ETV Bharat / state

ଦୁର୍ବଳ ହେଲା ବିରୋଧୀଙ୍କ ଅସ୍ତ୍ର; ‘2024ରେ ବିଜେଡିର ମୁଖ୍ୟ ନିର୍ବାଚନ ପରିଚାଳକ ଭିକେ ପାଣ୍ଡିଆନ’

author img

By ETV Bharat Odisha Team

Published : Dec 16, 2023, 10:54 PM IST

Updated : Dec 16, 2023, 11:05 PM IST

ଦୁର୍ବଳ ହେଲା ବିରୋଧୀଙ୍କ ଅସ୍ତ୍ର; ‘2024ରେ ବିଜେଡିର ମୁଖ୍ୟ ନିର୍ବାଚନ ପରିଚାଳକ ଭିକେ ପାଣ୍ଡିଆନ’
ଦୁର୍ବଳ ହେଲା ବିରୋଧୀଙ୍କ ଅସ୍ତ୍ର; ‘2024ରେ ବିଜେଡିର ମୁଖ୍ୟ ନିର୍ବାଚନ ପରିଚାଳକ ଭିକେ ପାଣ୍ଡିଆନ’

ରାଜନୀତିରେ ପ୍ରବେଶ କରିଥିବା ପ୍ରଶାସକ ଭିକେ ପାଣ୍ଡିଆନଙ୍କର ଭୂମିକା ଓ ନିର୍ବାଚନରେ ଦାୟିତ୍ବ ନେଇ ଚାଲିଥିବା ଚର୍ଚ୍ଚାର ଅବସାନ ହୋଇଛି । ପାଣ୍ଡିଆନଙ୍କୁ ନେଇ ବିଜେଡିକୁ ବ୍ୟାକଫୁଟରେ ପକାଇବା ଲାଗି ବିରୋଧୀଙ୍କ ପ୍ଲାନ ଦୁର୍ବଳ ହୋଇଥିବା କହିଛନ୍ତି ରାଜନୀତି ସମୀକ୍ଷକ । ବିନା ପଦବୀ ଓ ନିର୍ବାଚନ ନଲଢ଼ି 2024ରେ ବିଜେଡିର ମୁଖ୍ୟ ନିର୍ବାଚନ ପରିଚାଳକ ଭିକେ ପାଣ୍ଡିଆନ ହେବେ ବୋଲି ରାଜନୈତିକ ଆକଳନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଦୁର୍ବଳ ହେଲା ବିରୋଧୀଙ୍କ ଅସ୍ତ୍ର; ‘2024ରେ ବିଜେଡିର ମୁଖ୍ୟ ନିର୍ବାଚନ ପରିଚାଳକ ଭିକେ ପାଣ୍ଡିଆନ’

ଭୁବନେଶ୍ବର: ରାଜନୀତିରେ ପ୍ରବେଶ କରିଥିବା ପ୍ରଶାସକ ଭିକେ ପାଣ୍ଡିଆନଙ୍କର ଭୂମିକା ଓ ନିର୍ବାଚନରେ ଦାୟିତ୍ବ ନେଇ ଚାଲିଥିବା ଚର୍ଚ୍ଚାର ଅବସାନ ହୋଇଛି । ପାଣ୍ଡିଆନଙ୍କୁ ନେଇ ବିଜେଡିକୁ ବ୍ୟାକଫୁଟରେ ପକାଇବା ଲାଗି ବିରୋଧୀଙ୍କ ପ୍ଲାନ ଦୁର୍ବଳ ହୋଇଥିବା କହିଛନ୍ତି ରାଜନୀତି ସମୀକ୍ଷକ । ବିନା ପଦବୀ ଓ ନିର୍ବାଚନ ନଲଢ଼ି 2024ରେ ବିଜେଡିର ମୁଖ୍ୟ ନିର୍ବାଚନ ପରିଚାଳକ ଭିକେ ପାଣ୍ଡିଆନ ହେବେ ବୋଲି ରାଜନୈତିକ ଆକଳନ ଆରମ୍ଭ ହୋଇଛି । ପରଦା ପଛରେ ରହି ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିବା ପାଣ୍ଡିଆନଙ୍କୁ ଲୋକେ ଗ୍ରହଣ କରିବେ ନାହିଁ ବୋଲି ବିଜେପି କହିଥିବାବେଳେ କଂଗ୍ରେସ ବିଜେଡି ବ୍ୟାପାରରେ ମୁଣ୍ଡ ଖେଳାଇବାକୁ ମନା କରି ଦେଇଛି । ସେପଟେ ବିଜେଡି କହିଛି ପାଣ୍ଡିଆନଙ୍କ ଉପସ୍ଥିତ ଦଳକୁ କରିଛି ବଳିଷ୍ଠ ।

