ETV Bharat / state

ଘଟଗାଁ ମା’ ତାରିଣୀ, କେମିତି ହେଲେ ଶାଳୁଅ ବଣର ରାଣୀ ? କଣ କହେ ଇତିହାସ...

author img

By

Published : Oct 14, 2021, 6:03 AM IST

Updated : Oct 14, 2021, 7:16 AM IST

ଘଟଗାଁ ମା' ତାରିଣୀ, ନଡିଆ ରଙ୍କୁଣୀ ଶାଳୁଅ ବଣର ରାଣୀ ଭାବେ ଖ୍ୟାତ
ଘଟଗାଁ ମା' ତାରିଣୀ, ନଡିଆ ରଙ୍କୁଣୀ ଶାଳୁଅ ବଣର ରାଣୀ ଭାବେ ଖ୍ୟାତ

ବଣ ପାହାଡ଼ ଘେରା କେନ୍ଦୁଝର ଜିଲ୍ଲାର ଘଟଗାଁ ତାରିଣୀ । ରାଜ୍ୟର ବିଭିନ୍ନ ଶକ୍ତିପୀଠ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରିଛି ଏହି ପୀଠ । ମା' ଦୁର୍ଗାଙ୍କ ଅନ୍ୟ ଏକ ରୂପ ହୋଇଥିବାରୁ ଏଠାରେ ଦଶହରା ଅବସରରେ ସ୍ବତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଉଛି । ଅଧିକ ପଢନ୍ତୁ...

କେନ୍ଦୁଝର: ବଣ ପାହାଡ଼ ଘେରା କେନ୍ଦୁଝର ଜିଲ୍ଲାର ଘଟଗାଁ ତାରିଣୀ । ରାଜ୍ୟର ବିଭିନ୍ନ ଶକ୍ତି ପୀଠ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରିଛି ଏହି ପୀଠ । କୁହାଯାଏ କେନ୍ଦୁଝର ରାଜବାଟିକୁ ଯିବା ସମୟରେ ଶାଳ ବଣରେ ରହିଯାଇଛି ମା' ତାରିଣୀ । ପୌରାଣିକ ମତ ଅନୁସାରେ ମା' ତାରିଣୀ ଦୁର୍ଗାଙ୍କ ଅନ୍ୟ ଏକ ରୂପ । ପାର୍ବଣରେ ମା'ଙ୍କ ମନ୍ଦିରରେ ପାଳନ ହେଉଛି ଷୋଡଶ ଉପଚାର ରୀତିନୀତି ।

କିମ୍ବଦନ୍ତୀ ଅନୁସାରେ ମା' ତାରିଣୀଙ୍କୁ ଗୋବିନ୍ଦ ଭଞ୍ଜ କାଞ୍ଚି ବିଜୟ କରି ଆଣିଥିଲେ । ରାଜାଙ୍କ ସହ କେନ୍ଦୁଝର ରାଜବାଟିକୁ ଆସୁଥିବା ସମୟରେ ଶାଳ ବଣ ଘେରା ବର୍ତ୍ତମାନ ପୂଜା ପାଉଥିବା ସ୍ଥାନରେ ରହି ଯାଇଥିଲେ ମା' । ପରେ ଉକ୍ତ ସ୍ଥାନ ଘଟଗାଁ ଭାବେ ପରିଚିତ ହୋଇ ଥିବାବେଳେ ମା'ଙ୍କୁ ଶାଳ ବଣର ରାଣୀ ବୋଲି ବୋଲାଯାଏ । ମା'ଙ୍କ ପ୍ରିୟ ଭୋଗ ନଡିଆ ଓ ପ୍ରିୟ ଫୁଲ ନାଲି ମନ୍ଦାର । ଘଟଗାଁ ପୀଠରେ ମା' ତାରିଣୀଙ୍କ ପର୍ବପର୍ବାଣି ମଧ୍ୟରେ ଆଷାଢୀ, ରଜ, ପଣା ସଂକ୍ରାନ୍ତି, ନୂଆଖାଇରେ ସ୍ୱତନ୍ତ୍ର ନୀତିକାନ୍ତି ସହ ପୂଜାର୍ଚ୍ଚନା କରାଯାଇଥାଏ । ମା' ତାରିଣୀ ସବୁଜ ଘନ ଅରଣ୍ୟ ମଧ୍ୟରେ ରହି ଥିବାବେଳେ ଏଠାକାର ପୂଜକ ହେଉଛନ୍ତି ଆଦିବାସୀ । ଏହି ପୂଜକଙ୍କୁ ଦେହୁରୀ ବୋଲି କୁହାଯାଏ ।

