ETV Bharat / state

ଶୀତଳ ଷଷ୍ଠୀରେ କାହିଁକି ଆସନ୍ତି କିନ୍ନର, କଣ ରହିଛି ରହସ୍ୟ ?

author img

By

Published : May 22, 2023, 7:32 PM IST

transgender decks up to celebrate shital sasthi yatra
ଶୀତଳ ଷଷ୍ଠୀ ଯାତ୍ରାରେ କିନ୍ନରଙ୍କ ଭୂମିକା

ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାରେ ମୁଖ୍ୟ ଆକର୍ଷଣ ପାଲଟନ୍ତି କିନ୍ନର । ନିମନ୍ତ୍ରିତ ନହୋଇ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ଛୁଟିଥାଏ ସେମାନଙ୍କ ସୁଅ । ଏହାକୁ ନେଇ କଣ ରହିଛି ଆଧ୍ୟାତ୍ମିକ ବିଶ୍ବାସ, ଆସନ୍ତୁ ଜାଣିବା । ଅଧିକ ପଢ଼ନ୍ତୁ

ଶୀତଳ ଷଷ୍ଠୀ ଯାତ୍ରାରେ କିନ୍ନରଙ୍କ ଭୂମିକା

ସମ୍ବଲପୁର: ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା l ମହାଦେବ ଓ ମାତା ପାର୍ବତୀଙ୍କ ଅଲୌକିକ ବିବାହର ପର୍ବ ଉପରେ ଆଧାରିତ ଏହି ଯାତ୍ରା l ଏହା ଦେବ ଦମ୍ପତିଙ୍କ ବିବାହ ହେଉଥିଲେ ମଧ୍ୟ ଏଥିରେ ମାନବୀୟ ରୀତିନୀତିର ପ୍ରତିଫଳନ ହୋଇଥାଏ । ସାଂସ୍କୃତିକ ମହାକୁମ୍ଭରେ ପ୍ରାୟ 10ହଜାର ଲୋକ କଳାକାର ସାମିଲ ହୁଅନ୍ତି । ତେବେ ଏହି ଶୀତଳ ଷଷ୍ଠୀ ଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛନ୍ତି କିନ୍ନର । ପ୍ରତ୍ୟେକ ବର୍ଷ ଦେଶର କୋଣ ଅନୁକୋଣରୁ ଏହି କିନ୍ନରମାନେ ଶୀତଳ ଷଷ୍ଠୀ ଯାତ୍ରାକୁ ଆସନ୍ତି । ଏମାନଙ୍କୁ କୌଣସି ନିମନ୍ତ୍ରଣ ଦିଆଯାଇନଥାଏ । କିନ୍ତୁ ସ୍ବଇଚ୍ଛାରେ ଏଠାରେ ସାମିଲ ହୋଇଥାନ୍ତି । ତେବେ କାହିଁକି ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହୁଅନ୍ତି କିନ୍ନର ? କଣ ରହିଛି ଏହା ପଛର ରହସ୍ୟ, ଆସନ୍ତୁ ଜାଣିବା ।

ଏମାନେ ନର ନୁହନ୍ତି କି ନାରୀ ମଧ୍ୟ ନୁହନ୍ତି, ଏମାନେ ହେଉଛନ୍ତି କିନ୍ନର । ଶରୀର ପୁରୁଷ ହୋଇଥିବା ବେଳେ ମନ କିନ୍ତୁ ନାରୀ ହୋଇଥାଏ । ଆଜି ବି ସମାଜରେ ଏମାନଙ୍କ ପ୍ରତି ଭିନ୍ନ ଦୃଷ୍ଟିକୋଣ ରହିଛି । ସମ୍ବଲପୁରର ସ୍ଥାନୀୟ ସଂସ୍କୃତି ଗବେଷକଙ୍କ ଅନୁସାରେ, ଏମାନେ ଶୀତଳ ଷଷ୍ଠୀ ଯାତ୍ରାର ଆବିଚ୍ଛେଦ୍ୟ ଅଙ୍ଗ । ଏମାନଙ୍କ ବିନା ଶୀତଳ ଷଷ୍ଠୀ ଯାତ୍ରା ଅଧୁରା ହୋଇଥାଏ । ତେଣୁ ମହାଦେବଙ୍କ ବରଯାତ୍ରୀ ଶୋଭାଯାତ୍ରାରେ ଏମାନେ ସବୁଠୁ ଆଗରେ ନିଜର ନୃତ୍ୟ ପରିବେଷଣ କରନ୍ତି ।