ବିଜେଡିରେ ସାମିଲ ହେବା ପରେ ପ୍ରଶାସକରୁ ନେତା ହୋଇଥିବା ଭିକେ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ବଢିଯାଇଛି । ପୂର୍ବରୁ ଦଳରେ ତାଙ୍କ ଭୂମିକାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ତାଙ୍କ ସ୍ପଷ୍ଟୀକରଣକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ରାଜନୈତିକ ସମୀକ୍ଷକ ରବି ଦାସଙ୍କ କହିବା କଥା ହେଲା, ଭିକେ ପାଣ୍ଡିଆନ ବିଜେଡିର ସଦସ୍ୟ ହେବା ପରେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲା । ବିଭିନ୍ନ ସ୍ଥାନରୁ ଲଢ଼ିବା ପାଇଁ ତାଙ୍କୁ ପ୍ରସ୍ତାବ ଆସୁଥିଲାବଳେ ବିଜେଡିକୁ ଆକ୍ରମଣ ପାଇଁ ଏହା ବିରୋଧ ଦଳକୁ ଭଲ ଖୋରାକ ଯୋଗାଇ ଥିଲା । ନବୀନ ବାବୁଙ୍କର କେହି ନାହାନ୍ତି, ତେଣୁ ସେ ଭିକେ ପାଣ୍ଡିଆନଙ୍କୁ ଓଡିଶାର ନେତୃତ୍ବ ଭାବେ ଥାପିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ ହେଲା । କିନ୍ତୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ପାଣ୍ଡିଆନ କହିବା ପରେ ବିଜେଡିକୁ ବିରୋଧୀଙ୍କ ଆକ୍ରମଣର ବଡ଼ ଅସ୍ତ୍ରକୁ ଦୁର୍ବଳ କରିଦେଲେ । ବାସ୍ତବ କଥା ହେଉଛି ମୁଖ୍ୟମନ୍ତ୍ରୀ 10 ବର୍ଷ ତଳେ ଯେଉଁ କାର୍ଯ୍ୟ କରୁଥିଲେ, ଏବେ ସେହି କାମ ଶାରୀରିକ ଭାବେ କରିବା ସକ୍ଷମ ନୁହେଁ । ବିଜେଡିରେ ନେତୃତ୍ବ ପିଢ଼ି ଷ୍ଟ୍ରକଚର ନଥିବାରୁ ନବୀନଙ୍କ ଲୋକପ୍ରିୟତାରୁ ତାଙ୍କ ବିଶ୍ବସ୍ତ ବ୍ୟକ୍ତି ହିଁ ଦଳ ଚଳାଇବ । ଯାହା ଦେଖିବାକୁ ମିଳୁଛି ଭିକେ ପାଣ୍ଡିଆନଙ୍କ ଉପରେ ନବୀନ ବାବୁଙ୍କର ଅସ୍ଥା ଓ ବିଶ୍ବାସ ରହିଛି । 147 ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ଛିଡ଼ା ହେବେ ବୋଲି ପାଣ୍ଡିଆନ କହିଛନ୍ତି । ଏହାର ଅର୍ଥ ହେଉଛି 2024 ନିର୍ବାଚନରେ ବିଜେଡି ସୁପ୍ରିମୋ ଭାବେ ନବୀନ ଯେଉଁ କାର୍ଯ୍ୟ କରିବା କଥା ତାହା ପାଣ୍ଡିଆନ କରିବେ । ପ୍ରାର୍ଥୀ ଚୟନ, ନିର୍ବାଚନ ଷ୍ଟାଟେଜି, ଇସ୍ତାହାର ଓ ପ୍ରଚାର ପତ୍ର ପ୍ରସ୍ତୁତ, ମିଡିଆ ମ୍ୟାନେଜମେଣ୍ଟ ମୁଖ୍ୟ ନାୟକ ଭାବେ ପାଣ୍ଡିଆନ ହିଁ କରିବେ । 2024 ନିର୍ବାଚନରେ ବିଜେଡିର ମୁଖ୍ୟ ନିର୍ବାଚନ ପରିଚାଳକ ହେବେ ଭିକେ ପାଣ୍ଡିଆନ ।

