ETV Bharat / state

Inside Story: ସଂଗଠନ ସଜାଡିବାକୁ ଆରୁଖ, ସୁଦାମ ଓ ସାରଦାଙ୍କୁ ମନ୍ତ୍ରୀ ପଦ

author img

By

Published : May 22, 2023, 9:41 PM IST

Etv Bharat
Etv Bharat

ପଦ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ଆଶୀର୍ବାଦ ନେଇଛନ୍ତି ୩ ମନ୍ତ୍ରୀ । ତେବେ ଏହି ୩ ବିଧାୟକଙ୍କୁ ମନ୍ତ୍ରୀ କରିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ଚର୍ଚ୍ଚା ହେଉଛି । କଣ ପୁରା ରଣନୀତି? ପଢନ୍ତୁ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣର ଇନସାଇଡ ଷ୍ଟୋରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ଆଜି ବିଧିବଦ୍ଧ ଶପଥ ନେଇଛନ୍ତି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟପାଳ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତିନିଜଣଙ୍କୁ ବିଭାଗ ବଣ୍ଟନ କରାଯାଇଛି ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ, ସୁଦାମ ମାରାଣ୍ଡିଙ୍କୁ ଗଣଶିକ୍ଷା ଓ ସାରଦା ନାୟକଙ୍କୁ ଶ୍ରମ ବିଭାଗ ଦାଇତ୍ବ ଦିଆଯାଇଛି । ପଦ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ଆଶୀର୍ବାଦ ନେଇଛନ୍ତି ୩ ମନ୍ତ୍ରୀ । ତେବେ ଏହି ୩ ବିଧାୟକଙ୍କୁ ମନ୍ତ୍ରୀ କରିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ଚର୍ଚ୍ଚା ହେଉଛି । କଣ ପୁରା ରଣନୀତି? ପଢନ୍ତୁ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣର ଇନସାଇଡ ଷ୍ଟୋରୀ ।

ସଂଗଠନ ସଜାଡିବାକୁ ଆରୁଖ, ସୁଦାମ ଓ ସାରଦାଙ୍କୁ ମନ୍ତ୍ରୀ ପଦ
ସଂଗଠନ ସଜାଡିବାକୁ ଆରୁଖ, ସୁଦାମ ଓ ସାରଦାଙ୍କୁ ମନ୍ତ୍ରୀ ପଦ

ଏହାବି ପଢନ୍ତୁ- Naveen Cabinet Reshuffle: ବରିଷ୍ଠଙ୍କୁ ସୁଯୋଗ, ବହୁ ଆଶାୟୀ ନିରାଶ !

ଦକ୍ଷିଣରୁ ଆରୁଖଙ୍କୁ ଗୁରୁତ୍ବ:- ବିକ୍ରମ କେଶରୀ ଆରୁଖଙ୍କୁ ମିଳିଛି ଅର୍ଥମନ୍ତ୍ରୀ ପଦ । ସେ ଲଗାତାର ଭାବେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇ ଆସିଛନ୍ତି । ଛାତ୍ର ସଂସଦ ସଭାପତିରୁ ମନ୍ତ୍ରୀ, ବାଚସ୍ପତି ପୁଣି ମନ୍ତ୍ରୀ ହୋଇଛନ୍ତି ବିକ୍ରମ । ଜନତା ଦଳ ଓ ପରେ ବିଜୁ ଜନତା ଦଳ ଟିକେଟରେ ଆରୁଖ ବିଧାନସଭା ଆସିଛନ୍ତି । ନବୀନଙ୍କ ଶାସନରେ ସର୍ବାଧିକ ସମୟ ମନ୍ତ୍ରୀ ହୋଇଥିବା ନେତାଙ୍କ ମଧ୍ୟରୁ ବିକ୍ରମ ଅନ୍ୟତମ ।

