ETV Bharat / state

ରାଜ୍ୟରେ ତେଜୁଛି ରେଡ୍ ରାଜନୀତି: ତିନି ଦିନ ହେଲା ଆଇଟି ଓ ଜିଏସଟିର ଘନ ଘନ ଚଢାଉ

author img

By

Published : Apr 6, 2023, 12:05 PM IST

Updated : Apr 6, 2023, 2:31 PM IST

ରାଜ୍ୟରେ ତେଜୁଛି ରେଡ୍ ରାଜନୀତି
ରାଜ୍ୟରେ ତେଜୁଛି ରେଡ୍ ରାଜନୀତି

ଆଗକୁ ଝାରସୁଗୁଡା ଉପନିର୍ବାଚନ ଥିବାବେଳେ ରାଜ୍ୟରେ ଚାଲିଛି ଘନ ଘନ ଆଇଟି ଓ ଜିଏସଟି ରେଡ୍ । ଅଧିକ ପଢନ୍ତୁ

ରାଜ୍ୟରେ ତେଜୁଛି ରେଡ୍ ରାଜନୀତି

ଭୁବନେଶ୍ବର: ଓଡି଼ଶାରେ ଚାଲିଛି ରେଡ୍ ରାଜନୀତି । ରାଜ୍ୟରେ ଏବେ ସକ୍ରିୟ ରହିଛି ଷ୍ଟେଟ ଜିଏସଟି ଏବଂ ଆୟକର ବିଭାଗ । ରାଜ୍ୟବ୍ୟାପୀ ଚାଲିଛି ଘନ ଘନ IT ରେଡ୍ । ଲଗାତାର ତିନି ଦିନ ହେଲାଣି ଚାରିଆଡେ ଛାପା ମାରୁଛି ଆୟକର ବିଭାଗ । ମୁଖ୍ୟତଃ ଆଇଟି ଟାର୍ଗେଟରେ ରହିଛନ୍ତି ନେତା । ନେତାଙ୍କ ସହ ଲିଙ୍କ ଥିବା ପଥର ଖାଦାନ ବ୍ୟବସାୟୀ, କ୍ରସର୍ ମାଲିକଙ୍କ ସମେତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ତିନି ଦିନ ହେଲା ରେଡ୍ ଚାଲିଛି । ବ୍ଲକ ଉପାଧ୍ୟକ୍ଷଙ୍କ ଘରେ ବି ହୋଇଛି IT ରେଡ୍ । ଓଡିଶାର ଏକ ପ୍ରମୁଖ ରାଜନୈତିକ ଦଳର ସକ୍ରିୟ ସଭ୍ୟ ସହ ବିଭିନ୍ନ ପଦପଦବୀରେ ଥିବା ନେତାଙ୍କ ଘର, ଅଫିସ୍ ଏବେ ଆୟକର ବିଭାଗ ସ୍କାନରରେ । ସେପଟେ ବିଜେପିକୁ ସମର୍ଥନ କରୁଥିବା ଅନୁଗୋଳର କିଛି ବ୍ୟବସାୟୀଙ୍କ ଉପରେ ଷ୍ଟେଟ ଜିଏସଟି ରେଡ୍ କରିଥିବାର ଜଣାପଡିଛି । ଯାହାକୁ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି ।

ନୟାଗଡ଼ ଭାପୁର ବ୍ଲକର ଉପାଧ୍ୟକ୍ଷ ତଥା ବିଜେଡି ନେତା ବେଣୁଧର ପ୍ରଧାନଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଏସ୍.ଏସ୍. କନଷ୍ଟ୍ରକସନ୍ ସହ ତାଙ୍କ ଘର ଓ କ୍ରସର୍ ୟୁନିଟ୍ ଉପରେ ଚଢ଼ାଉ ହୋଇଛି । ବାଲେଶ୍ୱର ସୋର ବ୍ଲକର ଉପାଧ୍ୟକ୍ଷ ତଥା ବିଜେଡି ନେତା ଭ୍ରମରବର ନାୟକ ଖାଦାନରୁ ପଥର ଖୋଳି ବ୍ୟବସାୟ କରନ୍ତି । ତାଙ୍କର କଲ୍ୟାଣ ମଣ୍ଡପ, ପେଟ୍ରୋଲ ପମ୍ପ ଓ ହୋଟେଲରେ ଛାପା ମାରିଛି ଆଇଟି ବିଭାଗ । ଏପଟେ ଗଞ୍ଜାମ ଜିଲ୍ଲାର ଜଣାଶୁଣା ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ବ୍ରହ୍ମପୁରସ୍ଥିତ ଘର, ଅଫିସ୍ ଓ ପୁରୁଷୋତ୍ତମପୁର କ୍ରସର୍ ୟୁନିଟ୍ ଉପରେ ଏକାସଙ୍ଗେ ହୋଇଛି ଆଇଟି ରେଡ୍ । କୃପାସିନ୍ଧୁ ବିଭିନ୍ନ ସମୟରେ ବିଜେଡି ସମେତ ଅନ୍ୟ ଦଳକୁ ମଧ୍ୟ ଆର୍ଥିକ ସହଯୋଗ କରୁଥିବା ଅଭିଯୋଗ ରହିଛି ।

