ETV Bharat / state

ଭଡ଼ା ଘରୁ GRSଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

author img

By ETV Bharat Odisha Team

Published : Dec 18, 2023, 10:36 AM IST

GRS Dead Body Recovered: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ନବୀନ ବାଗ ଅଞ୍ଚଳରେ ଯୁବକଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ନେଇ ଅଭିଯୋଗ କଲେ ପରିବାର ଲୋକେ । ଅଧିକ ପଢ଼ନ୍ତୁ

ଜିଆରଏସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଜିଆରଏସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଟାଉନ ଥାନା ଅନ୍ତର୍ଗତ ନବୀନ ବାଗ ଅଞ୍ଚଳରେ ଯୁବକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ସ୍ଥାନୀୟ ଅଞ୍ଚଳର ଜଣେ ଅବସରପ୍ରାପ୍ତ ଓଏଏସ ଅଧିକାରୀଙ୍କ ଘରେ ରହୁଥିବା ଜିଆରଏସଙ୍କ ଝୁଲନ୍ତା ମୃତଦେହ ଜବତ କରିଛି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ । ତେବେ ମୃତ ଯୁବକ ଜଣକ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଅଁଳାଯୋଡି ଗାଁର ସୌମ୍ୟ ରଞ୍ଜନ ମହାନା ବୋଲି ଜଣାପଡିଛି ।

ସୂଚନା ମୁତାବକ, ସୌମ୍ୟ ରଞ୍ଜନ ଗଡ଼ବଡ଼ପୁଟ ପଞ୍ଚାୟତରେ ଜିଆରଏସ ଭାବେ କାର୍ଯ୍ୟରତ ଥିଲେ । ଏନେଇ ଯୁବକ ଜଣକ ଖୋର୍ଦ୍ଧାକୁ ମଝିରେ ମଝିରେ ଆସି ସାଙ୍ଗମାନଙ୍କ ସହ ରହୁଥିଲେ । ନବୀନ ବାଗ ଅଞ୍ଚଳରେ ଘର କରିଥିବା ଜଣେ ପୂର୍ବତନ ଓଏଏସ ଅଧିକାରୀଙ୍କ ଭଡ଼ା ଘରେ ସାଙ୍ଗ ମାନଙ୍କ ସହ ରହୁଥିଲେ । ହେଲେ ଯୁବକଙ୍କ ଝୁଲନ୍ତା ମୃତଦେହ ଉକ୍ତ ଘରୁ ଉଦ୍ଧାର ହୋଇଛି । ଏନେଇ ସୂଚନା ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି ।

ପୁଅକୁ ହତ୍ୟା କରାଯାଇଥିବା ନେଇ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏଭଳି ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିବା ସହିତ ଥାନାରେ ଜଣେ ଯୁବତୀ ଏବଂ ଦୁଇ ଜଣ ଯୁବକଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ସୌମ୍ୟ ରଞ୍ଜନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ - ଭଡା ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଏହା ମଧ୍ୟ ପଢନ୍ତୁ - ସାଙ୍ଗ ସହ ଗଣ୍ଡଗୋଳ, ମାଡ଼ ଭୟରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଏନେଇ ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରି କହିଛନ୍ତି, "ପ୍ରେମ ବ୍ୟାପାରକୁ ନେଇ ସୌମ୍ୟଙ୍କ ହତ୍ୟା କରାଯାଇଛି । ଗତକାଲି ସୌମ୍ୟ ଘରେ ଥିଲା ତାକୁ ଭୋଜି କରିବାକୁ କହି କେହି ଡାକିଥିଲା । ଏହାପରେ ଆମେ ସନ୍ଧ୍ୟାରେ ସୌମ୍ୟର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ଖବର ପାଇଥିଲୁ ।"

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.