୱନାଥ ଗୁରୁତର ଆହତ ହୋଇଥିବା ବେଳେ ପ୍ରଥମେ ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ଏମ୍ସ ମେଡିକାଲ ଭର୍ତ୍ତି ହୋଇଥିଲେ କିନ୍ତୁ ସେଠାରେ ଚିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉକ୍ତ କାରକୁ କାବୁ କରି ଥିବାବେଳେ ଗାଡିରୁ ବିପୁଳ ପରିମାଣର ମଦ ଜବତ କରିଥିଲେ । ଏହା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି କାରକୁ ଜବତ କରିଥିଲା । ହେଲେ ଗତକାଲି ରାତିରେ ହିଁ ପୋଲିସ ଉକ୍ତ ଗାଡିଟିକୁ ଛାଡି ଦେଇଥିଲା । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଏହା ମଧ୍ୟ ପଢନ୍ତୁ...ବାଇକକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ, ଆଖି ବୁଜିଲେ 3 ଛାତ୍ର

ବିଶ୍ବନାଥଙ୍କ ପରିବାର ଗରିବ ଦିନ ମଜୁରିଆ ହୋଇଥିବା ବେଳେ ସେ ଘରର ଗୋଟିଏ ବୋଲି ପୁଅ ଥିଲେ । ତେଣୁ ଆଜି ମୃତଦେହ ବ୍ୟବଚ୍ଛେଦ ପରେ ଗାଁରେ ପହଞ୍ଚିବା ପରେ ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଦାବି କରିବା ସହ ବେଗୁନିଆ ଥାନାର ପୋଲିସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦବି କରି ରାସ୍ତାରୋକ କରିଥିଲେ । ଉତ୍ୟକ୍ତ ଲୋକେ ରାସ୍ତା ଉପରେ ବସି ଧାରଣା ଦେବା ସହ ଟାୟାରେ ନିଆଁ ଲଗାଇ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଥିଲା । ଫଳରେ 57ନଂ ଜାତୀୟ ରାଜପଥରେ ବହୁ ଯାନବାହନ ଅଟକି ରହିଥିଲା ।

ସେପଟେ ଖବର ପାଇ ବେଗୁନିଆ ପୋଲିସ ଓ ଖୋର୍ଦ୍ଧା ଉପଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ମୃତକ ପରିବାରକୁ ରେଡକ୍ରସ ପାଣ୍ଠିରୁ 50 ହଜାର,ସରପଞ୍ଚ ପାଣ୍ଠିରୁ 5 ହଜାର ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହାପରେ ଲୋକେ ଆନ୍ଦୋଳନରୁ ହଟିଥିବା ସୂଚନା ମିଳିଛି । ଏହା ସହ ପୋଲିସ ଦୁର୍ଘଟଣା ଘଟାଇଥିବା କାର ଜବତ କରିବା ସହ ଚାଳକକୁ ଗିରଫ କରିଥିବା ଜଣାପଡିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.