ବିଜୁଙ୍କ ଆଦର୍ଶରେ ରାଜନୀତିକୁ ଆସିଥିଲେ ବିକ୍ରମ:- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ପାଦ ଥାପିଥିଲେ ବିକ୍ରମ । ୮୦ ଦଶକରେ ଛାତ୍ର ରାଜନୀତିରୁ କ୍ୟାରିଅର ଆରମ୍ଭ କରିଥିଲେ । ୧୯୮୨-୮୩ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ହୋଇଥିଲେ ବିକ୍ରମ । ପରବର୍ତ୍ତୀ ବର୍ଷ ଅର୍ଥାତ ୧୯୮୩-୮୪ରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଉପ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ସେ । ଆଇନ ଶିକ୍ଷା ଶେଷ କରି ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ ବିକ୍ରମ । ୧୯୯୨ରେ ଭଞ୍ଜନଗର ବ୍ଲକ ଚେୟାରମ୍ୟାନ ହୋଇଥିଲେ । ବିଜୁ ଆନୁଗତ୍ୟ ହୋଇଥିବାରୁ ୧୯୯୫ ରେ ଜନତା ଦଳ ଟିକେଟରୁ ନିର୍ବାଚନ ଲଢି ବିଜୟ ହୋଇଥିଲେ । ଏହା ପରେ ବିକ୍ରମ ପଛକୁ ଫେରି ଚାହିଁ ନାହାଁନ୍ତି ।

Inside Story: ସଂଗଠନ ସଜାଡିବାକୁ ଆରୁଖ, ସୁଦାମ ଓ ସାରଦାଙ୍କୁ ମନ୍ତ୍ରୀ ପଦ
Inside Story: ସଂଗଠନ ସଜାଡିବାକୁ ଆରୁଖ, ସୁଦାମ ଓ ସାରଦାଙ୍କୁ ମନ୍ତ୍ରୀ ପଦ

ଏହାବି ପଢନ୍ତୁ- Odisha Cabinet Reshuffle: 3 ମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ବ, ଜାଣନ୍ତୁ କାହା ପାଖରେ କେଉଁ ବିଭାଗ

ବିଜେଡି ଟିକେଟରେ ଲଗାତାର 5 ଥର ବିଧାୟକ:- ବିଜୁ ଜନତା ଦଳ ଗଠନ ହେବା ପରେ ଲଗାତାର ୫ ଥର ଭଞ୍ଜନଗର ଆସନରୁ ବିଜୟ ହୋଇ ବିଧାନସଭା ଆସୁଛନ୍ତି । ଜନତା ଦଳ ଟିକେଟରେ ୧୯୯୫ ରେ ବିଧାୟକ ହୋଇଥିଲେ ବିକ୍ରମ । ୨୦୦୮ରେ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ବ ମିଳିଥିଲା । ପରବର୍ତ୍ତୀ ସମୟରେ ୨୦୦୯ ରୁ ୨୦୨୨ ପର୍ଯ୍ୟନ୍ତ ବିକ୍ରମ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି । ବିଭିନ୍ନ ସମୟରେ ସେ ଗ୍ରାମ୍ୟ ଉନ୍ନୟନ, ଆଇନ, ଜଙ୍ଗଲ ଏବଂ ପରିବେଶ, ସାଧାରଣ ଉଦ୍ୟଗ, ସୂଚନା ଏବଂ ଲୋକସମ୍ପର୍କ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ଦାଇତ୍ବ ସମ୍ଭାଳିଛନ୍ତି । ଏହା ସହ ବିଧାନସଭାର ବିଭିନ୍ନ କମିଟିରେ ବିକ୍ରମ ଲଗାତାର ଭାବେ ଅଧ୍ୟକ୍ଷ ଓ ସଦସ୍ୟ ରହି ଆସିଛନ୍ତି ।

୨୦୦୯ ରୁ ମନ୍ତ୍ରୀ ହୋଇଆସିଛନ୍ତି ଆରୁଖ:-ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଧାନସଭା କ୍ଷେତ୍ରରୁ ଲଗାତର ୬ ଥର ଜିତିଥିବା ବିକ୍ରମ କେଶରୀ ଆରୁଖ ୨୦୦୯ ମସିହାରୁ କ୍ରମାଗତ ଭାବେ ମନ୍ତ୍ରୀ ହୋଇ ଆସୁଥିଲେ । ଗତ ବର୍ଷ ଜୁନ ମାସରେ ମନ୍ତ୍ରିମଣ୍ଡଳର ଅଦଳବଦଳ ବେଳେ ସେ ବାଦ ପଡିଥିଲେ । ତାଙ୍କୁ ବାଚସ୍ପତି କରାଯାଇଥିଲା । ବାଚସ୍ପତି ପଦବିରେ ଗୋଟିଏ ବର୍ଷ ନ ପୂରୁଣୁ ଗତ ୧୨ ତାରିଖରେ ସେ ଇସ୍ତଫା ଦେଇଥିଲେ । ଗଞ୍ଜାମ ଜିଲ୍ଲାର ସାଂପ୍ରତିକ ରାଜନୈତିକ ସ୍ଥିତି ଦେଖିଲେ ଆରୁଖଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଦଳୀୟ ସଂଗଠନକୁ ସୁଦୃଢ ଓ ସକ୍ରିୟ କରିବା ଲାଗି ଆରୁଖଙ୍କୁ ମନ୍ତ୍ରୀ ମଣ୍ଡଳକୁ ଫେରାଇ ଅଣାଯାଇଥିବା କୁହାଯାଉଛି ।