କନ୍ଧମାଳ ଦାରିଙ୍ଗବାଡ଼ିରେ ଆଇଟି ଅଧିକାରୀ ଡେରା ପକାଇ ତ୍ରିଶକ୍ତି କନଷ୍ଟ୍ରକସନ୍ ନାମକ ଏକ ଠିକା କମ୍ପାନୀ ଉପରେ ଚଢଉ କରିଛନ୍ତି । ଏଣେ ସମ୍ବଲପୁରର ଜଣେ ପଥର କ୍ରସର୍ ମାଲିକ ଓ ତାଙ୍କର ବିଜେନେସ୍ ପାର୍ଟନରଙ୍କ ଉପରେ ବି ହୋଇଛି ରେଡ୍ । ନୟାଗଡ, ବାଲେଶ୍ବର, ବ୍ରହ୍ମପୁର, ସମ୍ବଲପୁର, ବାଲିଗୁଡ଼ାରେ ଛାପା ମାରିଛି ଆଇଟି । ଅପରପକ୍ଷେ ମଙ୍ଗଳବାର ଠାରୁ ରାଜ୍ୟ ସରକାରଙ୍କ ଜିଏସଟି ବିଭାଗ ଅନୁଗୋଳରେ କିଛି ବ୍ୟବସାୟୀଙ୍କ ପ୍ରତିଷ୍ଠାନରେ ରେଡ୍ କରିଛି ।

ନିର୍ବାଚନ ପୂର୍ବରୁ ଏଭଳି ରେଡ଼ ନେଇ ଉଭୟ ବିଜେପି ଏବଂ ବିଜେଡିକୁ ଦାୟୀ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଯେଉଁମାନେ ଭୁଲ କରୁଛନ୍ତି ସେମାନଙ୍କୁ ଦଣ୍ତ ବିଧାନ କରାଯାଉ । ହେଲେ କୌଣସି ଆକ୍ରୋଶମୂଳକ ଭାବେ ପ୍ରତିଶୋଧ ପରାୟଣ ହୋଇ ଏଭଳି ରେଡ୍ କରିବା ଠିକ ନୁହେଁ । ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ଓ କେନ୍ଦ୍ର ସରକାର CBI, IT, EDର ଅପବ୍ୟବହାର କରିବା ଠିକ ନୁହେଁ ବୋଲି ସେ କହିଛନ୍ତି ।

ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଚଢାଉ କରୁଛନ୍ତି ଇନକମ୍ ଟ୍ୟାକ୍ସ ଅଧିକାରୀ । ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ଚଢ଼ଉ ତିନି ଦିନ ହେଲା ବିଭିନ୍ନ ସ୍ଥାନରେ ଚାଲିଛି । ବିଶେଷକରି ପଥର ଖାଦାନ, କ୍ରସର୍ ଯୁନିଟ୍ ଓ ବାଲି ମାଫିଆଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ହୋଇଛି ଆୟକର ରେଡ୍ । ତେବେ ରେଡ୍ ହେଉଥିବା ବ୍ୟବସାୟୀଙ୍କର ବିଜେଡି ଲିଙ୍କ୍ ଥିବା ଜଣାପଡ଼ିଛି । ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡିକ ସକ୍ରିୟ ହେବାର ନଜିର ରହିଛି । ପଦ୍ମପୁର ଉପନିର୍ବାଚନ ସମୟରେ ଆଇଟି ରେଡ଼ ହୋଇଥିଲା । ନିର୍ବାଚନ ଋତୁ ଆସିଲେ ସିବିଆଇ, ଆଇଟି, ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡିକ ସାରା ଦେଶରେ ସକ୍ରିୟ ହୋଇଯାଆନ୍ତି ବୋଲି ବିଜେଡି ନେତା ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 6, 2023, 2:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.