ETV Bharat / state

Dhamnagar By-Poll: SHG ମାଆମାନଙ୍କୁ ବିଜେଡି ଅନୈତିକ କାର୍ଯ୍ୟରେ ଲଗାଉଛି କହିଲା ବିଜେପି

author img

By

Published : Oct 30, 2022, 7:10 PM IST

ଧାମନଗର ଉପନିର୍ବାଚନ (Dhamnagar ByPoll) ରେ ଟଙ୍କା ବଣ୍ଟାକୁ ନେଇ ପୁଣିଥରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି । ଭୋଟ ହାତେଇବା ପାଇଁ SHG ମହିଳାଙ୍କ ମାଧ୍ୟମରେ ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖଶ୍ରୀ ସାମନ୍ତସିଂହାର । ଅଧିକ ପଢ଼ନ୍ତୁ

ଏସଏଚଜି ମାଆ ମାନଙ୍କୁ ବିଜେଡି ଅନୈତିକ କାର୍ଯ୍ୟରେ ଲଗାଉଛି କହିଲା ବିଜେପି
ଏସଏଚଜି ମାଆ ମାନଙ୍କୁ ବିଜେଡି ଅନୈତିକ କାର୍ଯ୍ୟରେ ଲଗାଉଛି କହିଲା ବିଜେପି

ଭୁବନେଶ୍ବର: ଧାମନଗର ଉପନିର୍ବାଚନ (Dhamnagar ByPoll) ଲାଗି ଚାଲିଛି ଜୋରଦାର ପ୍ରଚାର । ଆସନ୍ତା ୩ ତାରିଖରେ ହେବ ମତଦାନ । ତେବେ ଧାମନଗରରେ ବିଜେଡି ଭୋଟ ହାତେଇବା ପାଇଁ SHG ମହିଳାଙ୍କ ମାଧ୍ୟମରେ ଟଙ୍କା ବାଣ୍ଟୁଥିବା ନେଇ ବାରମ୍ବାର ବିରୋଧି ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ବିଜେପି ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିବା ବେଳେ ଏବେ ପୁଣିଥରେ ବିଜେପି ସାଧାରଣ ସମ୍ପାଦିକା ଲେଖଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ଅଭିଯୋଗ କରିଛି । ଏହାସହ ବିନା କୌଣସି ତଥ୍ୟ ପ୍ରମାଣରେ ସିଇଓଙ୍କୁ ଭେଟି ବିଜେଡି ଭିତ୍ତିହୀନ ଅଭିଯୋଗ କରୁଥିବା କହିଛନ୍ତି ଦଳର ସାଧାରଣ ସମ୍ପାଦିକା ।

ଏସଏଚଜି ମାଆ ମାନଙ୍କୁ ବିଜେଡି ଅନୈତିକ କାର୍ଯ୍ୟରେ ଲଗାଉଛି: ବିଜେପି

ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବାଣ୍ଟୁଥିବା ନେଇ ଏକାଧିକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ମହିଳା ତାଲିକା ଦେଖି, ଗୋଟିଗୋଟି କରି ନାଁ ପଢ଼ି, କହୁଛନ୍ତି ୩ ଜଣଙ୍କ ମଧ୍ୟରେ ଟଙ୍କା ବାଣ୍ଟି ନେବ । ଧାମନଗର NAC ଚେୟାରମ୍ୟାନ ଏହି ଟଙ୍କା ପଠାଇଥିବା ମହିଳା ଜଣକ କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି । ଏହାପରେ ଆଉ ଗୋଟିଏ ଭିଡିଓ ଭାଇରାଲ ହୋଇଛି । ଏଥିରେ ତିହିଡି ବ୍ଲକର ପାଳିଆବିନ୍ଧା ଗ୍ରାମର ରାମାନୁଜ SHG ଗ୍ରୁପର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ସାହୁ ଟଙ୍କା ବାଣ୍ଟୁଥିବା ଏହି ଭିଡିଓରେ ଦେଖାଯାଇଛି । ସେ ଭିଡିଓରେ କହୁଛନ୍ତି ଯେ ତାଙ୍କୁ ୪ ହଜାର ଟଙ୍କା ଦିଆଗଲା । ଏବଂ କୁହାଗଲା ଯେ ନବୀନ ବାବୁ ପଠାଇଛନ୍ତି । ଗ୍ରୁପରେ ଥିବା ୧୨ ଜଣ ସଦସ୍ୟଙ୍କ ଭିତରେ ବାଣ୍ଟି ଦେବ ।

ତେବେ ଧାମନଗର ଉପନିର୍ବାଚନରେ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଶାସକ ଦଳ ଏହିପରି ଟଙ୍କା ବଣ୍ଟା ଆରମ୍ଭ କରିଥିବା ବିରୋଧି ଦଳ ପକ୍ଷରୁ ଅଭିଯୋଗ ହେଉଛି । ଏନେଇ ପୂର୍ବରୁ ଥରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିବା ବେଳେ ଆଜି ଦ୍ବିତୀୟ ଥର ପାଇଁ ସମାନ ଅଭିଯୋଗ ନେଇ ସିଇଓଙ୍କ ଦ୍ବାରସ୍ତ ହୋଇଛି ବିଜେପି । ଏନେଇ ପ୍ରତିକ୍ରିୟାରେ ବିଜେପି ସାଧାରଣ ସମ୍ପାଦିକା ଲେଖଶ୍ରୀ ସାମନ୍ତସିଂହାର କହିଛନ୍ତି, "SHG ମାଆ ମାନଙ୍କୁ ବିଜେଡି ଅନୈତିକ ଓ ରାଜନୈତିକ କାମରେ ଲଗାଉଛି । ଉପନିର୍ବାଚନ ଜିତିବା ପାଇଁ ମହିଳାଙ୍କୁ ଅସ୍ତ୍ର କରିଛି । ଏଭଳି ଅନେକ ଉଦାହରଣ ସାମ୍ନାକୁ ଆସିଲାଣି । କିନ୍ତୁ ଏସଏଚଜି ମହିଳା ମାନେ ଜାଣିପାରୁନାହାନ୍ତି ଯେ ବିଜେଡ଼ି ସେମାନଙ୍କୁ ବ୍ୟବହାର କରୁଛି ।" ଏହା ସହିତ ବିନା କୌଣସି ତଥ୍ୟ ପ୍ରମାଣରେ ସିଇଓଙ୍କୁ ଭେଟି ବିଜେଡି ଭିତ୍ତିହୀନ ଅଭିଯୋଗ କରୁଥିବା ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.