ଏହି ଦେହୁରୀ ମା' ପ୍ରତ୍ୟେହ ସକାଳୁ ରାତି ପର୍ଯ୍ୟନ୍ତ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା କରିଥାନ୍ତି । ଏହା ଶକ୍ତି ପୀଠ ହୋଇଥିଲେ ମଧ୍ୟ ଅନ୍ୟ ଶକ୍ତିପୀଠ ଭଳି ଏଠି ନବରାତ୍ର ପୂଜା ହୋଇନଥାଏ । ଏଠାରେ ଷଷ୍ଠୀ ଠାରୁ ଦଶହରା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଚଣ୍ଡୀପାଠ ହୋମଯଜ୍ଞ ସହ ପୂଜା କରାଯାଇଥାଏ । ଦଶହରା ପାଇଁ ମାଁ ଙ୍କ ପୀଠ ମଧ୍ୟରେ ମୁଣ୍ମୟ ମୂର୍ତ୍ତି ପ୍ରତିଷ୍ଠା କରାଯାଇ ପୂଜା କରାଯାଇଥାଏ । ଏହି ଦଶହରା ପୂଜା ଚାରିଦିନ ମା ତାରିଣୀ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଥାନ୍ତି ।

ଘଟଗାଁ ମା' ତାରିଣୀ, ନଡିଆ ରଙ୍କୁଣୀ ଶାଳୁଅ ବଣର ରାଣୀ ଭାବେ ଖ୍ୟାତ

ଚଳିତ ବର୍ଷ କରୋନା କଟକଣା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୂର୍ତ୍ତି ପୂଜାରେ କୋରୋନା କଟକଣା ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି । କୋରୋନା କଟକଣା ପାଇଁ ସାଧାରଣ ଦର୍ଶନକୁ ସୀମିତ କରାଯାଇଥିଲା ବେଳେ ମନ୍ଦିର ବେଢାରେ ଦ୍ୱୀପ ଓ ଭୋଗ ବାରଣ କରାଯାଇଛି । ମା’ଙ୍କ ପୀଠ ଏକ ଶକ୍ତିପୀଠ ହୋଇଥିବାରୁ ଏହି ନବରାତ୍ରରେ ଭକ୍ତଙ୍କ ସମାଗମ ଜାରି ରହିଛି । ଏହି ସମାଗମକୁ ଦେଖି ମନ୍ଦିର ଟ୍ରଷ୍ଟ ବୋର୍ଡ ମଧ୍ୟ ସଜାଗ ରହିଛି ।

ତେବେ କେହି କେହି ମା'ଙ୍କୁ ଶାଳ ବଣର ରାଣୀ କହନ୍ତି ତ ଆଉ କେହି ନଡିଆ ରଙ୍କୁଣୀ ବୋଲି ମଧ୍ୟ ସମ୍ବୋଧିତ କରନ୍ତି । ଯିଏ ଯେଉଁ ନାଁରେ ଡାକୁନା କାହିଁକି ସେ ତ ମା' । ଦୁଃଖ ନେଇ ସୁଖ ହରଣ କରେ । ଆଉ ଏହି ପବିତ୍ର ପାର୍ବଣର ମାଙ୍କ ନିକଟକୁ ଧାଇଁ ଆସୁଛି ଭକ୍ତ ଆଉ ଅରଜୁଛି କୋଟି ପୁଣ୍ୟ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated :Oct 14, 2021, 7:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.