ETV Bharat / state

ବାପା ମାଆଙ୍କୁ ହରାଇବା ପରେ ଭାଇଭଉଣୀଙ୍କ ସାହାରା ପୁଷ୍ପଲତା, ଦୁଃଖରେ ବିତୁଛି ଜୀବନ

author img

By

Published : Nov 27, 2022, 4:03 PM IST

Updated : Nov 27, 2022, 6:10 PM IST

କଅଁଳ ବୟସରେ ପରିବାରର ବୋଝ । ବାପା ମାଆ ଛେଉଣ୍ଡ ହେବା ପରେ ତିନି ଭାଇ ଭଉଣୀଙ୍କ ସାହାରା ପାଲଟିଛନ୍ତି ଖୋର୍ଦ୍ଧା ଜିଲ୍ଲା ନୀଳକଣ୍ଠପୁର ଗ୍ରାମର ପୁଷ୍ପଲତା । ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି ଏହି ପରିବାର । ଭଙ୍ଗା ଦଦରା ଘର ଭିତରେ ଚାଲିଛି ବଞ୍ଚିବାର ସଂଗ୍ରାମ । ଅଧିକ ପଢନ୍ତୁ

ବାପା ମାଆଙ୍କୁ ହରାଇବା ପରେ ଭାଇଭଉଣୀଙ୍କ ସାହାରା ପୁଷ୍ପଲତା
ବାପା ମାଆଙ୍କୁ ହରାଇବା ପରେ ଭାଇଭଉଣୀଙ୍କ ସାହାରା ପୁଷ୍ପଲତା

ଖୋର୍ଦ୍ଧା: ପୋଡାଡିହ ପଞ୍ଚାୟତ ନୀଳକଣ୍ଠପୁରର ପୁଷ୍ପଲତା ନାୟକ । ଯେକି ଏବେ ପରିବାରର ବୋଝ ମୁଣ୍ଡାଇଛନ୍ତି । ଖେଳକୁଦ ଓ ପାଠପଢା ବୟସରେ ହାତରେ ଧରିଛନ୍ତି ତତଲା ଭାତ ହାଣ୍ଡି । ବୟସ ମାତ୍ର ୧୫ ବର୍ଷ, କିନ୍ତୁ ଏହି କମ ବୟସରେ ସେ ପରିବାରର ବୋଝ ସମ୍ଭାଳିଛନ୍ତି । ଛାତିକୁ ପଥର କରି ୩ ଭାଇ ଭଉଣୀଙ୍କ ମାଆ ପାଲଟିଛନ୍ତି ପୁଷ୍ପଲତା । ପରିବାର କହିଲେ ପୁଷ୍ପଲତା ଓ ତାଙ୍କ ୩ ଭାଇ ଭଉଣୀ । ବାପା ମାଆ ଛେଉଣ୍ଡ ହେବା ପରେ ଦୁଃଖରେ ଦିନ କାଟୁଛନ୍ତି ଏହି ୪ ଭାଇ ଭଉଣୀ । ଚାଳ ଛପର ଘରେ ଜୀବନ ବିତୁଥିବା ବେଳେ ଦିନେ ଖାଇଲେ ଦିନେ ଉପାସ ରହୁଛନ୍ତି ଏହି ଦୁଃଖି ପରିବାର । କିନ୍ତୁ ଏତେ ସବୁ ଦୁଃଖ ମଧ୍ୟରେ ସମସ୍ତ କଷ୍ଟ ସହି ପରିବାର ଚଳାଇବା ସହିତ ନିଜ ଭାଇ ଭଉଣୀଙ୍କୁ ବଡ କରିବାର ସ୍ୱପ୍ନ ଦେଖୁଛନ୍ତି ପୁଷ୍ପଲତା ।

ବାପା ମାଆଙ୍କୁ ହରାଇବା ପରେ ଭାଇଭଉଣୀଙ୍କ ସାହାରା ପୁଷ୍ପଲତା

2016 ମସିହାରେ ହଠାତ ଘରେ ନିଆଁ ଲାଗି ପରିବାର ଉଜୁଡି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ବାପା ମାଆ ଆରପାରିକୁ ଚାଲି ଯାଇଥିଲେ । ଆଉ ନିଆଁର ଆଁରେ ଘର ଦ୍ବାର ମଧ୍ୟ ପୋଡି ପାଉଁଶ ହୋଇଯାଇଥିଲା । ଆଉ ଏବେ ଯାହା କିଛି ରହିଛି ତାକୁ ସାଉଁଟି ଏବେ ଏମାନଙ୍କ ଜୀବନ ବିତୁଛି । ପରିବାର ଘରଦ୍ୱାର ନଥିବା ବେଳେ ପୁଷ୍ପା ଅଧାରୁ ପାଠ ଛାଡି ଅଣ୍ଟାଭିଡି ବାହାରିଛନ୍ତି ନିଜ ଭାଇ ଭଉଣୀକୁ ମଣିଷ କରି ଗଢି ତୋଳିବାକୁ । ପୁଷ୍ପଲତାଙ୍କ ସାନ ଭଉଣୀ ଝିଲି ନାୟକ ଆର୍ଥିକ ଅଭାବ କାରଣରୁ ଗତବର୍ଷ ଠାରୁ ପାଠରେ ଡୋରି ବାନ୍ଧିଥିଲେ ମଧ୍ୟ ଏବେବି ପାଠ ପଢ଼ିବା ପାଇଁ ସ୍ୱପ୍ନ ଦେଖୁଛନ୍ତି । ସେହିଭଳି ଅନ୍ୟ ଦୁଇ ଭାଇ ଭଉଣୀ ଗାଁ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଛନ୍ତି । ସରକାରୀ ସୁବିଧା କହିଲେ ଚାରି ଭାଇ ଭଉଣୀଙ୍କୁ ମିଳୁଛି 15 କିଲୋ ଚାଉଳ । ଏପର୍ଯ୍ୟନ୍ତ ଭାଇର ନାମ ରାସନ କାର୍ଡରେ ଅନ୍ତର୍ଭୁକ୍ତ ହୋଇନଥିବା ବେଳେ କାର୍ଡରେ ନାମ ସଂଯୋଗ ଓ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଟିଏ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ଗ୍ରାମବାସୀ ।

ସେପଟେ ପୁଷ୍ପଲତା ତାଙ୍କ ଅଧାରୁ ପାଠ ଛାଡିଥିବା ଭଉଣୀ ଝିଲି ନାୟକ ଓ ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଥିବା କୁନି ଭାଇ ଭଉଣୀଙ୍କୁ ପାଠ ପଢିବା ପାଇଁ ସହାୟତା ଓ ଚଳିବା ପାଇଁ ସହାୟତା ଯୋଗାଇଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି । ସେପଟେ ଘଟଣା ସମ୍ପର୍କରେ ଆମ ଠାରୁ ଖବର ପାଇ ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରି କିପରି ଝିଲି ନାୟକ ପାଠ ପଢିପାରିବେ ସେନେଇ ବ୍ୟବସ୍ଥା କରିବା ପାଇଁ କହିଥିବା ବେଳେ ପୁଷ୍ପଲତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବେଗୁନିଆ ବିଡ଼ିଓ ଲକ୍ଷ୍ମୀଧର ସାହୁ ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated :Nov 27, 2022, 6:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.