ETV Bharat / state

ମାଆ ଆଗରେ ପୁଅକୁ ଝାମ୍ପି ନେଲା କୁମ୍ଭୀର

author img

By

Published : Jun 14, 2023, 12:53 PM IST

crocodile drags away minor boy
ବ୍ରାହ୍ମଣୀ ନଦୀ କୂଳରୁ ନାବାଳକକୁ ଝାମ୍ପି ନେଲା କୁମ୍ଭୀର

କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନିମପୁର ଗାଁରେ ଘଟିଛି ବଡ ଅଘଟଣ । କୁମ୍ଭୀର ଆକ୍ରମଣରେ ନାବାଳକର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ବ୍ରାହ୍ମଣୀ ନଦୀ କୂଳରୁ ନାବାଳକକୁ ଝାମ୍ପି ନେଲା କୁମ୍ଭୀର

କେନ୍ଦ୍ରାପଡା: ରଜ ଉତ୍ସବ ପାଳୁଛନ୍ତି ରାଜ୍ୟବାସୀ । ହେଲେ କାନ୍ଦ ବୋବାଳିରେ ଫାଟି ପଡୁଛି ଗୋଟିଏ ପରିବାର । ପହିଲି ରଜରେ ଘଟିଛି ବଡ ଅଘଟଣ । ଗୋଟିଏ ମାଆ କୋଳ ଖାଲି ହୋଇଛି । କୁମ୍ଭୀର ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ବ୍ରାହ୍ମଣୀ ନଦୀ କୂଳରୁ ନାବାଳକକୁ ଝାମ୍ପି ନେଲା କୁମ୍ଭୀର । ଶୌଚ ହେବାକୁ ଯାଇଥିବାବେଳେ ଛକି ବସିଥିବା କୁମ୍ଭୀର ନାବାଳକକୁ ଝାମ୍ପି ନେଇଛି । କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନିମପୁରରୁ ଆସିଛି ଏହି ଦୁଃଖଦ ଖବର ।

ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନିମପୁରରୁ ଗାଁର ଅଶୋକ ଆଚାର୍ଯ୍ୟଙ୍କ ୧୦ ବର୍ଷର ପୁଅ ଆଶୁତୋଷ ଆଚାର୍ଯ୍ୟ । ଆଜି ସକାଳେ ଘର ପାଖ ଦେଇ ପ୍ରବାହିତ ହେଉଥିବା ସ୍ଥାନୀୟ ବ୍ରାହ୍ମଣୀ ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ । ଆଶୁତୋଷ ତାଙ୍କ ମାଆଙ୍କ ସହ ଯାଇଥିଲେ । ମାଆ ଗାଧୋଇଥିବାବେଳେ ଆଶୁତୋଷ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ଛକି ରହିଥିବା ଏକ କୁମ୍ଭୀରର ଶିକାର ହୋଇଥିଲେ । କୁମ୍ଭୀରଟି ଆଶୁତୋଷଙ୍କୁ ଗଭୀର ନଦୀ ଭିତରକୁ ଟାଣି ନେଇ ବୀଭତ୍ସ ଭାବେ ପେଟକୁ ଚିରି ଦେଇଥିବା ଦେଖାଯାଇଛି । ଆଶୁତୋଷଙ୍କ ଚିତ୍କାର ଶୁଣି ସେଠାକୁ ଦୌଡି ଯାଇଥିଲେ ତାଙ୍କ ମାଆ । ହେଲେ ମାଆ ଆଖି ଆଗରେ ପୁଅକୁ ଟାଣି ନେଇଥିଲା କୁମ୍ଭୀର । ସ୍ଥାନୀୟ ଲୋକେ ପ୍ରଥମେ ପଟ୍ଟାମୁଣ୍ଡାଇ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ । ଦେଶୀ ଡଙ୍ଗାରେ ଆଶୁତୋଷଙ୍କୁ ନଦୀ ଭିତରେ ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ନଦୀ ମଧ୍ୟରୁ ଆଶୁତୋଷଙ୍କ ଉଦ୍ଧାର କରାଯାଇଥିଲା ।

ଅଶୁତୋଷଙ୍କୁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଶୁତୋଷ ଏକମାତ୍ର ପୁଅ ହୋଇଥିବା ବେଳେ ପୁଅକୁ ହରାଇ ଉଭୟ ବାପା ମାଆ ପାଗଳ ପ୍ରାୟ ହୋଉଛନ୍ତି । ଅନ୍ୟପଟେ ସମଗ୍ର ନିମପୁର ଗାଁରେ ଶୋକର ଛାୟା ଖେଳି ଯାଇଛି । ରଜ ଭଳି ଦିନରେ ଏଭଳି ଦୁର୍ଘଟଣାକୁ ନେଇ ବନବିଭାଗ ଉପରେ ଲୋକେ ଅସନ୍ତୋଷ ଝାଡିଛନ୍ତି। ବର୍ତ୍ତମାନ କୁମ୍ଭୀର ପ୍ରଜନନ ଋତୁ ଥିବା ବେଳେ ଭିତରକନିକା ସଂଲଗ୍ନ ନଦୀ ମାନଙ୍କରେ କୁମ୍ଭୀର ମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି । କିଛିଦିନ ତଳେ ଏକ କଅଁଳ ବାଛୁରୀକୁ କୁମ୍ଭୀର ଶିକାର କରିଥିବା ବେଳେ ଚଳିତବର୍ଷ କୁମ୍ଭୀର ଆକ୍ରମଣରେ ପ୍ରାୟ ୫ ଜଣଙ୍କ ପ୍ରାଣହାନି ଘଟିଲାଣି । ତେବେ ବନବିଭାଗ ଏସବୁ ପ୍ରତି ଦୃଷ୍ଟି ନଦେଇ ମନମାନି ଚଳାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.