ETV Bharat / state

ମହାମାରୀ ମୁକାବିଲା ନେଇ ବିଏମସିର ପ୍ରସ୍ତୁତି ବୈଠକ, ଆଜିଠାରୁ ହସ୍ପିଟାଲରେ ମକଡ୍ରିଲ୍‌

author img

By

Published : Apr 11, 2023, 10:52 AM IST

Bmc Preparation meeting for covid
Bmc Preparation meeting for covid

ପୁଣି ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ମହାମାରୀ ମୁକାବିଲା ନେଇ ଭୁବନେଶ୍ବର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ପୁଣି ଫେରିଛି ମହାମାରୀ । ଦିନକୁ ଦିନ ସଂକ୍ରମଣ ମାମଲା ବଢିବାରେ ଲାଗିଛ । କୋଭିଡ ମୁକାବିଲା ନେଇ ବିଏମସିର ପ୍ରସ୍ତୁତି ବୈଠକ ବସିଛି । ଆଜିଠାରୁ ସବୁ ହସ୍ପିଟାଲରେ ମକଡ୍ରିଲ୍ ହେବ । ଜୁନ୍ ମାସ ବେଳକୁ ରାଜ୍ୟ ସମେତ ଭୁବନେଶ୍ବର ମହାନଗର ନିଗମ(ବିଏମସି) ଅଞ୍ଚଳରେ କୋଭିଡ ସଂକ୍ରମଣ ବଢ଼ିବା ସମ୍ଭାବନା ରହିଛି । ସେଥିଲାଗି ପ୍ରସ୍ତୁତ ରହିବାକୁ ରାଜଧାନୀ ଭୁବନେଶ୍ବରର ସମସ୍ତ ଘରୋଇ ଓ ସରକାରୀ ଡାକ୍ତରଖାନାକୁ ନିର୍ଦ୍ଦେଶ ଦିଆଯାଇଛି । ବିଗତ ବର୍ଷଗୁଡିକ ଭଳି ଆଗାମୀ ଦିନରେ କିପରି ସଫଳତାର ସହ କୋଭିଡ ମୁକାବିଲା କରିହେବ ସେନେଇ କମିଶନର ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମଣ ପ୍ରତିହତ ପ୍ରତି ଆଗୁଆ ପଦକ୍ଷେପ ସଦୃଶ ବିଏମସି ଏହି ପଦକ୍ଷେପ ନେଇଛି ।

ମହାମାରୀ ମୁକାବିଲା ନେଇ ବିଏମସିର ପ୍ରସ୍ତୁତି ବୈଠକ
ମହାମାରୀ ମୁକାବିଲା ନେଇ ବିଏମସିର ପ୍ରସ୍ତୁତି ବୈଠକ