ସଂଗଠନ ମଙ୍ଗ ଧରିବେ ଆରୁଖ:- ଗଞ୍ଜାମ ଟାଇଗର କୁହାଯାଉଥିବା ବରିଷ୍ଠ ନେତା ତଥା ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥ ଅଛନ୍ତି । ଆକ୍ଟିଭ ପଲିଟିକ୍ସରୁ ଦୂରେଇ ଯାଇଛନ୍ତି ସୂର୍ଯ୍ୟ । ଦଳରୁ ବିଦା ହେବା ପରେ ବିଜେଡି ବିରୋଧରେ ରକ୍ତ ଚାଉଳ ଚୋବାଉଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କଂଗ୍ରେସରୁ ଆମଦାନୀ ହୋଇଥିବା ନେତାଙ୍କୁ ଦଳ ବିଧାୟକ ଓ ସାଂସଦ କରିଛି । କିନ୍ତୁ ସେମାନଙ୍କ ଉପରେ ଦଳର ସମ୍ପୂର୍ଣ୍ଣ ଭରସା ପାଉନାହିଁ । ଆଉ ଯେଉଁମାନେ ବିଭିନ୍ନ ପଦ ପଦବୀରେ ରହିଛନ୍ତି ସେମାନଙ୍କ ଗ୍ରହଣୀୟତା ବିଶେଷ ନାହିଁ । କିଛି ବର୍ଷ ପୂର୍ବରୁ ଅଫିସରରୁ ନେତା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଦଳ ଜିଲ୍ଲା ଦାୟିତ୍ବ ଦେଇଥିଲା । ସେ ମଧ୍ୟ ଲୋକଙ୍କ ମଧ୍ୟରେ ଗ୍ରହଣୀୟ ହୋଇପାରିଲେ ନାହିଁ । ନିର୍ବାଚନକୁ ଆଉ ମାତ୍ର ବର୍ଷେ ରହିଛି । ଫଳରେ ସୁପ୍ରିମୋ ବିକ୍ରମକୁ ପୁଣି ଥରେ ଫ୍ରଣ୍ଟଫୁଟକୁ ଫେରାଇ ଆଣିଛନ୍ତି । ସେ ସଂଗଠନ ସଜାଡିବା ୨୦୨୪ ନିର୍ବାଚନ ବୈତରଣୀ ପାର କରେଇବେ ବୋଲି ଦଳ ଆଶାବାଦୀ ରହିଛି ।

ଏହାବି ପଢନ୍ତୁ- 2000 Notes: '୨୦୦୦ ଟଙ୍କିଆ ନୋଟ ଆଣିବାକୁ ଚାହୁଁନଥିଲେ ପ୍ରଧାନମନ୍ତ୍ରୀ'

ଜେଏମଏମରୁ ବିଜେଡି, ମୟୂରଭଞ୍ଜରେ ସୁଦାମଙ୍କ ଦବଦବା:- ୧୧ ମାସ ପରେ ମନ୍ତ୍ରୀମଣ୍ଡଳକୁ ଫେରିଛନ୍ତି ସୁଦାମ ମାରାଣ୍ଡି । ତାଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ବ ମିଳିଛି । ପୂର୍ବରୁ ରାଷ୍ଟ୍ର ଓ ପରେ କ୍ୟାବିନେଟ ପାହ୍ୟାର ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ହୋଇଥିଲେ ସେ । ମୟୂରଭଞ୍ଜ ଜିଲ୍ଲା ରାଜନୀତିରେ ସୁଦାମ ମାରାଣ୍ଡିଙ୍କର ରହିଛି ଦବଦବା । ଜେଏମଏମରୁ କ୍ୟାରିୟର ଆରମ୍ଭ କରିଥିଲେ ସୁଦାମ । ଜେଏମଏମ ପ୍ରାର୍ଥୀ ଭାବେ ସେ ଦୁଇ ଥର ବିଧାନସଭା ଓ ଥରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ପରେ ସେ ବିଜେଡିରେ ଯୋଗ ଦେଇଥିଲେ । ୨୦୧୪ ଓ ୨୦୧୯ ରେ ଦୁଇ ଥର ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ହେଉଛନ୍ତି । ବାଙ୍ଗିରୀପୋଷି ତାଙ୍କର ଗଡ ହୋଇ ରହିଛି ।

