ETV Bharat / state

ଦୁଇ ଆଶାବାଡ଼ି ଭରସାରେ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ନରେଶ, ସହାୟତା ପାଇଁ ନିବେଦନ

author img

By

Published : Mar 2, 2023, 12:52 PM IST

Updated : Mar 2, 2023, 1:07 PM IST

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବଡ଼କୁମାରି ପଞ୍ଚାୟତର କୋରପଡ଼ା ଗ୍ରାମର ନରେଶ ପାଲଟାସିଂହ ସଡକ ଦୁର୍ଘଟଣାରେ ନିଜର ଗୋଡ ହରାଇଥିବା ବେଳେ ସ୍ତ୍ରୀ କ୍ୟାନ୍ସରରେ ପୀଡିତ । ଏଭଳି ସ୍ଥିତିରେ ସରକାରଙ୍କ ଠାରୁ କୌଣସି ସାହାଯ୍ୟ ପାଉନଥିବା ବେଳେ ସହାୟତା ପାଇଁ ଗୁହାରି କରିଛନ୍ତି । ଅଧିକ ପଢନ୍ତୁ

khorda naresh paltasingh
khorda naresh paltasingh

khorda naresh paltasingh

ଖୋର୍ଦ୍ଧା: ଜୀବନର ଅନ୍ୟନାମ ଯନ୍ତ୍ରଣା.. ଆଉ ଏହି ଯନ୍ତ୍ରଣାରେ ଯୁଝି ହେଉଛନ୍ତି ନରେଶ । ଆଶା ଥିଲା ଗାଡ଼ି ଚାଳନା ଶିଖି ଭଲ ଚାଳକ ହେବେ । ରୋଜଗାର କରି ବାପା ମା'ଙ୍କ ଦୁଃଖ ଦୂର କରିବେ । କିନ୍ତୁ ଗାଡ଼ି ଚଳାଇବା ପୂର୍ବରୁ ଗାଡ଼ି ଧକ୍କାରେ ଦୁଇ ଗୋଡ଼ ଅଚଳ ହୋଇଗଲା । ସବୁଦିନ ପାଇଁ ଦୁଇଖଣ୍ଡ ଆଶା ବାଡ଼ି ହିଁ ସାହାରା ପାଲଟିଗଲା । କେବଳ ସେତିକି ନୁହେଁ, ଗୋଟିଏ ପରେ ଗୋଟିଏ ଦୁଃଖ ତାଙ୍କୁ ଆଘାତ ଦେଇ ଚାଲିଲା । ତଥାପି ଜୀବନ ସଂଘର୍ଷରେ ହାର ମାନିନାହାନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବଡ଼କୁମାରି ପଞ୍ଚାୟତର କୋରପଡ଼ା ଗ୍ରାମର ନରେଶ ପାଲଟାସିଂହ ।

ଦୁଇ ଗୋଡ଼ରେ ଛିଡା ହୋଇପାରୁ ନଥିବା ନରେଶ ନିଜ ଦୁଆରେ ଏକ ପରିବା ଓ ତେଜରାତି ଦୋକାନ କରି ପରିବାର ଚଳାଉଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଯେ, ତାଙ୍କୁ ଏପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରି ନାହିଁ । ଏବେ ପତ୍ନୀ ଦୁରାରୋଗ୍ୟ କ୍ୟାନ୍ସରରେ ପଡ଼ିଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଆଉ ଏପରିସ୍ଥିତିରେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ନରେଶ ।

ଗତ ୨୦୦୫ ମସିହାରେ ନରେଶ ଗାଡ଼ି ଶିଖି ଭଲ ଡ୍ରାଇଭର ହେବା ଲକ୍ଷ୍ୟ ରଖି ସେ ଘର ଛାଡି ପାରାଦ୍ବୀପ ଅଞ୍ଚଳକୁ ଚାଲି ଯାଇଥିଲେ । ସେଠାରେ ହେଲପର ଭାବେ ରହି ଗାଡ଼ି ଶିଖିବା ଆରମ୍ଭ କରିଥିଲେ । ମାତ୍ର ଏହାର କିଛି ଦିନ ପରେ କୁଜଙ୍ଗ ବଜାର ଅଞ୍ଚଳର ଛୋଟ ପିଲା ସହ ସନ୍ଧ୍ୟା ସମୟରେ ବଜାରକୁ ଚାଲିଚାଲି ଯାଉଥିବାବେଳେ ହଠାତ୍ ଏକ ମାରୁତି ଭ୍ୟାନ୍ ତାଙ୍କ ଆଡକୁ ମାଡ଼ି ଆସିଥିଲା । ଏହା ଦେଖି ସାଙ୍ଗରେ ଥିବା ଶିଶୁଟିକୁ ରାସ୍ତା କଡ଼କୁ ଠେଲି ଦେଇଥିଲେ ନରେଶ । ମାତ୍ର ଦ୍ରୁତଗତିରେ ଆସୁଥିବା ମାରୁତି ଭ୍ୟାନ୍ ନରେଶଙ୍କୁ ଧକ୍କା ଦେଇଥିଲା । ଫଳରେ ଗୁରୁତର ହୋଇପଡ଼ିଥିଲେ ସେ । ଫଳରେ ତାଙ୍କ ଦୁଇ ଗୋଡ଼ ଓ ମେରୁଦଣ୍ଡରେ ଗଭୀର ଆଘାତ ଯୋଗୁଁ ସେ ପଙ୍ଗୁ ପାଲଟି ଯାଇଥିଲେ । ଦୁର୍ଘଟଣା ଘଟାଇଥିବା ଗାଡ଼ି ମାଲିକ କୌଣସି ସହାୟତା ନଦେଇ ଖସି ଯାଇଥିଲେ । ଫଳରେ ପରିବାର ଲୋକେ ଜମି ବିକି ନରେଶଙ୍କ ଚିକିତ୍ସା କରିଥିଲେ ।