କୋଭିଡ ମୁକାବିଲା ନେଇ ସୋମବାର ସନ୍ଧ୍ୟାରେ ବିଏମସି ଏକାମ୍ର ହଲରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । କମିଶନର କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କ୍ୟାପିଟାଲ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ, ଏମ୍ସର ସୁପରିଟେଣ୍ଡେଣ୍ଟଙ୍କ ସମେତ ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ପିଏଚସି, ସିଏଚସିର ମେଡିକାଲ ଅଫିସର, ଅଧିକାଂଶ ଘରୋଇ ଡାକ୍ତରଖାନାର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଆଜିଠାରୁ ସମସ୍ତେ ପ୍ରସ୍ତୁତିର ମକ୍‌ଡ୍ରିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ଟେଷ୍ଟିଂ ବୃଦ୍ଧି କରିବା ସହ କୋଭିଡ ସଂକ୍ରମିତ ରୋଗୀଙ୍କ ଲାଗି ସ୍ବତନ୍ତ୍ର ଓ୍ବାର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ପିଏଚସିରେ ଅତିକମରେ ୫ଟି ସ୍ବତନ୍ତ୍ର ବେଡ୍ ବ୍ୟବସ୍ଥା କରିବା ସହ ଅକ୍ସିଜେନ ମହଜୁଦ୍ ଥିବା ଗୋଟିଏ ସ୍ବତନ୍ତ୍ର ବେଡ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସିଏଚସିରେ ଅତିକମରେ ୧୦ଟି ଆଇସୋଲେସନ ବେଡ୍‌ ସହ ଅକ୍ସିଜେନ ପ୍ରସ୍ତୁତ ରଖିବେ । କ୍ୟାପିଟାଲ ହସପିଟାଲରେ ଅଧିକ ଆଇସିୟୁ ଓ ବେଡ୍ ପ୍ରସ୍ତୁତ ରଖାଯିବ । ଏପରିକି ବିଏମସି ହସପିଟାଲଗୁଡିକୁ ମଧ୍ୟ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜିଠୁ(ମଙ୍ଗଳବାର) ପ୍ରତି ଡାକ୍ତରଖାନାରେ ମକ୍‌ଡ୍ରିଲ ଆରମ୍ଭ ହେବ । କୋଭିଡ ଲକ୍ଷଣ ଥିବା ରୋଗୀଙ୍କୁ କେମିତି ଆଣିବ, ତାଙ୍କୁ ବେଡ ନିକଟକୁ କେମିତି ନେବ, ତାଙ୍କର ଚିକିତ୍ସା କିପରି କରାଯିବ ଇତ୍ୟାଦି ସମ୍ପର୍କରେ ମକଡ୍ରିଲ ହେବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ କେମିତି କାର୍ଯ୍ୟ କରିବେ, ସେ ସମ୍ପର୍କରେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରି ଜଣାଇବାକୁ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ କହିଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ କିପରି ହସ୍ପିଟାଲ ପରିଚାଳନା କରିବେ, ସେ ସମ୍ପର୍କରେ ଅବଗତ କରାଇବାକୁ କୁହାଯାଇଛି । ଏହା ସାଙ୍ଗକୁ ସମସ୍ତ ସରକାରୀ ଏବଂ ବେସରକାରୀ ଚିକିତ୍ସାଳୟରେ ବର୍ଜ୍ୟବସ୍ତୁ ପୃଥକ କରିବା ଦିଗରେ ଗୁରୁତ୍ବ ଦିଆଯାଇଛି ।

କୌଣସି କୋଭିଡ ରୋଗୀ ଆସିଲେ, ସେ ସମ୍ପର୍କରେ ତୁରନ୍ତ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି । ସାମାନ୍ୟ ଲକ୍ଷଣ ଥିଲେ ମଧ୍ୟ ସେମାନଙ୍କୁ ପରୀକ୍ଷା କରିବା ଲାଗି ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ପଜିଟିଭ ଚିହ୍ନଟ ହେଲେ ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯିବ । ମୁଖ୍ୟତଃ କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ଚାଲିଛି ଏବଂ ପ୍ରାୟ ୨୦ ଜଣଙ୍କଠାରେ ସାମାନ୍ୟ କୋଭିଡ ପଜିଟିଭ ଥିବା ଜଣାପଡିଛି । ବିଏମସି ଅଞ୍ଚଳରେ ଜନ ସଚେତନତା କାର୍ଯ୍ୟକ୍ରମ କରିବାକୁ ମଧ୍ୟ କୁହାଯାଇଛି । ଏସଏଚଜି ଓ ସ୍ବଚ୍ଛାସେବୀ ସଙ୍ଗଠନକୁ ନେଇ ବିଭିନ୍ନ ଅଞ୍ଚଳ ଓ ବସ୍ତିରେ ସଚେତନତା କରାଯିବ । ସବୁ ବସ୍ତି ଅଞ୍ଚଳରେ ସତର୍କ ନଜର ରଖିବାକୁ ପ୍ରାକ ପ୍ରସ୍ତୁତି କୋଭିଡ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.