ETV Bharat / state

ଅକ୍ଟୋବରରେ ଓଡିଶା ଆସିବେ ରାହୁଲ ଗାନ୍ଧୀ: ସୁର

author img

By ETV Bharat Odisha Team

Published : Aug 25, 2023, 9:24 PM IST

ଅକ୍ଟୋବରରେ ଓଡିଶା ଆସିବେ ରାହୁଲ ଗାନ୍ଧୀ
ଅକ୍ଟୋବରରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲେଣି ପ୍ରମୁଖ ରାଜନୈତିକ ଦଳ । ବିଜେପି ଓ ବିଜେଡି ବିଭିନ୍ନ ଉପାୟରେ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଯୋଜନା କରୁଥିବା ବେଳେ କଂଗ୍ରେସର ପ୍ରଚାର ମୂଳଦୂଆ ପକାଇବେ ରାହୁଲ ଗାନ୍ଧୀ । ଆସନ୍ତା ଅକ୍ଟୋବର ମାସରେ ରାହୁଲ ଓ ପ୍ରିୟଙ୍କା ଓଡି଼ଶା ଆସିବେ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

ଅକ୍ଟୋବରରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପାଇଁ କମର କଷୁଛି କଂଗ୍ରେସ । ସୁପ୍ତ କର୍ମୀଙ୍କୁ ଜାଗ୍ରତ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛନ୍ତି ଦଳର ନେତା । ଏହାରି ମଧ୍ୟରେ ମିଶନ ୧୦୦କୁ ଟାର୍ଗେଟ କରିଛି ଦିଲ୍ଲୀ ଦରବାର । ଧରାଶାୟୀ ହୋଇଥିବା ଦଳର ନେତା ଓ କର୍ମୀଙ୍କୁ ସଞ୍ଜିବନୀ ଦେବା ଲାଗି ଏବେ ଓଡ଼ିଶା ଗସ୍ତ କରିବେ କେନ୍ଦ୍ରୀୟ ନେତା । ଏହି କ୍ରମରେ ଆସନ୍ତା ଅକ୍ଟୋବର ମାସରେ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ । ଯଦିଓ ବର୍ତ୍ତମାନ ସୁଦ୍ଧା ତାରିଖ ଧାର୍ଯ୍ୟ ହୋଇନାହିଁ, ତେବେ ରାହୁଲଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଛି ରାଜ୍ୟ କଂଗ୍ରେସ ।

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଆସନ୍ତା ଅକ୍ଟୋବରରେ ଓଡ଼ିଶାରେ ଖୋର୍ଦ୍ଧା ଜିଲ୍ଲାରୁ ଆରମ୍ଭ ହେବ ଦଳର ମିଶନ ୧୦୦ । ଯଦିଓ ସ୍ଥାନ ଓ ତାରିଖ ବର୍ତ୍ତମାନ ସୁଦ୍ଧା ଚୂଡ଼ାନ୍ତ ହୋଇନାହିଁ, ତେବେ ବରୁଣେଇ ପାହାଡ଼ ତଳେ ନିର୍ବାଚନ ପ୍ରଚାରର ମୂଳଦୁଆ ପକାଇବେ ବୋଲି ଦଳର ଭିତିରି ମହଲରୁ ସୂଚନା ମିଳିଛି । ଦୀର୍ଘ ୨୩ ବର୍ଷ ଧରି କ୍ଷମତାରୁ ଦୂରରେ ଥିବା ରାଜ୍ୟ କଂଗ୍ରେସ ଏବେ କ୍ଷମତା ହାତେଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛି । ମତାନ୍ତର ଓ ମନାନ୍ତର ଭିତରେ ଦଳରି ବାହାରେ ରହିଥିବା ନେତାଙ୍କୁ ଏକାଠି କରି ଦଳକୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି । ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜ୍ୟ ନେତୃତ୍ବର ତତ୍ପରତା ସେତିକି ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ରାହୁଲ ଗାନ୍ଧୀଙ୍କ ଗସ୍ତ ସଞ୍ଜିବନୀ ଭଳି କାମ ଦେବ ବୋଲି ରାଜନୀତି ସମୀକ୍ଷକମାନେ କହୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ମୁଣ୍ଡ ଉପରେ, କଂଗ୍ରେସରେ ଜାରି ରହିଛି ଅନ୍ତଃକନ୍ଦଳ !

ଏନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧୀ । ଏକ ବିଶାଳ ସମାବେଶ ହେବ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ସାରା ରାଜ୍ୟରୁ ପ୍ରାୟ ୨ ଲକ୍ଷ ଲୋକ ଆସିବେ । ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଅକ୍ଟୋବରରେ ଆସିବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀ ଯାଇ ମୁଁ ରାହୁଲଙ୍କୁ ସାକ୍ଷାତ କରି ନିମନ୍ତ୍ରଣ କରିଛି । ପିସିସି ସଭାପତିଙ୍କ ସହ ଆଲୋଚନା ପରେ ଚୂଡାନ୍ତ ତାରିଖ ନିଷ୍ପତ୍ତି ହେବ । ଦିଲ୍ଲୀରେ ୫ ଜଣ ବିଧାୟକ ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଥିବା ବେଳେ ଶେଷ ସପ୍ତାହରେ ଆସିବାକୁ ସହମତି ପ୍ରକାଶ କରିଛନ୍ତି । ୪ଟି ଜୋନ୍‌ରେ ବୈଠକ କରିବାକୁ ପ୍ରସ୍ତାବ ଦେଇଛି ରାଜ୍ୟ କଂଗ୍ରେସ । କଂଗ୍ରେସ ସଙ୍ଗଠନ ଅଧିକ ସକ୍ରିୟ ହେବ । ରାହୁଲ ଆସିଲେ ଓଡ଼ିଶାରେ କଂଗ୍ରେସ ଅଧିକ ବିଶ୍ବାସଭାଜନ ହେବ ।"

ପ୍ରକାଶଯୋଗ୍ୟ, ଓଡ଼ିଶାରୁ ୫ ଜଣ ବିଧାୟକ ଦିଲ୍ଲୀ ଯାଇ ଦଳର ଆଇକନ୍‌ ରାହୁଲ ଗାନ୍ଧୀଙ୍କୁ ଭେଟି ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି । ଏପରିକି ବିଧାୟକମାନେ ରାହୁଲଙ୍କ ସହ ସଂଗଠନ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ପଦଯାତ୍ରା ପରେ ଯଦିଓ ଅନେକ ରାଜ୍ୟରେ କଂଗ୍ରେସ ପ୍ରତି ଲୋକଙ୍କ ସମର୍ଥନ ବଢ଼ିଛି, ତେବେ ଓଡ଼ିଶାରେ ସେଭଳି କିଛି ଆଖିଦୃଶିଆ ପ୍ରତିଫଳନ ଦେଖିବାକୁ ମିଳୁନାହିଁ । ରାହୁଲଙ୍କ ଓଡ଼ିଶା ଗସ୍ତ ନିର୍ବାଚନ ମୈଦାନକୁ କେତେ ପ୍ରଭାବିତ କରିବ, ବର୍ତ୍ତମାନ ଏହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.