Inside Story: ସଂଗଠନ ସଜାଡିବାକୁ ଆରୁଖ, ସୁଦାମ ଓ ସାରଦାଙ୍କୁ ମନ୍ତ୍ରୀ ପଦ
Inside Story: ସଂଗଠନ ସଜାଡିବାକୁ ଆରୁଖ, ସୁଦାମ ଓ ସାରଦାଙ୍କୁ ମନ୍ତ୍ରୀ ପଦ

ଆଦିବାସୀ ଭୋଟ ବ୍ୟାଙ୍କ ସଜାଡିବେ ସୁଦାମ:- ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ସେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ର ମନ୍ତ୍ରୀ ଥିଲେ ସୁଦାମ । ୨୦୧୯ ରେ କ୍ୟାବିନେଟ ମନ୍ତ୍ରୀ ହୋଇ ରାଜସ୍ବ ବିଭାଗ ପାଇଥିଲେ । ଗତ ବର୍ଷ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ସେ ବାଦ ପଡିଥିଲେ । କିନ୍ତୁ ୧୧ ମାସ ପରେ ପୁଣି ଥରେ ଦଳର ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ସ୍ଥାପନ କରି ମନ୍ତ୍ରିମଣ୍ଡଳକୁ ଫେରାଇ ଆଣିଛନ୍ତି । ମୟୂରଭଞ୍ଜ ଜିଲ୍ଲାରୁ ବାସନ୍ତୀ ହେମ୍ବ୍ରମ ମନ୍ତ୍ରୀ ରହିଛନ୍ତି । ହେଲେ ଦଳ ଜିଲ୍ଲାରେ ଦଳ ଜଣେ ଅଭିଜ୍ଞତା ସମ୍ପର୍ଣ୍ଣ ନେତା ସନ୍ଧାନରେ ଥିଲା । ଆଦିବାସୀ ବହୁଳ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ସୁଦାମଙ୍କର ଭଲ ଦବଦବା ରହିଛି । ଆଦିବାସୀ ଭୋଟ ବ୍ୟାଙ୍କ ସୁଦୃଢ କରିବା ଦାଇତ୍ବ ସୁଦାମଙ୍କ କାନ୍ଧରେ ଦଳ ଦେବ । ଜିଲ୍ଲାରେ ମୋଟ ୯ଟି ବିଧାନସଭା ଆସନରୁ ବିଜେପି ଦଖଲରେ ୬ ଟି ଓ ବିଜେଡି ଦଖଲରେ ୩ଟି ରହିଛି । ସେହିପରି ସାଂସଦ ଭାବେ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି ବିଶେଶ୍ବର ଟୁଡୁ । ଅନ୍ୟପଟେ ମୟୁରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ ଅଛନ୍ତି । ଦ୍ରୌପଦୀଙ୍କୁ ରାଷ୍ଟ୍ରପତି କରି ବିଜେପି ଆଦିବାସୀ ଭୋଟ ବ୍ୟାଙ୍କ ନିଜ ସପକ୍ଷରେ ନେଇଥିବା ଆଶଙ୍କା କରି ସୁଦାମଙ୍କୁ ଫ୍ରଣ୍ଟଫୁଟକୁ ଆଣିଛି ବିଜେଡି ।

