ETV Bharat / state

ଦେଶର ଦ୍ବିତୀୟ ଧନୀ ଦଳକୁ ସୁରଙ୍କ ଟାର୍ଗେଟ, ‘ବିଭିନ୍ନ ସୁତ୍ରରୁ ବେଆଇନ ଭାବେ ଟଙ୍କା ଆଦାୟ କରୁଛି ବିଜେଡି’

author img

By

Published : Apr 9, 2023, 3:52 PM IST

ବିଜେଡିକୁ ସୁରଙ୍କ ଟାର୍ଗେଟ
ବିଜେଡିକୁ ସୁରଙ୍କ ଟାର୍ଗେଟ

ADR ରିପୋର୍ଟ ଅନୁସାରେ ବିଜେଡି ଦେଶର ଦ୍ବିତୀୟ ଧନୀ ଦଳ । ଏନେଇ ବିରୋଧି ଦଳ ଗୁଡ଼ିକ ଶାସକ ଦଳକୁ ଘେରିଛନ୍ତି । ବେଆଇନ ଭାବେ ବିଭିନ୍ନ ସୂତ୍ରରୁ ଶାସକ ଦଳ ଟଙ୍କା ଆଦାୟ କରୁଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

ବିଜେଡିକୁ ସୁରଙ୍କ ଟାର୍ଗେଟ

ଭୁବନେଶ୍ବର: ପ୍ରକାଶ ପାଇଛି ଦେଶର ଧନୀ ଆଞ୍ଚଳିକ ଦଳ ଗୁଡ଼ିକର ତାଲିକା । ADR (Association for Democratic Reforms) ରିପୋର୍ଟ ଆଧାରରେ ବିଜେଡି ଦେଶର ଦ୍ବିତୀୟ ସର୍ବାଧିକ ଧନୀ ଆଞ୍ଚଳିକ ଦଳ । ଏହି ପ୍ରସଙ୍ଗରେ ଶାସକ ଦଳକୁ ଟାର୍ଗେଟ କଲା କଂଗ୍ରେସ । ତେବେ ବିଜେଡି ଦେଶର ଦ୍ବିତୀୟ ଧନୀ ଆଞ୍ଚଳିକ ଦଳ ଭାବେ ଉଭା ହେବାକୁ ନେଇ ତେଜିଲା ରାଜନୀତି । ଅମାପ ସମ୍ପତ୍ତିକୁ ନେଇ ବିଜେଡିକୁ ଟାର୍ଗେଟ କଲେ ବିରୋଧି । ବିଜେପି ଅଭିଯୋଗ ଆଣିଛି କମ୍ପାନୀ ଗୁଡ଼ିକ ଠାରୁ ଶାସକ ଦଳ ଚାନ୍ଦା ଆଦାୟ କରୁଥିବାରୁ ଓଡିଶାରୁ ଶିଳ୍ପ ପ୍ରତିଷ୍ଠାନ ମୁହଁ ଫେରାଉଛନ୍ତି । ସେପଟେ କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆଣି ଟାର୍ଗେଟ କରିଛି ।

ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ବିଜେଡି ସାଢ଼େ ଚାରି ହଜାର କୋଟି ଟଙ୍କାର କଳା ଧନ ରଖିଛି । ବିଜେଡି ପାଖରେ ଏତେ ଟଙ୍କା ଆସିଲା କୁଆଡୁ ? ଗତ ୨୫ ବର୍ଷ ଭିତରେ ବିଜେଡି ଚାନ୍ଦା ଆଦାୟ କରି ବହୁ ଅର୍ଥ କମେଇଛି । ବଡ଼ ବଡ଼ କର୍ପୋରେଟ ସଂସ୍ଥା ଠାରୁ ଚାନ୍ଦା ଆଦାୟ କରୁଛି ବିଜେଡି । ଖଣି ଖାଦାନରୁ କୋଟି କୋଟି ଟଙ୍କା ଶାସକ ଦଳ ଗୁଡ଼ିକ ଚାନ୍ଦା ଆଦାୟ କରୁଛନ୍ତି । ୧୦ ବର୍ଷ ଭିତରେ ବିଜେପି ୨୭ ହଜାର କୋଟି ଟଙ୍କା ପାର୍ଟି ଚାନ୍ଦା ଆଦାୟ କରିଛି । ବିଜେଡି ମଧ୍ୟ ଦୀର୍ଘ ବର୍ଷ ଧରି ସରକାରୀ କଳର ଅପବ୍ୟବହାର କରି କୋଟି କୋଟି ଟଙ୍କା ଆଦାୟ କରିଛି । କର୍ପୋରେଟର ପ୍ରଭାବ ରହିଛି । ତେଣୁ ବିଜେଡି ପାଣ୍ଠି ବୃଦ୍ଧି ପାଉଛି । ଖୋର୍ଦ୍ଧା ଜିଲ୍ଲାରେ ମୂଲ୍ୟବାନ ଜମିକୁ କମ ରେଟରେ ବିକ୍ରି କରି କୋଟି କୋଟି ଟଙ୍କା ଆଦାୟ କରିଛି ବିଜେଡି ।" ତେବେ ଏହାର ଜବାବ ଜନ ସାଧାରଣ ଆସନ୍ତା ନିର୍ବାଚନରେ ଦେବେ ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ।

ସୂଚନା ଅନୁଯାୟୀ ବିଜେଡି ଦେଶର ଦ୍ବିତୀୟ ଆଞ୍ଚଳିକ ଧନୀ ଦଳ ବୋଲି ADR ରିପୋର୍ଟ ଆଧାରରେ ଜଣାପଡିଛି । ଆୟର ସର୍ବାଧିକ ଅଭିବୃଦ୍ଧି ଘଟିଥିବା ଆଞ୍ଚଳିକ ରାଜନୈତିକ ଦଳ ହେଉଛି ବିଜେଡି । ଯାହାର ଆୟ ୩୬ଟି ଆଞ୍ଚଳିକ ଦଳ ଗୁଡ଼ିକର ଆୟର ୨୫.୩୩ ପ୍ରତିଶତ ବୋଲି ଜଣାପଡିଛି ।

ଦେଶରେ ୩୬ଟି ଆଞ୍ଚଳିକ ଦଳର ମୋଟ ଆୟ ୧୨୧୩.୧୩୨ କୋଟି ହୋଇଥିବାବେଳେ, କେବଳ ବିଜେଡିର ଆୟ ରହିଛି ୩୦୭.୨୮୮ କୋଟି । ତେବେ ତାମିଲନାଡୁର ଡିଏମକେ ଦେଶର ସର୍ବବୃହତ ଆଞ୍ଚଳିକ ଧନୀ ଦଳ । ବିଜେଡି ଦ୍ବିତୀୟ ସ୍ଥାନରେ ରହିଛି । ସେପଟେ ଦେଖାଯାଉଛି ଯେ ଯେଉଁ ଦଳମାନେ କ୍ଷମତାରେ ନାହାନ୍ତି, ସେମାନଙ୍କ ଦଳୀୟ ପାଣ୍ଠି ନଗଣ୍ୟ । ସେମାନେ ଚାନ୍ଦା ଆଦାୟ କରିବାରେ ପଛରେ । ବିହାରରେ ଆରଜେଡି କ୍ଷମତାରେ ଥିଲେ ମଧ୍ୟ ଏହାର ପାଣ୍ଠି ସଂଗ୍ରହ କମ ଥିବାରୁ ଏହାର ରେଟିଙ୍ଗ ବହୁ ତଳେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.