ଅଧିକ ପଢନ୍ତୁ- ସ୍ପଷ୍ଟ କଲେ ପାଣ୍ଡିଆନ; 2024ରେ ଲଢିବେନି ନିର୍ବାଚନ, ଜନସେବା ମୋର ଲକ୍ଷ୍ୟ

ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି ଯେ, ପୂର୍ବରୁ ପଣ୍ଡିଆନ ଅଧିକାରୀ ଆଉ ଏବେ ଦଳୀୟ ଭାବେ କାର୍ଯ୍ୟ କରୁଛନ୍ତି । ପରଦା ପଛରେ ରହି ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ବପ୍ନ ଦେଖୁଛନ୍ତି । କିନ୍ତୁ ଲୋକେ ତାଙ୍କୁ ଗ୍ରହଣ କରିବେ ନାହିଁ । ନବୀନଙ୍କ ନାଁ'ରେ ସେ କାର୍ଯ୍ୟ କରୁଥିବାବେଳେ ତାଙ୍କ ପରେ ପାଣ୍ଡିଆନଙ୍କର ଅସ୍ତିତ୍ବ ରହିବ ନାହିଁ । ସେହିପରି କଂଗ୍ରେସ କହିଛି, ପାଣ୍ଡିଆନଙ୍କ ନିଷ୍ପତ୍ତି ବା ଚିନ୍ତାଧାରା ତାଙ୍କୁ ସୁହାଇବ ବା ବୁଡାଇବା ତାହା ବିଜେଡି ଚିନ୍ତା କରୁଥିବ । ତାଙ୍କ ଦଳର ବ୍ୟାପାରକୁ ଆମେ ଦେଖିବାର କିଛି ନାହିଁ । 135 ବର୍ଷର ଦଳ କଂଗ୍ରେସ ନିଜ ଗୋଡ଼ରେ ଛିଡା ହୋଇଛି । ମଜବୁତ ସହିତ ନିର୍ବାଚନ ଲଢ଼ିବୁ । ଆମ ପ୍ରସ୍ତୁତ ହୋଇସାରିଲୁଣି ବୋଲି କହିଛନ୍ତି କଂଗ୍ରେସ ନେତା ଜୟଦେବ ଜେନା ।

ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ବିଧାୟକ ସମୀର ଦାସ । ମୋର ନିର୍ବାଚନ ଲଢ଼ିବାର ନାହିଁ ବୋଲି ପାଣ୍ଡିଆନ ସ୍ପଷ୍ଟ ଭାବେ କହିଛନ୍ତି । 147 ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ରହିବି ବୋଲି ସେ କହିଛନ୍ତି । ଭିକେ ପାଣ୍ଡିଆନ ଦଳରେ ସାମିଲ ହୋଇଥିବାରୁ ବିଜୁ ଜନତା ଦଳର ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା ଖୁସି । ଯେଉଁ ଭଳି ଭାବେ ସେ ଦଳକୁ ନେଉଛନ୍ତି, ତାହା ଦ୍ବାରା ଦଳ ବଳିଷ୍ଠ ହେଉଛି ବୋଲି ସମୀର କହିଛନ୍ତି । ବିଜେଡିରେ ପାଣ୍ଡିଆନଙ୍କ ଉପସ୍ଥିତ ଆସନ୍ତା ନିର୍ବାଚନର ଫଳାଫଳକୁ କେତେ ମାତ୍ରାରେ ପ୍ରଭାବିତ କରିବ ତାହା ସମୟ କହିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 16, 2023, 11:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.