ମେଡ଼ିକାଲରେ ୪ମାସ ରହିବା ପରେ ସେ ସୁସ୍ଥ ହୋଇଥିଲେ କିନ୍ତୁ ସେ ଦୁଇ ଗୋଡ଼ରେ ଛିଡା ହେବାକୁ ସକ୍ଷମ ନଥିଲେ । ଧୀରେ ଧୀରେ ସେ ଦୁଇଟି ସାହାରା ବାଡ଼ି ସହାୟତାରେ ଚାଲିବା ଆରମ୍ଭ କରିଥିଲେ । ଏପରିକି ପରିବା ବିକି ନିଜକୁ ସ୍ବାବଲମ୍ବୀ କରିଥିଲେ । ନରେଶଙ୍କ ୧୦ ବର୍ଷର ପୁଅ ୫ମ ଶ୍ରେଣୀରେ ପାଠ ପଢୁଥିବା ବେଳେ ୭ବର୍ଷର ଝିଅ ଦ୍ଵିତୀୟ ଶ୍ରେଣୀରେ ପାଠ ପଢନ୍ତି । ଦୁଇ ପିଲାଙ୍କୁ ଭଲ ପାଠ ପଢ଼ାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡୁଛି । ଏବେ ତାଙ୍କ ପତ୍ନୀ ଯକୃତ କର୍କଟ ରୋଗରେ ପୀଡିତ ହୋଇ କଟକର ଆଚାର୍ଯ୍ୟ ହରିହର କ୍ୟାନ୍ସର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।

ଆର୍ଥିକ ଅନଟନ ଯୋଗୁଁ ପତ୍ନୀଙ୍କୁ ବାରମ୍ବାର କଟକ ଆଣି ମେଡ଼ିକାଲକୁ ଆସିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଏପରିକି ତାଙ୍କୁ ଆବାସ ଯୋଜନାରେ ଖଣ୍ଡିଏ ଘର ମିଳିପାରି ନାହିଁ । ଏପରି ସ୍ଥଳେ ନରେଶ ହାର ନମାନି ବୃଦ୍ଧ ବାପା ଓ ପରିବାର ସଦସ୍ୟଙ୍କୁ ଧରି ଜୀବିକା ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ଆବାସ ଯୋଜନାରେ ଘର ଖଣ୍ଡିଏ, ଅନ୍ତଦୋୟ ଅନ୍ନ ଯୋଜନାରେ ୩୫ କିଲୋ ଚାଉଳ, ପତ୍ନୀଙ୍କ ଚିକିତ୍ସା ଓ ପିଲାଙ୍କ ଭଲ ପାଠ ପଢ଼ିବା ପାଇଁ ସୁବିଧା କରିବାକୁ ସେ ସରକାରଙ୍କୁ ବାରମ୍ବାର ନିବେଦନ କରିଥିବା କହିଛନ୍ତି । ସେହିପରି ନରେଶଙ୍କୁ କୌଣସି ବଦାନ୍ୟବ୍ୟକ୍ତି ସହାୟତାର ହାତ ବଢ଼ାଇବା ପାଇଁ ନିବେଦନ କରିଛନ୍ତି ନରେଶ ଓ ଗ୍ରାମବାସୀ । ନରେଶଙ୍କୁ ଯଦି କେହି ସ୍ବହୃଦୟ ବ୍ୟକ୍ତି ସହାୟତା କରିବା ପାଇଁ ଚାହୁଁଥିଲେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ହେଉଛି - ଇଣ୍ଡିଆନ ଓଭରସିଜ ବ୍ୟାଙ୍କ,ବୋଲଗଡ଼ ବ୍ରାଞ୍ଚ,ଆକାଉଣ୍ଟ ନଂ - 105701000005133 ,IFSC-IOBA0001057


ଇଟିଭି ଭାରତ, ଖୋର୍ଦ୍ଧା

Last Updated :Mar 2, 2023, 1:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.