ETV Bharat / state

ପ୍ରତି ସୋମବାର କଲେଜରେ ହକିର ଇତିହାସ ପଢିବେ ଛାତ୍ରଛାତ୍ରୀ

author img

By ETV Bharat Odisha Team

Published : Oct 11, 2023, 8:05 AM IST

Updated : Oct 11, 2023, 9:35 AM IST

କଲେଜରେ ହକିର ଗୌରବମୟ ଇତିହାସ ପଢିବେ ଛାତ୍ରଛାତ୍ରୀ । ଏନେଇ ରାଜ୍ୟର ସମସ୍ତ କଲେଜ ପ୍ରିନ୍ସିପାଲଙ୍କୁ ଚିଠି ହୋଇଛି । ଅଧିକ ପଢନ୍ତୁ

କଲେଜରେ ହକିର ଇତିହାସ ପଢିବେ ଛାତ୍ରଛାତ୍ରୀ
କଲେଜରେ ହକିର ଇତିହାସ ପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଭାରତୀୟ ହକିର ଗୌରବମୟ ଇତିହାସ ପଢିବେ କଲେଜ ଛାତ୍ରଛାତ୍ରୀ । ପ୍ରତ୍ୟେକ ସୋମବାର କଲେଜ ଛାତ୍ରଛାତ୍ରୀ ହକିର ସୁବର୍ଣ୍ଣ ଓ ଗୌରବମୟ ଗାଥା ସମ୍ପର୍କରେ ପଢିବା ସହ ଆଲୋଚନା କରିବେ । ଉଭୟ ଇଂରାଜୀ ଏବଂ ଓଡିଆ ଭାଷାରେ ଛାତ୍ରଛାତ୍ରୀଙ୍କୁ ଏ ବିଷୟରେ ବାର୍ତ୍ତା ଦିଆଯିବ । ଏନେଇ ରାଜ୍ୟର ସମସ୍ତ ସରକାରୀ କଲେଜ, 488 ବର୍ଗ ଅନ୍ତର୍ଗତ ଅଣ-ସରକାରୀ ସହାୟକ କଲେଜ ଏବଂ 662 ବର୍ଗ ଅନ୍ତର୍ଗତ ଅଣ-ସରକାରୀ ସହାୟକ କଲେଜ ପ୍ରିନ୍ସିପାଲଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ଏଥିସହ କଲେଜ କ୍ୟାମ୍ପସ୍‌ର ପ୍ରମୁଖ ସ୍ଥାନରେ ଫ୍ଲେକ୍ସି ବ୍ୟାନର ଲଗାଯିବା ପାଇଁ ନିର୍ଦ୍ଦେଶ ହୋଇଛି ।


ଚିଠିରେ ଉଲ୍ଲେଖ ରହିଛି ଯେ, ହକି ଆମ ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହା ବହୁ ବର୍ଷ ଧରି ଯୁବପିଢ଼ିକୁ ପ୍ରେରଣା ଦେଇଆସିଛି । ଭାରତୀୟ ହକି ଦଳ ସ୍ବାଧୀନତା ପୂର୍ବରୁ ଅଲିମ୍ପିକ୍ସରେ କ୍ରମାଗତ ଭାବରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସ୍ୱାଧୀନତା ପରେ ମଧ୍ୟ ଅଲିମ୍ପିକ୍ସରେ ଉନ୍ନତ ପ୍ରଦର୍ଶନ କରୁଛନ୍ତି । କ୍ରିକେଟ୍ ଯୁଗ ପୂର୍ବରୁ ହକି ଯୁବପିଢ଼ିଙ୍କୁ ପ୍ରେରଣା ଦେଉଥିଲା । ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସରକାର 2020 ଏବଂ 2023 ମସିହାରେ ପୁରୁଷ ଓ ମହିଳା ହକି ବିଶ୍ୱକପକୁ ପ୍ରାୟୋଜିତ କରି ଯୁବକଙ୍କ ଶକ୍ତି ଖୋଲିବାକୁ ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସାଇକେଲ !

ଉଭୟ ପୁରୁଷ ଏବଂ ମହିଳା ହକି ଜାତୀୟ ଦଳକୁ ପ୍ରାୟୋଜିତ କରିବାର ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ହକିର ଗୌରବମୟ ଇତିହାସକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ହକିର ଭୂମିକା ଏବଂ ମହତ୍ତ୍ୱକୁ ବର୍ତ୍ତମାନର ପିଢ଼ି ଦ୍ୱାରା ଆଲୋକିତ ଏବଂ ଗ୍ରହଣ କରାଯିବା ଉଚିତ । ତେଣୁ କଲେଜରେ ଛାତ୍ରଛାତ୍ରୀ ହକିର ଇତିହାସ ଏବଂ ମହତ୍ତ୍ୱକୁ ଗୁରୁତ୍ୱ ଦେବା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି ।

ସୂଚନା ଥାଉକି, ଗତ ସୋମବାର ଦିନ ସ୍କୁଲରେ ପିଲାଙ୍କୁ ହକି ବିଷୟରେ ଶିକ୍ଷାଦାନ କରାଯାଇଥିଲା । ପ୍ରାର୍ଥନା ସଭାରେ ଭାରତୀୟ ହକିର ବିଜୟ ଗାଥା ପଢିଥିଲେ ଛାତ୍ରଛାତ୍ରୀ । ଏସିଆନ ଗେମ୍ସରେ ଭାରତୀୟ ହକି ଦଳ ସ୍ବର୍ଣ୍ଣ ଜିତି ଗୌରବ ଆଣିବା ପରେ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଅବସରରେ ୨୦୨୪ ଅଲିମ୍ପିକ୍ସ ପାଇଁ ଭାରତୀୟ ଖେଳାଳିଙ୍କୁ ଛାତ୍ରଛାତ୍ରୀ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କ ଭିତରେ ହକି ପାଇଁ ସଚେତନତା ସୃଷ୍ଟି କରିବା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Oct 11, 2023, 9:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.