ସମ୍ବଲପୁରର ସଂସ୍କୃତି ଗବେଷକ ତଥା ଐତିହାସିକ ଦୀପକ ପଣ୍ଡା କୁହନ୍ତି, "ଏ ହେଉଛି ଦେବ ବିବାହ, ଶିବ ଯେତେବେଳେ ବିବାହ ପାଇଁ ବାରନୁଗମନରେ ଯାଆନ୍ତି ଏଥିରେ ନର, ପିଶାଚ, କିନ୍ନର ସମସ୍ତେ ସାମିଲ ହୁଅନ୍ତି । ଏହି ବିବାହରେ ସମସ୍ତଙ୍କ ଅଧିକାର ଅଛି ସେଥିପାଇଁ ସମସ୍ତେ ସହଯାତ୍ରୀ ହୋଇ ଯାଆନ୍ତି । ଅର୍ଦ୍ଧନାରୀଶ୍ୱରଙ୍କ ବିବାହରେ ସାମିଲ ହେଲେ କିନ୍ନର ଜନ୍ମରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ କିନ୍ନରମାନେ ଆସି ଦେବ ଦମ୍ପତିଙ୍କ ବିବାହରେ ନୃତ୍ୟ ପରିବେଷଣ କରନ୍ତି ।"

ଅର୍ଦ୍ଧନାରୀଶ୍ୱରଙ୍କ ବିବାହରେ ନାଚିଲେ କିନ୍ନର ଜନ୍ମରୁ ମୁକ୍ତି ମିଳେ । ଏହି ଶୀତଳ ଷଷ୍ଠୀ ଯାତ୍ରାରେ ନାଚିଲେ ଖୁସି ଲାଗେ ବୋଲି କହିଛନ୍ତି ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହୋଇଥିବା ରିୟା କିନ୍ନର । ପ୍ରଭୁ ଶିବ ହେଉଛନ୍ତି ଅର୍ଦ୍ଧ ନାରୀଶ୍ୱର, ଯେତେବେଳେ ପର୍ଯ୍ୟନ୍ତ ଏମାନେ ନ ନାଚିଛନ୍ତି ପ୍ରଭୁଙ୍କ ବିବାହ ଅଧୁରା ହୋଇଥାଏ । ଅନ୍ୟପଟେ କିନ୍ନରମାନେ ଯେଉଁଠି ନାଚିଲେ ଶୁଭ ହୋଇଥାଏ ବୋଲି ବିଶ୍ବାସ ରହିଛି, ସେଥିପାଇଁ ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହୋଇ ଓଡ଼ିଶାବାସୀଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଥାନ୍ତି ବୋଲି କହିଛନ୍ତି । ଶୀତଳ ଷଷ୍ଠୀ ଯାତ୍ରା କେବଳ କିନ୍ନରଙ୍କ ଆଧ୍ୟାତ୍ମିକ ବିଶ୍ୱାସ ସହ ଜଡିତ ରହିଛି ତାହା ନୁହେଁ ନିଜ ସାଙ୍ଗ ସାଥିଙ୍କ ସହ ଏକାଠି ସମୟ ବିତେଇବା ପାଇଁ ଏହା ଏକା ଅବସର ଆଣିଥାଏ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.