ETV Bharat / state

କେନ୍ଦୁଝରରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

author img

By ETV Bharat Odisha Team

Published : Oct 2, 2023, 3:54 PM IST

ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମଦିନ
ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମଦିନ

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ୧୫୪ ତମ ଜୟନ୍ତୀ ଏବଂ ସ୍ବର୍ଗୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୯ ତମ ଜୟନ୍ତୀ । ଏହି ଅବସରରେ କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏହି ଦୁଇ ମହାନ ମହାପୁରୁଷଙ୍କ ଜନ୍ମ ଦିବସକୁ ମହାସମାରୋହରେ ପାଳନ କରାଯାଇଛି । ଅଧିକ ପଢ଼ନ୍ତୁ

ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମଦିନ

କେନ୍ଦୁଝର: ଅକ୍ଟୋବର 2 ତାରିଖ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ୧୫୪ ତମ ଜୟନ୍ତୀ ଏବଂ ସ୍ବର୍ଗୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୯ ତମ ଜୟନ୍ତୀ । ଏହି ଅବସରରେ କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏହି ଦୁଇ ମହାନ ମହାପୁରୁଷଙ୍କ ଜନ୍ମ ଦିବସକୁ ମହାସମାରୋହରେ ପାଳନ କରାଯାଇଛି । ସକାଳେ ନଗର ଭବନ ନିକଟରେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳ ପଦୁମଣି ମହଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସାଗରୀକା ସାହୁ ଯୋଗ ଦେଇ ଉଦବୋଧନ ଦେଇଥିଲେ ।

ତେବେ ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲାଙ୍କ ସମେତ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସକୁ, କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଡାଃ ମଧୁସ୍ତିତା ସାମନ୍ତରାୟ ଯୋଗ ଦେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ମହାତ୍ମା ଗାନ୍ଧୀଙ୍କ ନୀତି, ଆଦର୍ଶ, ସରଳ ଜୀବନ, ଉଚ୍ଚ ଚିନ୍ତନ, ତ୍ୟାଗ ଏବଂ ଅହିଂସା ମନୋଭାବକୁ ଛାତ୍ରଛାତ୍ରୀମାନେ ନିଜର ଜୀବନରେ ଅନୁସରଣ କରିବାକୁ ସଂକଳ୍ପ ନେବା ଏବଂ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ବ୍ୟକ୍ତିତ୍ବରେ ଅନୁପ୍ରାଣିତ ହେବାକୁ ଆହ୍ବାନ ଦେଇଥିଲେ । ଏହାସହ ଗାନ୍ଧୀଜୀଙ୍କ ଜୀବନ ଶୈଳୀ ଉପରେ ଆଲୋକପାତ କରି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ମହାମାନବ, ଅହିଂସାର ପୂଜାରୀ, ତ୍ୟାଗ, ସେବା ଓ ପରୋପକାରର ପ୍ରତୀକ ଭାବେ ଅବିହିତ କରି ମହାତ୍ମା ଗାନ୍ଧୀ ସମଗ୍ର ପୃଥିବୀର ଜନନାୟକ ଏବଂ ଆଦର୍ଶ ଥିଲେ ବୋଲି କହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ଆଜି ଆସିଥିଲେ ମୁକ୍ତି ସଂଗ୍ରାମର ଦୁଇ ସାରଥି, ଦେଶ ପାଳୁଛି ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ

ଅନ୍ୟପକ୍ଷେ ସୂଚନା ଓ ଲୋକ ସଂପର୍କ ଉପନିର୍ଦ୍ଦେଶକ ସଂଜୀବ ବାରିକ ପ୍ରାରମ୍ଭରେ ସ୍ବାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ବାପୁଜୀଙ୍କ ପ୍ରିୟ ଆଶ୍ରମ ଭଜନ 'ବୈଷ୍ଣବ ଜନ ତୋ' ଏବଂ ' ରଘୁପତି ରାଘବ ରାଜାରାମ' କଳାକାରମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା । ପରେ ପରେ ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭାରେ ପଣ୍ଡିତ ମଧୁସୂଦନ ମିଶ୍ର ଗୀତା ପାଠ କରିଥିବା ବେଳେ ମୌଲାନା ଅବଦୁଲ ଖାଲିକ ଜୋରାନ୍ ଓ ରେଭେରେଣ୍ଟ୍ ପି.ଡି.ଲିମା ବାଇବେଲ୍ ପାଠ କରିଥିଲେ । ଏହି ଅବସରରେ ଉଚ୍ଚ ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ଓ ଚିତ୍ରକଳା ପ୍ରତିଯୋଗିତା କରାଯିବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ସମାରୋହରେ ବିଭିନ୍ନ ବିଭାଗୀୟ ଅଧିକାରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧ୍ର, ସଂଗଠନର କର୍ମକର୍ତ୍ତା, ଜନସାଧାରଣ ତଥା ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.