ETV Bharat / state

ରାଜ୍ୟରେ ମୌସୁମୀ ଦୁର୍ବଳ, ୨୪ଘଣ୍ଟାରେ କାଳବୈଶାଖୀ ପାଇଁ ୨୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

author img

By ETV Bharat Odisha Team

Published : Aug 22, 2023, 9:02 PM IST

୨୪ ଘଣ୍ଟାରେ କାଳବୈଶାଖୀ ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
୨୪ ଘଣ୍ଟାରେ କାଳବୈଶାଖୀ ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ବର୍ତ୍ତମାନ ମୌସୁମୀ ଦୁର୍ବଳ ରହିଥିବାବେଳେ ବର୍ଷା ମଧ୍ୟ କମିଛି । ହେଲେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଘଡ଼ଘଡି ବିଜୁଳି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢ଼ନ୍ତୁ

୨୪ ଘଣ୍ଟାରେ କାଳବୈଶାଖୀ ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଦୁର୍ବଳ ରହିଛି ମୌସୁମୀ । ଏହାକୁ ନେଇ ରାଜ୍ୟରେ ବର୍ଷା ମଧ୍ୟ କମିଛି । ରାଜ୍ୟରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଜାରି ରହିବ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଘଡ଼ଘଡି ବିଜୁଳି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବିଜୁଳି ଘଡଘଡି ଜନିତ ବର୍ଷାକୁ ନେଇ ଆସନ୍ତା ୩ ଦିନ ଯାଏଁ ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷାର ପରିମାଣ ବଢିବ । ପାଖାପାଖି ୭ରୁ ୧୧ ସେମି ଯାଏଁ ବର୍ଷା ହେବାର ସମ୍ଭାବନା ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, "ଆସନ୍ତା ୨୫ ପରଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ବଢ଼ିପାରେ । କାରଣ ୨୫ ତାରିଖ ବେଳକୁ ରାଜ୍ୟରେ ଆଉ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି । ଓଡିଶାକୁ ଏହାର ପ୍ରଭାବ କିପରି ରହିବ ଯଦିଓ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହି ବର୍ଷ ବର୍ଷା ଲାଗି ରହିବା ସହ ରାଜ୍ୟରେ ନିଅଣ୍ଟିଆ ବର୍ଷାକୁ ପୂରଣ କରିବ । ସେହିପରି ଗତ ୨୪ ଘଣ୍ଟାରେ ମୌସୁମୀ ନିମ୍ନ ଚାପରେଖା ସାଧାରଣ ଉପସ୍ଥିତି ଠାରୁ ଯଥେଷ୍ଟ ଉତ୍ତରରେ ରହୁଛି । ଏହା ପଞ୍ଜାବର ଅମୃତସରଠାରୁ ବାହାରି, କର୍ଣ୍ଣଲ, ମିରଟ, ଲକ୍ଷ୍ନୌ, ଗୟା ଏବଂ ପଶ୍ଚିମବଙ୍ଗର ମାଲଦାରୁ ପୂର୍ବ ଦିଗରେ ନାଗାଲାଣ୍ଡ ଯାଏଁ ଲମ୍ବିଛି । ଫଳରେ ମୌସୁମୀ ପ୍ରଭାବ ରାଜ୍ୟ ଉପରେ ଦୁର୍ବଳ ରହୁଛି ।"

ଏହା ମଧ୍ୟ ପଢ଼ନ୍ତୁ...Odisha Weather: ଅଗଷ୍ଟ 25ରୁ ବଢ଼ିବ ବର୍ଷାର ପ୍ରଭାବ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷା ତୁଳନାରେ ୬୪ ପ୍ରତିଶତ କମ୍ ରହିଛି । ମୌସୁମୀ ଦୁର୍ବଳ ସାଙ୍ଗକୁ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ବାୟୁମଣ୍ଡଳରେ ଆର୍ଦ୍ରତା ରହି ଗୁଳୁଗୁଳି ସୃଷ୍ଟି ହେଉଛି । ଏହାରି ପ୍ରଭାବରେ କେତେକ ଜିଲ୍ଲାରେ ବର୍ଷାର ପରିମାଣ ବଢିବ । ମୌସୁମୀ ଋତୁରେ ୭୪୩.୮ ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାବାବିକ ବର୍ଷା ୮୨୨.୯ ମିମି ତୁଳନାରେ ୧୦ ପ୍ରତିଶତ କମ ରହିଛି । ବୌଦ୍ଧ ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ୧୮ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୧ ଜିଲ୍ଲାରେ ନିଅଣ୍ଟିଆ ରହିଛି ବର୍ଷା । ସେପେଟ ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ଲାଗି ରହିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ଗଜପତି କାଶୀନଗରଠାରେ ସର୍ବାଧିକ ୮୭.୦ ମିମି ବର୍ଷା ରେକର୍ଡ ହୋଇଛି । ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଦ୍ବାରା ଜାରି ସତର୍କ ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୩ ଅଗଷ୍ଟ (ବୁଧବାର) ଅପରାହ୍ନ ସୁଦ୍ଧା ରାଜ୍ୟର ୨୧ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି । ଏହି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.