ETV Bharat / state

PMFBYରେ ଚାଷୀ ପଞ୍ଜିକରଣ ଅବଧି ବୃଦ୍ଧି, ୨୫ ଲକ୍ଷ ଚାଷୀଙ୍କ ପଞ୍ଜୀକରଣ ଲକ୍ଷ୍ୟ

author img

By

Published : Aug 2, 2023, 8:41 AM IST

PMFBYରେ ଚାଷୀ ପଞ୍ଜିକରଣ ଅବଧି ବୃଦ୍ଧି
PMFBYରେ ଚାଷୀ ପଞ୍ଜିକରଣ ଅବଧି ବୃଦ୍ଧି

PMFBYରେ ଚାଷୀ ପଞ୍ଜିକରଣ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ତାରିଖ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY )ରେ ଚାଷୀ ପଞ୍ଜିକରଣ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ତାରିଖ ବୃଦ୍ଧି ହୋଇଛି । ଏହାର ଲାଭ ଉଠାଇବା ଲାଗି ଯୋଜନା କରିଛନ୍ତି ରାଜ୍ୟ ସରକାର । ଚୂଡାନ୍ତ ତାରିଖ ସୁଦ୍ଧା PMFBYରେ ୨୫ ଲକ୍ଷ ଚାଷୀଙ୍କ ପଞ୍ଜୀକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ଏହି ଫସଲ ବୀମା ପଞ୍ଜିକରଣର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।

ତେବେ ରାଜ୍ୟରେ ଫସଲ ବୀମା ଯୋଜନାରେ ୨୫ ଲକ୍ଷ ଚାଷୀଙ୍କ ପଞ୍ଜୀକରଣ କରିବା ନେଇ ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ସୁଦ୍ଧା ଅଧାରୁ ଅଧିକ ଅର୍ଥାତ୍ ୧୩ ଲକ୍ଷ ଚାଷୀ ବୀମା ପଞ୍ଜିକରଣ କରି ସାରିଲେଣି । ଏନେଇ ବୈଠକରେ ମୁଖ୍ୟ ଶାସନ ସଚିବ କୃଷି ବିଭାଗ, ଜିଲ୍ଲାପାଳ ଏବଂ କ୍ଷେତ୍ର କର୍ମଚାରୀଙ୍କ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ । ସେହିପରି ଓଡ଼ିଶା ସରକାରଙ୍କ ଅନୁରୋଧକ୍ରମେ ପଞ୍ଜିକରଣ ତାରିଖ ଅଗଷ୍ଟ ୫ ତାରିଖକୁ ବୃଦ୍ଧି କରାଯିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ବୈଠକରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ଅନ୍ୟପଟେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ବ୍ୟାଙ୍କିଙ୍ଗ ନେଟୱାର୍କ ଦ୍ୱାରା ନଗଣ୍ୟ ସଂଖ୍ୟକ ଅଣଋଣୀ ଚାଷୀଙ୍କ ନାମ ପଞ୍ଜୀକରଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସମବାୟ ବ୍ୟାଙ୍କଗୁଡ଼ିକୁ ଅଗଷ୍ଟ ୫ ତାରିଖ ସୁଦ୍ଧା ୧ ଲକ୍ଷ ଅଣଋଣୀ କୃଷକଙ୍କୁ ପଞ୍ଜୀକୃତ କରିବାକୁ ଲକ୍ଷ୍ୟ ଦିଆଯାଇଛି । ଅନ୍ୟ ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକୁ ମଧ୍ୟ ୧ ଲକ୍ଷ ଅଣଋଣୀ କୃଷକଙ୍କୁ ପଞ୍ଜୀକରଣ କରିବାକୁ କୁହାଯାଇଛି । ବର୍ଦ୍ଧିତ କଟ ଅଫ ତାରିଖ ମଧ୍ୟରେ ୪ ଲକ୍ଷ ଅଣଋଣଧାରୀ କୃଷକଙ୍କୁ ପଞ୍ଜୀକୃତ କରିବାକୁ କମନ ସର୍ଭିସ ସେଣ୍ଟର ବା ଜନସେବା କେନ୍ଦ୍ରଗୁଡ଼ିକୁ ଲକ୍ଷ୍ୟ ଦିଆଯାଇଛି । ରାଜ୍ୟ ସରକାର ଚାଷୀଙ୍କ ଭାଗ ପ୍ରିମିୟମ ବହନ କରିବାକୁ ନେଇଥିବା ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ୨୫ ଲକ୍ଷ ଚାଷୀଙ୍କ ନାମ ପଞ୍ଜୀକରଣ ଲକ୍ଷ୍ୟ କଟ ଅଫ ତାରିଖ ମଧ୍ୟରେ ସହଜରେ ହାସଲ ହୋଇପାରିବ । ଯାହା ଦ୍ୱାରା ରାଜ୍ୟର କୃଷକଙ୍କ ହିତକର ନିଷ୍ପତ୍ତି ଦୃଷ୍ଟିରୁ ଅତିକମରେ ଏତେ ସଂଖ୍ୟକ କୃଷକ ଉପକୃତ ହୋଇପାରିବେ ।

ଏହା ମଧ୍ୟ ପଢନ୍ତୁ- ପ୍ରଧାନମନ୍ତ୍ରୀ ଫସଲ ବୀମାରୁ ପାଇବାରୁ ବଞ୍ଚିତ 6 ହଜାର ଚାଷୀ

ତେବେ ଉକ୍ତ ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ଓ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଓ ସମବାୟ ସମିତିର ରେଜିଷ୍ଟ୍ରାର ଡଃ. ଉଦ୍ଧବ ଚନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.