୧୧ ବର୍ଷ ପରେ ମନ୍ତ୍ରୀ ମଣ୍ଡଳକୁ ଫେରିଲେ ସାରଦା:- ରାଉଲକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ବ ମିଳିଛି । ଝାରସୁଗୁଡା ପରଫର୍ମାନ୍ସର ଫଳ ସାରଦାଙ୍କୁ ମିଳିଛି ବୋଲି କୁହାଯାଉଛି । ଝାରସୁଗୁଡା ଉପନିର୍ବାଚନରେ ଦଳର ନେତୃତ୍ବ ନେଇଥିଲେ ସାରଦା । ସାରଦା ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୦୯ ରୁ ୨୦୧୨ ଯାଏ ସେ ରାଷ୍ଟ୍ର ମନ୍ତ୍ରୀ ଥିଲେ । କିନ୍ତୁ ମେ’ 29 ମିଡ ନାଇଟ ଅପରେସନ ସବୁ ବିଗାଡି ଦେଇଥିଲା । ନାଟକୀୟ ଭାବେ ସାରଦା ମନ୍ତ୍ରୀ ମଣ୍ଡଳରୁ ବିଦା ହୋଇଥିଲେ । 2014ରେ ଦଳ ଟିକେଟ ଦେଇଥିଲା ସତ କିନ୍ତୁ ସେ ନିର୍ବାଚନ ହାରିଯାଇଥିଲେ । ପରବର୍ତ୍ତୀ ସମୟରେ ନିଜର କାର୍ଯ୍ୟକ୍ରମ ଜରିଆରେ ବିଜେଡି ସୁପ୍ରିମୋଙ୍କର ସେ ଆସ୍ଥା ଭାଜନ ହୋଇଥିଲା । ଦଳ ତାଙ୍କୁ ଭରସା କରି ବିଭିନ୍ନ ସଂଗଠନ କାର୍ଯ୍ୟରେ ତାଙ୍କୁ ନିୟୋଜିତ କରି ସଫଳ ହୋଇଛି । ସୁନ୍ଦରଗଡର ୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପିର ୩ଟି, କଂଗ୍ରେସ ଓ ସିପିଆଇ(ଏମ) ଦଖଲରେ ଗୋଟିଏ ଲେଖାଏ ଆସନ ରହିଛି । ବିଜେଡି ଦଖଲ କରିଥିବା ୨ଟି ଆସନରୁ ସାରଦା ଅନ୍ୟତମ । ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଜିତି କେନ୍ଦ୍ରମନ୍ତ୍ରୀ ବି ହୋଇଥିଲେ । ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ବିଜେଡି ସଂଗଠନକୁ ଅଧିକ ସକ୍ରିୟ କରିବା ପାଇଁ ସାରଦାଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରସା ସ୍ଥାପନ କରିଛନ୍ତି ।

ସଂଗଠନ ସଜାଡିବାକୁ ଆରୁଖ, ସୁଦାମ ଓ ସାରଦାଙ୍କୁ ମନ୍ତ୍ରୀ ପଦ
ସଂଗଠନ ସଜାଡିବାକୁ ଆରୁଖ, ସୁଦାମ ଓ ସାରଦାଙ୍କୁ ମନ୍ତ୍ରୀ ପଦ

ଏହାବି ପଢନ୍ତୁ- ଶୀତଳ ଷଷ୍ଠୀରେ କାହିଁକି ଆସନ୍ତି କିନ୍ନର, କଣ ରହିଛି ରହସ୍ୟ ?

ଆଗାମୀ 2024 ବିଧାନସଭା ନିର୍ବାଚନ ଓ ସାଧାରଣ ନିର୍ବାଚନକୁ ନେଇ ବିଜୁ ଜନତା ଦଳ ପ୍ରସ୍ତୁତିକୁ ଯୋରଦାର କରିଛି । ଆଗାମୀ କିଛି ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ବିଜେଡି ରଣନୀତି ଅନୁସାରେ ସାଧାରଣ ନିର୍ବାଚନର ଯଥେଷ୍ଟ ପୂର୍ବରୁ ନବୀନଙ୍କ ଜିଲ୍ଲା ଗସ୍ତ ଶେଷ ହେବ । ସେହି ଆଧାରରେ ମନ୍ତ୍ରୀ ମଣ୍ଡଳର ପରିବର୍ତ୍ତନ ହୋଇଛି । କିଛି ଦିନ ମଧ୍ୟରେ ଦଳୀୟ ସଂଗଠନରେ ମଧ୍ୟ କିଛି ପରିବରର୍ତ୍ତନ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.